ହାଇଦ୍ରାବାଦ:ଗୋଟିଏ ପରେ ଗୋଟିଏ ଅଗ୍ନି ପରୀକ୍ଷା ପାସ କରି ସଫଳତା ଆଡକୁ ଅଗ୍ରସର ହେଉଛି ଭାରତର ବହୁ ପ୍ରତୀକ୍ଷିତ ମିଶନ ଚନ୍ଦ୍ରାୟନ-3 । ଏହାରି ଭିତରେ ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ଆଉ ଏକ ବଡ ସଫଳତା ମିଳିଛି । ଚନ୍ଦ୍ରଯାନ-3ରୁ (ପ୍ରୋପଲସନ୍ ମଡ୍ୟୁଲ) ସଫଳତାର ସହ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ । ଏନେଇ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଚନ୍ଦ୍ରଯାନ-3ର ବିକ୍ରମ ଲ୍ୟାଣ୍ଡର ପ୍ରୋପଲସନ୍ ମଡ୍ୟୁଲରୁ ଅଲଗା ହୋଇଥିବା ନେଇ ଇସ୍ରୋ ପକ୍ଷରୁ କୁହାଯାଇଛି । ତେବେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଚନ୍ଦ୍ରଯାନ-3 ଆଉ ଏକ ପାଦ ବଢିଲା ।
ISROର କହିବା ଅନୁଯାୟୀ, "ଚନ୍ଦ୍ରଯାନ-3ର ସଫ୍ଟ ଲ୍ୟାଣ୍ଡିଂ ପାଇଁ ଆଗାମୀ 6 ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ବର୍ତ୍ତମାନ ଲ୍ୟାଣ୍ଡରକୁ ବହୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅତିକ୍ରମ କରିବାକୁ ପଡିବ । ପ୍ରୋପଲିସନ୍ ମଡ୍ୟୁଲ୍ କ୍ରମାଗତ ଭାବରେ ଏହି ଅକ୍ଷରେ ଘୂର୍ଣ୍ଣନ କରିବ ଏବଂ ପୃଥିବୀ ବିଷୟରେ ଇସ୍ରୋକୁ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବ।"
34 ଦିନର ମିଳିତ ଗତି ପରେ ଆଜି ଚନ୍ଦ୍ରଯାନ-3ରୁ ସଫଳତାର ସହ ଅଲଗା ହେଲା ଲ୍ୟାଣ୍ଡର। ଏବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବ। ବର୍ତ୍ତମାନ ସମସ୍ତଙ୍କର ନଜର ଲ୍ୟାଣ୍ଡିଂ ଉପରେ ରହିଛି। ଯଦି ସବୁକିଛି ସଠିକ ଭାବେ ହୁଏ ତେବେ ଆଗାମୀ 23 ତାରିଖରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-3। ଏହାପରେ ଲ୍ୟାଣ୍ଡରରୁ ରୋଭର ଅଲଗା ହୋଇ 14 ଦିନ ଯାଏଁ ବିଚରଣ କରିବା ନେଇ ସୂଚନା ରହିଛି । ପ୍ରୋପଲସନ୍ ମଡ୍ୟୁଲ ଚନ୍ଦ୍ର କକ୍ଷରେ ରହି ପୃଥିବୀରୁ ଆସୁଥିବା ରେଡିଏସନକୁ ଅଧ୍ୟୟନ କରିବ ।
ଏହା ମଧ୍ୟ ପଢନ୍ତୁ: Chandrayaan-3 Mission: ସଫ୍ଟ ଲ୍ୟାଣ୍ଡିଂର ଆଉ ଗୋଟିଏ କକ୍ଷପଥ ଦୂରରେ ଚନ୍ଦ୍ରଯାନ-3, କାଲି ଅଲଗା ହେବ ଲ୍ୟାଣ୍ଡର