ହାଇଦ୍ରାବାଦ:ଆପଣ ନିଜ ସ୍ମାର୍ଟଫୋନରେ ଗୋଲାପି ବା ପିଙ୍କ ହ୍ବାଟ୍ସଆପ ଆପ୍ଲିକେସନ୍ ଡାଉନଲୋଡ୍ କରିଛନ୍ତି କି ? ଯଦି ହଁ, ତେବେ ବର୍ତ୍ତମାନଠାରୁ ସତର୍କ ରୁହନ୍ତୁ । ଆପଣ ମଧ୍ୟ ହୋଇପାରନ୍ତି ଠକେଇର ଶିକାର । ଚୋରି ହୋଇପାରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପ ସମ୍ବନ୍ଧରେ ଏକ ନୂଆ ଠକେଇ ସମ୍ପର୍କରେ ମୁମ୍ବାଇ ପୋଲିସ ନିକଟରେ ଚେତାବନୀ ଦେଇଛି । ଓଡିଶାରେ ମଧ୍ୟ ଏଭଳି ତଥ୍ୟ ଚୋରିର ଖବର ସାମ୍ନାକୁ ଆସୁଛି । ଏକ ଲିଙ୍କରେ କ୍ଲିକ କରିବା ପରେ ହ୍ବାଟ୍ସଆପ ଗ୍ରୀନରୁ ପିଙ୍କ ହୋଇଯାଉଛି ଏହା ପରେ ସମସ୍ତ ଡାଟା କିଛି କ୍ଷଣ ମଧ୍ୟରେ ଚୋରି ହୋଇଯାଉଛି ।
ପିଙ୍କ ହ୍ବାଟ୍ସଆପ କଣ ? ଏହା ହେଉଛି ହ୍ବାଟ୍ସଆପର ନକଲି । ଏହା ରଙ୍ଗ ସବୁଜ ନୁହେଁ ବରଂ ଗୋଲାପି ହୋଇଥାଏ। ମୋବାଇଲକୁ ଏକ ଲିଙ୍କ ଆସୁଛି ଏହାକୁ କ୍ଲିକ କରିଲା ପରେ ହ୍ବାଟ୍ସଆପ ସବୁଜରୁ ଗୋଲାପି ହୋଇଯାଉଛି । ଏହାର ଅର୍ଥ ବର୍ତ୍ତମାନ ମୋବାଇଲର ସବୁ ଡାଟା ହ୍ୟାକରଙ୍କ ହାତକୁ ଚାଲିଯାଇଛି । ଫୋନରେ ରହିଥିବା ଚାଟିଂ, ଫଟୋ, ନମ୍ବର ସବୁ ତଥ୍ୟ ଚୋରି ହେଉଛି । କହିବାକୁ ପୁରା ଫୋନର ତଥ୍ୟ ହ୍ୟାକରଙ୍କ ହାତକୁ ଚାଲିଯାଉଛି । ଏହାକୁ ମୋହରା ବନାଇ ଲୁଟ କରିବାରେ ସକ୍ଷମ ହେଉଛନ୍ତି ହ୍ୟାକର । ଏହି ପିଙ୍କ ହ୍ବାଟ୍ସଆପ 2021ରେ ଆର୍ବିଭାବ ହୋଇଥିଲା । କୁହାଯାଉଛି ଯେ, ସେତେବେଳେ ମଧ୍ୟ ଅନେକ ଠକାମିର ଶିକାର ହୋଇଥିଲେ । କୁହାଯାଉଛି ପୁଣି ଥରେ ସେହି ସ୍କାମ ଫେରିଛି ।
ଏଭଳି ହୋଇଥାଏ ହ୍ୟାକ:ପ୍ରଥମେ ମୋବାଇଲକୁ ଏକ ଲିଙ୍କ ଆସିବ । ଆଣ୍ଡ୍ରୋଏଡ ଫୋନ ବ୍ୟବହାରକାରୀଙ୍କୁ ଏକ ଅଜଣା ନମ୍ବରରୁ ଏହି ଲିଙ୍କ ଆସିବ । ଯେଉଁଥିରେ ପିଙ୍କ ହ୍ବାଟ୍ସଆପ ଡାଉନଲୋଡ ପାଇଁ କୁହାଯିବ । ଏହାସହ ଏହାକୁ ଡାଉନଲୋଡ କରିଲେ ଆପଣ ଅନେକ ଫିଚର ପାଇବେ ଏଭଲି ମଧ୍ୟ ଅନେକ ଲୋଭନୀୟ ବା ଆକର୍ଷଣୀୟ କଥା କୁହାଯିବ । ଏହାକୁ କ୍ଲିକ କରିବା ପରେ ସଙ୍ଗେସଙ୍ଗେ ଏକ ସଫଓ୍ବେର ଡାଉନଲୋଡ ହୋଇଯିବ ଏବଂ ହ୍ବାଟ୍ସଆପର ରଙ୍ଗ ପରିବର୍ତ୍ତନ ହୋଇ ଗୋଲାପି ହୋଇଯିବ । ଆକର୍ଷଣୀୟ ଫିଚର ପାଇବାକୁ ଯାଇ ଫସିଯିବେ ।