ଲକ୍ଷ୍ନୌ:ଆଉ ମାତ୍ର କେଇ ଦିନର ଅପେକ୍ଷା । ଆସନ୍ତା ମାସ 22 ତାରିଖରେ ସିଂହାସନରେ ବିରାଜିବେ ରାମଲାଲା । ଏହି ଭବ୍ୟ ସମାରୋହ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । 16 ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ 7 ଦିନ ପର୍ଯ୍ୟନ୍ତ ଉତ୍ସବମୁଖର ହେବ ଅଯୋଧ୍ୟା ନଗରୀ । ତେବେ ରାମ ମନ୍ଦିରର ଉଦାଘାଟନୀ ପରେ ତୀର୍ଥଯାତ୍ରୀଙ୍କର ସଂଖ୍ୟାରେ ମଧ୍ୟ ବୃଦ୍ଧି ହେବା ନେଇ ଆଶା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିରର ସୁରକ୍ଷା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ସର୍ଭିଲାନ୍ସ ଆରମ୍ଭ ହେବା ନେଇ ସୂଚନା ମିଳିଛି । ପ୍ରଥମ ଥର ପାଇଁ ରାମ ମନ୍ଦିରରେ ଏହି ବ୍ୟବସ୍ଥା ହେବାକୁ ଯାଉଛି ।
ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, "ଏଆଇ ସର୍ଭିଲାନ୍ସର ପାଇଲଟ ପ୍ରୋଜେକ୍ଟ ଆଯୋଧ୍ୟାରେ ଲଞ୍ଚ ହେବାର ସମ୍ଭାବନା ରହିଛି । ଯଦି ଏହା ସମ୍ଭବ ହୁଏ ତାହେଲେ ଆଗାମୀ ଦିନରେ ସୁରକ୍ଷା ବ୍ୟବସ୍ଥା ଏବଂ ସର୍ଭିଲାନ୍ସ ଡ୍ରିଲ ପାଇଁ ଏକ ଅଭିଚ୍ଛେଦ୍ୟ ଅଙ୍ଗ ହେବ ।" ପ୍ରାଣ ପ୍ରତିଷ୍ଠା ଦିନ ରାମଲାଲାଙ୍କ ସୁରକ୍ଷା ପାଇଁ ଏଆଇ ସର୍ଭିଲାନ୍ସ ବ୍ୟତୀତ 11 ହଜାର ପୋଲିସ ଏବଂ ପାରାମିଲିଟାରୀ ଫୋର୍ସ ମୁତୟନ ହେବା ନେଇ ସୂଚନା ରହିଛି ।
ସମସ୍ତ ଗତିବିଧି ଉପରେ ରହିବ ନଜର: ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାରେ ସୁରକ୍ଷା ବ୍ୟବସ୍ଥା ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, "ଏଆଇ ସର୍ଭିଲାନ୍ସର ପାଇଲଟ ପ୍ରୋଜେକ୍ଟକୁ ଅଯୋଧ୍ୟାରେ ଲଞ୍ଚ କରାଯାଇପାରିବ । ରାମ ମନ୍ଦିର ପ୍ରତି ବିପଦ ଅଧିକ ରହିଛି । ଏହି ସ୍ଥିତିରେ ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ଆବଶ୍ୟକ । ଏଆଇ ସର୍ଭିଲାନ୍ସର ବ୍ୟବହାର କରିବା ଦ୍ବାରା ମନ୍ଦିର ପରିସରରେ ସନ୍ଦିଗ୍ଧ ଏବଂ ଭିଡ ସମୟରେ ମଧ୍ୟ କୌଣସି ଅପ୍ରତିକର ପରିସ୍ଥିତି ଉପୁଜିବ ନାହିଁ । ଏହାଦ୍ବାରା ଏଜେନ୍ସି ମଧ୍ୟ ଆଲର୍ଟରେ ରହିବ ଏବଂ ଉପଯୁକ୍ତ ପଦକ୍ଷେପ ନେବାକୁ ସକ୍ଷମ ହେବେ ।