ହାଇଦ୍ରାବାଦ:କଥାରେ ଅଛି ଜନ୍ମ କିମ୍ବା ମୃତ୍ୟୁ କାହାରି ହାତରେ ନଥାଏ । ଜନ୍ମ ହୋଇଥିଲେ ମୃତ୍ୟୁ ସୁନିଶ୍ଚିତ । କିଛି ବ୍ୟକ୍ତି କମ ସମୟ ପାଇଁ ଧରାପୃଷ୍ଠକୁ ଆସିଥିବା ବେଳେ ଆଉ କିଛି ବ୍ୟକ୍ତି 100ରୁ ଅଧିକ ବର୍ଷ ବଞ୍ଚି ଥାଆନ୍ତି । କିନ୍ତୁ କେବେ ନା କେବେ ମନକୁ ଥରଟିଏ ପ୍ରଶ୍ନ ଆସେ 'ଆମ ମୃତ୍ୟୁ ବେଳ କେବେ ?' ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ ଏକ ନକରାତ୍ମକ ଉତ୍କଣ୍ଠା ରହିଥାଏ । ତେବେ ଟେକ୍ନୋଲୋଜିର ବିକାଶ ସହିତ ଏଣିକି ଏଭଳି ପ୍ରଶ୍ନର ଉତ୍ତର ଜାଣିବା ହେବ ସହଜ । ମୃତ୍ୟୁ କେବେ ହେବ ତାହାର ଉତ୍ତର ଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ । ଏଆଇର ଏକ ଟୁଲ୍ ସାମ୍ନାକୁ ଆସିଥିବା ବେଳେ ଏହା ଜଣେ ବ୍ୟକ୍ତିର ମୃତ୍ୟୁ କେବେ ହେବ ସେନେଇ ଅନୁମାନ କରିପାରିବ ବୋଲି ଦାବି କରାଯାଇଛି ।
ଡେନମାର୍କର ଟେକ୍ନୋଲୋଜି ୟୁନିଭରସିଟିର ବୈଜ୍ଞାନିକମାନେ ଏକ ଏଆଇ ଟୁଲ ବିକଶିତ କରିଛନ୍ତି । ଯାହାକି ମୃତ୍ୟୁର ସମୟସୀମା ପୂର୍ବାନୁମାନ କରିବାରେ ସଠିକତା ପ୍ରଦାନ କରିବ । ଚାଟଜିପିଟି ପରେ AI Life2vec ସିଷ୍ଟମକୁ ବିକଶିତ କରାଯାଇଛି । ଏହା ସ୍ବାସ୍ଥ୍ୟ, ଶିକ୍ଷା, ବୃତ୍ତି ଏବଂ ଆୟ ଭଳି ସମସ୍ତ କ୍ଷେତ୍ରରେ ପୂର୍ବାନୁମାନ କରିବାରେ ସକ୍ଷମ ହେବ । ଏହି ଏଆଇ ଟୁଲ୍ ବିକଶିତ କରିବା ସମୟରେ 2008ରୁ 2020 ମସିହା ପର୍ଯ୍ୟନ୍ତ 60 ଲକ୍ଷ ଲୋକଙ୍କ ଉପରେ ଏହାକୁ ପ୍ରଯୋଗ କରାଯାଇଥିଲା । ତେବେ ଏହି ଟୁଲ୍ କରିଥିବା ଅନୁମାନ ପ୍ରାୟ 78 ପ୍ରତିଶତ ସଠିକ ସାବ୍ୟସ୍ତ ହୋଇଥିବା ନେଇ ଦାବି କରାଯାଇଛି ।