ହାଇଦ୍ରାବାଦ:କୁହାଯାଏ..ମହାକାଶରେ ଥିବା ଅସଂଖ୍ୟ ତାରା ଏବଂ ଗ୍ରହମାନଙ୍କ ମଧ୍ୟରେ ପୃଥିବୀ ଆମର ଏକମାତ୍ର ଘର । ଏଠାରେ ଅନୁକୂଳ ବାତାବରଣ ଏବଂ ସହନଶୀଳ ତାପମାତ୍ରା ହେତୁ ମାନବ ସଭ୍ୟତା ତିଷ୍ଠି ପାରିଛି । କିନ୍ତୁ ସମୟ ସହିତ ବଦଳିବାରେ ଲାଗିଛି ଚିତ୍ର । ବର୍ତ୍ତମାନ ଗ୍ଲୋବାଲ ଓ୍ବାର୍ମିଂ ପୃଥିବୀ ପାଇଁ ସବୁଠାରୁ ବଡ ବିପଦ ଭାବରେ ଉଭା ହେଉଛି । କ୍ରମାଗତ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ଗ୍ରୀନ୍ ହାଉସ୍ ପ୍ରଭାବ ହେତୁ ପୃଥିବୀର ତାପମାତ୍ରାର କ୍ରମାଗତ ବୃଦ୍ଧି ପାଉଥିବା ବେଳେ ଭବିଷ୍ୟତରେ ଏହା ଭୟଙ୍କର ରୂପ ନେଇପାରେ ବୋଲି ଏକ ଅଧ୍ୟୟନରେ ଦାବି କରାଯାଇଛି । ଯାହାକି ଚିନ୍ତାର କାରଣ ପାଲଟିଛି ।
ରିପୋର୍ଟରେ ଦାବି କରାଯାଇଛି ଯେ, ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀର ତାପମାତ୍ରା ଏତେ ବୃଦ୍ଧି ପାଇବ ଯେ ମାନବ ସଭ୍ୟତା ବଞ୍ଚିବା କଷ୍ଟକର ହେବ । ଏହାର ସବୁଠାରୁ ଅଧିକ ପ୍ରଭାବ ଜନବହୁଳ ଦେଶ ଭାରତ, ପାକିସ୍ଥାନ ଏବଂ ଚୀନ୍ ଭଳି ଦେଶମାନଙ୍କ ଉପରେ ରହିଛି । ଜଳବାୟୁ ପରିବର୍ତ୍ତନ ହେତୁ ବିଶ୍ୱ ତାପମାତ୍ରା ଶତାବ୍ଦୀର ଶେଷ ସୁଦ୍ଧା ବିପଜ୍ଜନକ ସ୍ତରରେ ପହଞ୍ଚିବ ବୋଲି ରିପୋର୍ଟରେ ଦାବି କରାଯାଇଛି ।
କେତେ ବଢିବ ତାପମାତ୍ରା:ପେନ୍ ଷ୍ଟେଟ୍ କଲେଜ୍ ଅଫ୍ ହେଲଥ୍ ଆଣ୍ଡ ହ୍ୟୁମାନ୍ ଡେଭଲପମେଣ୍ଟ, ପର୍ଡୁ ୟୁନିଭରସିଟି କଲେଜ ଅଫ୍ ସାଇନ୍ସ ଏବଂ ପର୍ଡୁ ଇନଷ୍ଟିଚ୍ୟୁଟ୍ ଅଫ ଷଷ୍ଟେନେବଲ ଫ୍ୟୁଚରର ମିଳିତ ଅନୁସନ୍ଧାନର ରିପୋର୍ଟ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶିତ ହୋଇଛି । ପୃଥିବୀର ତାପମାତ୍ରା 1.5 ଡିଗ୍ରୀ ସେଲସିୟସରୁ ଅଧିକ ବୃଦ୍ଧି ପାଉଥିବା ନେଇ ଦାବି କରାଯାଇଛି । ମାନବ ଶରୀରର ଗଠନ ଅନୁଯାୟୀ, କେବଳ ସାଧାରଣ ତାପମାତ୍ରା ଏବଂ ଆର୍ଦ୍ରତା ମଣିଷକୁ ଜୀବିତ ରଖିପାରେ । ଯଦି ଗ୍ଲୋବାଲ୍ ୱାର୍ମିଂ ଏଭଳି ଭାବେ ବୃଦ୍ଧି ପାଏ ତେବେ ହିଟଷ୍ଟ୍ରୋକ କିମ୍ବା ହୃଦଘାତର ସମସ୍ୟା ଦ୍ରୁତ ମାତ୍ରାରେ ବୃଦ୍ଧି ପାଇବ ।
ଗ୍ଲୋବାଲ ଓ୍ବାର୍ମିଂର ସବୁଠାରୁ ଅଧିକ ପ୍ରଭାବ ଭାରତ, ଚୀନ ଏବଂ ପାକିସ୍ତାନ ଉପରେ ରହିବ । ଅଧ୍ୟୟନର ରିପୋର୍ଟରେ ଏହା ଦର୍ଶାଯାଇଛି ଯେ, ଯଦି ବିଶ୍ବର ତାପମାତ୍ରା 2 ଡିଗ୍ରୀ ସେଲସିୟସରୁ ଅଧିକ ବୃଦ୍ଧି ପାଏ ତେବେ ପାକିସ୍ଥାନ ଏବଂ ଭାରତର 2.2 ବିଲିୟନ ବାସିନ୍ଦା, ପୂର୍ବ ଚାଇନାର ଏକ ବିଲିୟନ ଲୋକ ଏବଂ ଆଫ୍ରିକାର 800 ନିୟୁତ ଲୋକଙ୍କର ସହନଶୀଳତାର ସୀମା ପାର ହୋଇଯିବ । ଗରମ ଚୁଲ୍ଲୀରେ ବସିଲା ଭଳି ମନେ ହେବ ବୋଲି କୁହାଯାଇଛି ।