ଲେଖକ- ଡଃ ଏନଭିଆର ଜ୍ୟୋତି କୁମାର (ପ୍ରଫେସର, ବାଣିଜ୍ୟ ବିଭାଗ, ମିଜୋରାମ ସେଣ୍ଟ୍ରାଲ ୟୁନିଭର୍ସିଟି)
ହାଇଦ୍ରାବାଦ:ପ୍ରତି ବର୍ଷ ଡିସେମ୍ବର ୯ ତାରିଖରେ ପାଳିତ ହୁଏ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ । ଦୁର୍ନୀତିକୁ ରୋକିବା ଲାଗି ଏହି ଦିବସରେ ସଚେତନତା ସୃଷ୍ଟି କରାଯାଏ । ଦୁର୍ନୀତି ଯେକୌଣସି ବିଭାଗରେ ହେଲେ ଏହା ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ । ଏହାସହ ଅର୍ଥନୈତିକ ବିକାଶରେ ବାଧା ସୃଷ୍ଟି କରିଥାଏ । ଦୁର୍ନୀତି ହେବା ଦ୍ବାରା ସ୍ବାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ଏବଂ ନ୍ୟାୟପାଳିକା ଭଳି କ୍ଷେତ୍ରରେ ସୁବିଧା ଉପଲବ୍ଧ କରିବାରେ ବାଧା ସୃଷ୍ଟି କରେ । ଉଦାହରଣ ଭାବେ ଦେଖିଲେ ଯଦି ସରକାରୀ ଡାକ୍ତରଖାନା ପାଇଁ ଔଷଧ ଏବଂ ଚିକିତ୍ସା ଉପକରଣ କ୍ରୟରେ ଦୁର୍ନୀତି ହୁଏ, ତେବେ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଦୀର୍ଘ ଦିନ ଧରି ପ୍ରତିକୂଳ ପ୍ରଭାବ ପକାଏ ।
ପରୀକ୍ଷାମୂଳକ ଅଧ୍ୟୟନରୁ ଜଣାପଡିଛି ଯେ ଗରିବ ଶ୍ରେଣୀର ଲୋକେ ଆୟର ସର୍ବାଧିକ ଭାଗ ଲାଞ୍ଚ ପ୍ରଦାନ କରନ୍ତି । କିଛି ଅଧ୍ୟୟନରୁ ଜଣାପଡିଛି ଯେ ଅଭିଯୋଗ କରିବାକୁ ପାଖରେ ଅର୍ଥ ସମ୍ବଳ ନଥିବାରୁ ଗରିବ ଲୋକେ ଭୟଭୀତ ହୋଇ ଦୁର୍ନୀତିର ଶିକାର ହୁଅନ୍ତି । ଦୁର୍ନୀତି ଯୋଗୁଁ ଅର୍ଥନୈତିକ ବିକାଶ ଓ ନିଯୁକ୍ତି ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ଯେଉଁଠି ଦୁର୍ନୀତି ନାହିଁ, ସେହି ଦେଶର ସମାଜ ଓ ଅର୍ଥନୀତି ଅଧିକ ସୁଦୃଢ । ସବୁଠାରୁ ବହୁ ପ୍ରଭାବଶାଳୀ ଦୁର୍ନୀତି ରାଜନୈତିକ କ୍ଷେତ୍ରରେ ଦେଖିବାକୁ ମିଳେ । କ୍ଷମତା ବଜାୟ ରଖିବା ଲାଗି ରାଜନେତମାନେ ଦୁର୍ନୀତିର ସହାୟତାରେ କୌଣସି ବିଭାଗ ଓ ଅଫିସରଙ୍କୁ ନିୟନ୍ତ୍ରଣରେ ରଖିଥାନ୍ତି । ଏହି ସମସ୍ତ କ୍ଷେତ୍ରରେ ଦୁର୍ନୀତି ହେଲେ ଦେଶରେ ରୂପାନ୍ତରଣ ଓ ନିରନ୍ତର ବିକାଶ ସଙ୍କଟରେ ପଡ଼ିଯିବା ସ୍ବାଭାବିକ ।
ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ର ଉପରେ ଦୁର୍ନୀତିକୁ ରୋକିବା ଲାଗି ବ୍ୟବସ୍ଥା ମଧ୍ୟ ରହିଛି । ସରକାରୀ କ୍ଷେତ୍ରରେ କର୍ମଚାରୀମାନେ ବୃତ୍ତିଗତ ତଥା ନୈତିକ ଆଚରଣ ବିଧି ଅନୁଯାୟୀ କାର୍ଯ୍ୟ କରିବା ଉଚିତ । ସାର୍ବଜନୀନ ଆର୍ଥିକ ପ୍ରସଙ୍ଗରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ବକୁ ମଧ୍ୟ ପ୍ରୋତ୍ସାହନ ଦେବା ଆବଶ୍ୟକ । ବିଶେଷକରି ଜନସାଧାରଣ କ୍ରୟ ଏବଂ ନ୍ୟାୟପାଳିକା ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଦୁର୍ନୀତି ନ ହେବା ଉଚିତ । ତେବେ ଦୁର୍ନୀତି ରୋକିବା ପାଇଁ ସମାଜର ସମସ୍ତ ସଦସ୍ୟଙ୍କଠାରୁ ମଧ୍ୟ ଏକ ପ୍ରୟାସ ଆବଶ୍ୟକ । ଦୁର୍ନୀତି ବିରୋଧରେ ଲଢେଇର ପ୍ରତ୍ୟେକ ଦିଗ ଯେପରିକି ଦୁର୍ନୀତି ନିବାରଣ, ଅନୁସନ୍ଧାନ ଏବଂ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦେଶଗୁଡ଼ିକ ପରସ୍ପରକୁ ସାହାଯ୍ୟ କରିବାକୁ ରାଜି ହୋଇଛନ୍ତି । ଏହାଦ୍ବାରା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଏକ ବାର୍ତ୍ତା ଯାଉଛି ଯେ ସେମାନଙ୍କର ବେଆଇନ ସମ୍ପତ୍ତି ଲୁଚାଇବାକୁ ସ୍ଥାନ ନାହିଁ ।