ହାଇଦ୍ରାବାଦ:ଆରମ୍ଭ ହୋଇସାରିଛି ନୂଆ ବର୍ଷ । ଏହା ସହିତ 2024 ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ରଣନୀତି ଚଳାଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହାରି ଭିତରେ ବୁଢାବଳଙ୍ଗରୁ ଆରମ୍ଭ କରି ବୈତରଣୀ, ବ୍ରାହ୍ମଣୀରେ ଅନେକ ପାଣି ବହିସାରିଲାଣି । ଆଉ ସମୟ ଥାଉ ଥାଉ ବନ୍ଧ ବାନ୍ଧିବା ଆରମ୍ଭ ହୋଇସାରିଛି । ଗ୍ରାଉଣ୍ଡ ଓ୍ବାର୍କରେ ଲାଗିପଡିଲେଣି ନେତା । ଆଉ ଭାଷଣରେ ନୁହେଁ, ଏଥର ଭୋଟ ପାଇଁ ନିର୍ବାଚନୀ ଭିତ୍ତିଭୂମି ନିର୍ମାଣ କରିବାକୁ ସମସ୍ତେ କସରତ କରୁଛନ୍ତି । ଫୋକସରେ ରହିଛି ଆଦିବାସୀ ଭୋଟ । କାରଣ ଆଗାମୀ ନିର୍ବାଚନ ପାଇଁ ଯେଉଁ ମୂଳଦୂଆ ପଡିବ, ସେଥିରେ ମଜବୁତ ସ୍ତମ୍ଭ ସାଜିପାରନ୍ତି ଆଦିବାସୀ ଭୋଟର ।
ରାଜ୍ୟର ଆଦିବାସୀଙ୍କ ଭୋଟ ପ୍ରତିଶତ-ରାଜ୍ୟର ଆଦିବାସୀ ଜନସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ପାଖାପାଖି 23 ପ୍ରତିଶତ । 12ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଆଦିବାସୀମାନେ ସମୁଦାୟ ଜନସଂଖ୍ୟାର 55 ପ୍ରତିଶତରୁ ଅଧିକ । ଏହାକୁ ଦୃଷ୍ଟିରେ ରଖିଲେ ରାଜ୍ୟରେ ଆଦିବାସୀ ଭୋଟ କେତେ ମହତ୍ବ ରଖେ ତାହା ଅନୁମାନ କରିହେବ । ତେଣୁ ଆଦିବାସୀଙ୍କ ଭୋଟ ଉପରେ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡିର ଆଖି ରହିଛି ।
2019 ବିଧାନସଭା ନିର୍ବାଚନରେ 35ଟି ଆଦିବାସୀ ସଂରକ୍ଷିତ ଆସନ ମଧ୍ୟରୁ ବିଜେପି 11ଟିରେ ପଦ୍ନ ଫୁଟାଇଥିବାବେଳେ ବିଜେଡି ଖାତାକୁ ଯାଇଥିଲା 20ଟି ଆସନ । ସେହିପରି 2019 ସାଧାରଣ ନିର୍ବାଚନରେ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ 5ଟି ଲୋକସଭା ଆସନରୁ ବିଜେପି ଏବଂ ବିଜେଡି ଦୁଇଟି ଲେଖାଏଁ ଆସନ ଜିତିଥିଲେ । ତେବେ ଯଦିଓ ବିଜେପି ରାଜ୍ୟରେ ଆସିଦିବାସୀଙ୍କ ଆସ୍ଥା ଭାଜନରେ ଏଯାଏଁ ସମ୍ପୂର୍ଣ୍ଣ ସଫଳ ହୋଇପାରିନାହିଁ, ତଥାପି ଦଳ କେଉଁଠି ନା କେଉଁଠି ବିଜେଡିର ଆଦିବାସୀ ଗଡରେ ନିଜର ଦୃଢ ସ୍ଥିତି ଜାହିର ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି ।
ଆଦିବାସୀ ସଂରକ୍ଷିତ 5 ଲୋକସଭା ଆସନରେ ବର୍ତ୍ତମାନର ସ୍ଥିତି-2019 ସାଧାରଣ ନିର୍ବାଚନରେ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ପାଞ୍ଚଟି ଲୋକସଭା ଆସନରୁ ବିଜେପି ମୟୂରଭଞ୍ଜ ଓ ସୁନ୍ଦରଗଡ ଜିତିଥିବାବେଳେ ନବରଙ୍ଗପୁର ଓ କେନ୍ଦୁଝରରେ ବାଜି ମାରିଥିଲା ବିଜେଡି । ତେବେ କଂଗ୍ରେସ କେବଳ କୋରାପୁଟ ହାତେଇବାରେ ସକ୍ଷମ ହୋଇଥିଲା । ବର୍ତ୍ତମାନର ସ୍ଥିତିକୁ ଯଦି ଲକ୍ଷ କରିବା ତେବେ ମୟୂରଭଞ୍ଜରେ 59 ପ୍ରତିଶତ ଆଦିବାସୀ ଜନସାଧାରଣ ବସବାସ କରନ୍ତି । ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅନ୍ତର୍ଗତ 7ଟି ବିଧାନସଭା ଆସନ ମଧ୍ୟରୁ 5ଟି ଆସନକୁ ଗତ ନିର୍ବାଚନରେ ବିଜେପି ନିଜ ଦଖଲକୁ ନେଇଥିଲା । ଏହି ଆସନରେ ବିଜେପିର ସ୍ଥିତି ଭଲ ରହିଛି । 2019ରେ ବିଜେପିର ଭୋଟ ପ୍ରତିଶତ 40.7 ରହିଥିଲା । ଏଠାରୁ ସାଂସଦ ବିଶେଶ୍ବର ଟୁଡୁ କେନ୍ଦ୍ରରେ ମନ୍ତ୍ରୀ ରହିଛନ୍ତି ଏବଂ ଦଳୀୟ ସଂଗଠନ ମଧ୍ୟ ଆପାତତଃ ମଜବୁତ ରହିଛି । ସବୁଠୁ ବଡ କଥା ହେଉଛି ଯେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଘର ମଧ୍ୟ ମୟୂରଭଞ୍ଜରେ । ତେବେ ମୁର୍ମୁ ଫ୍ୟାକ୍ଟର ନିଶ୍ଚିତ ଭାବରେ ବିଜେପିକୁ ଲାଭ ପହଞ୍ଚାଇବ । ଆଗାମୀ ନିର୍ବାଚନରେ ମଧ୍ୟ ପୁନର୍ବାର ମୟୂରଭଞ୍ଜରେ ଦଳ ଭଲ ମାର୍ଜିନରେ ବିଜୟଲାଭ କରିବ ବୋଲି ବିଜେପି ଆଶାବାଦୀ ରହିଛି ।
କେନ୍ଦୁଝରରେ 48.4% ଆଦିବାସୀ ଭୋଟର ରହିଛନ୍ତି । ଏଠାରେ ବିଜେଡି ଆଦିବାସୀ ଯୁବ ଚେହେରା ଭାବରେ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରି 2019ରେ ବାଜି ଜିତିଥିଲା । ଏଥର ମଧ୍ୟ ଦଳ ଚନ୍ଦ୍ରାଣୀଙ୍କୁ ଟିକଟ ଦେବାନେଇ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷେ ପୂର୍ବତନ ସାଂସଦ ଅନନ୍ତ ନାଏକଙ୍କୁ କ୍ରାମାଗତ 2014 ଓ 2019ରେ ଟିକେଟ ଦେଇ ନିରାଶ ହୋଇଛି ବିଜେପି । ରାଷ୍ଟ୍ରୀୟ ଜନଜାତି ଆୟୋଗର ସଦସ୍ୟ ଥିବା ଅନନ୍ତ ନାଏକ ଅନେକ ଥର ଆଦିବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ତେବେ ବିଜେଡି ହାତରେ ଥିବା କେନ୍ଦୁଝରକୁ କବଜା କରିବା ପାଇଁ ବିଜେପି ଏଥର ପ୍ରାର୍ଥି ଚୟନରେ ପରିବର୍ତ୍ତନ କରିପାରେ ।
ସେହିପରି ସୁନ୍ଦରଗଡରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ପାଖାପାଖି 51.5 ପ୍ରତିଶତ ରହିଛି । ଏଠାରେ ବିଜେପିରୁ ଜୁଏଲ ଓରାମ ସାଂସଦ ରହିଛନ୍ତି । ଜୁଏଲ ଏହି ଆସନରୁ 3ଥର ସାଂସଦ ରହିଥିଲେସୁଦ୍ଧା ଏବେ ତାଙ୍କ ପ୍ରଭାବ କମୁଥିବା ଦେଖିବାକୁ ମିଳୁଛି । 2019ରେ 45.45 ପ୍ରତିଶତ ଭୋଟ ସେୟାର ସହିତ ଏଠାରେ ଦୃଢ ସ୍ଥିତିରେ ରହିଥିଲା ବିଜେପି । ହେଲେ ସାଂଗଠନିକ ସ୍ତରରେ ସାଂସଦ ଜୁଏଲ ଓରାମଙ୍କ ପ୍ରଭାବ ହ୍ରାସ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ । ସେପଟେ ବିଜେଡି ଏଥର ଦୀଲ୍ଲିପ ତିର୍କୀଙ୍କୁ ପ୍ରାର୍ଥୀ କରିବା ନେଇ ମନ ସ୍ଥିର କରିଥିବା ଜଣାପଡିଛି ।
ସେପଟେ କୋରାପୁଟର କଥା ଯଦି କହିବା ତାହେଲେ ଏଠାରେ 52 ପ୍ରତିଶତ ଆଦିବାସୀ ଭୋଟର ରହିଛନ୍ତି । କୋରାପୁଟ ଏବେ କଂଗ୍ରେସର ଦଖଲରେ ରହିଛି । ଏଠାରୁ ସାଂସଦ ରହିଛନ୍ତି ସପ୍ତିଗିରି ଉଲାକା । ଗତ ନିର୍ବାଚନରେ ଏହି ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ବିଜେଡି 35.3 ପ୍ରତିଶତ ଭୋଟ ସେୟାର ପାଇଥିବାବେଳେ କଂଗ୍ରେସ 35.6 ପ୍ରତିଶତ ଭୋଟ ସହିତ ଆଗୁଆ ରହି କୋରାପୁଟ ହାତେଇଥିଲା । ହେଲେ ଏଠାରେ ବିଜେପି 19.8 ପ୍ରତିଶତ ଭୋଟ ହାସଲ କରି ତୃତୀୟ ସ୍ଥାନରେ ରହିଥିଲା । ଆଦିବାସୀ ବହୁଳ କୋରାପୁଟର ଅନେକ ଗାଁରେ ଲୋକେ ଏବେ ବି ମୌଳିକ ସମସ୍ୟା ଭିତରେ ସଂଘର୍ଷ କରୁଛନ୍ତି । କୋଟିଆରେ ସୀମା ବିବାଦ ଲାଗି ରହିଛି । ଏସବୁ ଭିତରେ ବିଜେଡି ବିକାଶ ପ୍ରସଂଗରେ ବ୍ୟାକଫୁଟକୁ ଆସିପାରେ । ଯେହେତୁ କୋରାପୁଟ କଂଗ୍ରେସର ପକେଟ ଭୋଟ ରହିଛି, ତେଣୁ କଂଗ୍ରେସକୁ ନିଜ ଗଡ ବଞ୍ଚାଇବା ଟିକିଏ ସହଜ ହେବ । ଅନ୍ୟପକ୍ଷେ କୋରାପୁଟରେ ବିଜେପିର କୌଣସି ଚେହେରା ନଥିବାରୁ ଦଳକୁ ଏଠାରେ ବିଜୟର ଆଶା କ୍ଷୀଣ ।