ଲେଖକ- ଶୈଳଜା ପିଭିଏସ (ସହକାରୀ ପ୍ରଫେସର, ଡକ୍ଟର ବି.ଆର ଆମ୍ବେଦକର ଆଇନ ମହାବିଦ୍ୟାଳୟ)
ହାଇଦ୍ରାବାଦ:ସମୟ ମଧ୍ୟରେ ନ୍ୟାୟ ନ ମିଳିବା ଅର୍ଥ 'ଅନ୍ୟାୟ' ସହିତ ସମାନ । ଏହା ପରସ୍ପର ସହିତ ପରିପୂରକ । ଆଇନଗତ ଶାସନ ବଜାୟ ରଖିବା ସହ ନ୍ୟାୟ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ସଠିକ ସମୟ ମଧ୍ୟରେ ଦୋଷୀଙ୍କୁ ଦଣ୍ଡ ଓ ଆବେଦନକାରୀଙ୍କୁ ନ୍ୟାୟ ମିଳିବା ଆବଶ୍ୟକ । ଭାରତର ସମ୍ବିଧାନର ଧାରା ୨୧ ଅନୁଯାୟୀ ତ୍ବରିତ ଶୁଣାଣି ଭାରତୀୟ ନାଗରିକଙ୍କୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରିଥାଏ । ଏହା ସତ୍ତ୍ବେ ସାରା ଦେଶର ଅନେକ ମାମଲା ବର୍ଷ ବର୍ଷ ଧରି ବିଚାରଧୀନ ରହୁଥିବା ବେଳେ କୋର୍ଟ କଚେରୀ ଦୌଡ଼ି ଦୌଡ଼ି ଲୋକଙ୍କ ଜୋତା ଛିଡୁଛି । କେହି କେହି ନ୍ୟାୟ ପାଇବା ପୂର୍ବରୁ ସ୍ବର୍ଗଗାମୀ ହେଉଛନ୍ତି । ଏଭଳି ସ୍ଥିତିରେ ଆଇନଜୀବୀ ପରିବର୍ତ୍ତନର ସ୍ବର ହୋଇପାରନ୍ତି । ଆଇନଜୀବୀଙ୍କ ସକରାତ୍ମକ ଭୂମିକା ନ୍ୟାୟିକ ବ୍ୟବସ୍ଥାରେ ଆଣିପାରେ ପରିବର୍ତ୍ତନ ।
ବିଶ୍ବର ସର୍ବ ପୁରାତନ ବୃତ୍ତି ହେଉଛି ଓକିଲାତି ବୃତ୍ତି । ପୁରାତନ କାଳରୁ ଏହା ସର୍ବୋତ୍ତମ ବୃତ୍ତି ଭାବରେ ପରିଗଣିତ ହୋଇଛି । କୌଣସି ବି ସରକାର ଆଇନ ଏବଂ ଆଇନ ବୃତ୍ତି ବିନା ସରକାର ଚଲାଇ ପାରିବେ ନାହିଁ । ଆଜି ଦେଶରେ ବିଦ୍ୟମାନ ଥିବା ଭାରତୀୟ ଆଇନ ବୃତ୍ତି ଅଷ୍ଟଦଶ ଶତାବ୍ଦୀରେ ବ୍ରିଟିଶମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଆଇନ ବ୍ୟବସ୍ଥା । ୧୯୫୧ ମସିହାରେ ଏସ.ଆର ଦାସଙ୍କ ନେତୃତ୍ବରେ ଅଲ ଇଣ୍ଡିଆ ବାର୍ କମିଟି ଗଠନ କରାଯାଇଥିଲା । ଆଡଭୋକେଟ୍ ଆକ୍ଟ ୧୯୬୧ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ ହୋଇଥିଲା ଏବଂ ସେହି ଦିନଠାରୁ ଏହା ଭାରତରେ କାର୍ଯ୍ୟକାରୀ ହୋଇଆସୁଛି । ଏହା ଦେଶରେ ଆଇନ ବୃତ୍ତିରେ ପରିବର୍ତ୍ତନ ଆଣିଥିଲା, ଯେଉଁଥିରେ ୧.୪ ମିଲିୟନ ବା ୧୪ ଲକ୍ଷରୁ ଅଧିକ ଓକିଲ ନାମାଙ୍କନ ଭରିଥିଲେ ।
ଭାରତରେ ନ୍ୟାୟିକ ବ୍ୟବସ୍ଥା ଖରାପ ସ୍ଥିତିରେ ରହିଛି । କାରଣ ଗତ କିଛି ଦଶନ୍ଧି ମଧ୍ୟରେ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଏହି ବ୍ୟବସ୍ଥା ତୁରନ୍ତ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛି । ଏକ ପ୍ରସିଦ୍ଧ ଲୋକକଥା ରହିଛି 'ନ୍ୟାୟ ପ୍ରଦାନରେ ବିଳମ୍ବ ଅର୍ଥ ନ୍ୟାୟକୁ ପ୍ରତ୍ୟାଖ୍ୟାନ' । ବିଭିନ୍ନ କୋର୍ଟରେ ୩ କୋଟି ମାମଲା ବିଚାରାଧୀନ ଅଛି । କୋର୍ଟ ବ୍ୟବସ୍ଥା ମାଧ୍ୟମରେ ଦେଖିଲେ ଏହି ମାମଲାର ସମାଧାନ ପାଇଁ ହାରାହାରି ୧୫ ବର୍ଷ ସମୟ ଲାଗିପାରେ । ଯାହାକି ନ୍ୟାୟିକ ବ୍ୟବସ୍ଥାକୁ ସନ୍ତୋଷଜନକ କୁହାଯାଇପାରିବ ନାହିଁ।