ହାଇଦ୍ରାବାଦ:ସୌନ୍ଦର୍ଯ୍ୟ ଓ ସମୃଦ୍ଧଶାଳୀ ଓଡ଼ିଶାକୁ ତାର ସଂସ୍କୃତି ଓ ସୌହାର୍ଦ୍ଦ୍ୟ ପାଇଁ ଲୋକେ ଜାଣନ୍ତି । ପର୍ଯ୍ୟଟକ ପ୍ରିୟ ଓଡ଼ିଶା ଦେଶ ଓ ବିଦେଶରେ ନିଜର ସଭ୍ୟତା ଓ ସମ୍ମାନ ପାଇଁ ବେଶ୍ ଜଣାଶୁଣା । ରାଜ୍ୟ ବାହାରେ ଓଡ଼ିଶା କହିଲା ମାନେ ହିଁ ଲୋକେ ଜଗାର ରାଜ୍ୟ କହି ଲୋକେ ମୁଣ୍ଡ ନୁଆଁଇ ଦେଇଥାଆନ୍ତି । ଏମିତି ବି କୁହନ୍ତି ଯେ, ଆପଣ ଓଡ଼ିଶାରୁ ଆସିଛନ୍ତି, ସେଠାରେ ତ ବହୁତ ସୁନ୍ଦର ସୁନ୍ଦର ଜାଗା ଅଛି ଦେଖିବାକୁ । ସବୁଆଡେ ହାଏ, ହାଲୋ ଚାଲୁଥିବାବେଳେ ଓଡ଼ିଶାରେ ଜୟ ଜଗନ୍ନାଥ କୁହାଯାଏ । କାଳିଆ ଯେପରି, ତାର ଓଡ଼ିଶାବାସୀ ମଧ୍ୟ ସେହିପରି ହୋଇଥିବେ ବୋଲି ରାଜ୍ୟ ବାହାର ଲୋକେ ଭାବନ୍ତି । କିନ୍ତୁ କିଛି ଦୁଷ୍ଟ ପ୍ରକୃତିର ଲୋକଙ୍କ ପାଇଁ ଓଡ଼ିଶା ଆଜି ବଦନାମ୍ ହେବାକୁ ବସିଛି । ବର୍ତ୍ତମାନ ଓଡ଼ିଶାର କୌଣସି ବି ପର୍ଯ୍ୟଟନସ୍ଥଳ ବୁଲିବାକୁ ଆସିବାବେଳେ ଜଣେ ରାଜ୍ୟ ବାହାର ପର୍ଯ୍ୟଟକ ଶହେ ଥର ଭାବିବ ।
ପର୍ଯ୍ୟଟନସ୍ଥଳରେ ନିୟୋଜିତ ଥିବା କିଛି କର୍ମଚାରୀଙ୍କ ଔଦ୍ଧତ୍ୟ ପାଇଁ ପୁରା ଓଡ଼ିଶା ଏବେ ଚର୍ଚ୍ଚାରେ । ଚାରିଆଡେ ଆଲୋଚନା ଓ ପର୍ଯ୍ୟାଲୋଚନା । ସୋସିଆଲ ମିଡିଆରେ ଲୋକେ ଓଡ଼ିଶା ପର୍ଯ୍ୟଟନସ୍ଥଳ ବାବଦରେ ବିଭିନ୍ନ କଟୁ ମନ୍ତବ୍ୟ ଦେଉଛନ୍ତି । ଏମିତି ଘଟଣା ଆଗରୁ ବହୁବାର ହୋଇଥିଲେ ମଧ୍ୟ, ବର୍ତ୍ତମାନର ନନ୍ଦନକାନନ ଘଟଣା ଏବେ ପୁରା ଓଡ଼ିଶାକୁ ବଦନାମ କରିଦେଇଛି । ପଡୋଶୀ ଛତିଶଗଡର ପର୍ଯ୍ୟଟକଙ୍କୁ ମାଡ ମାରି କେବଳ ନନ୍ଦନକାନନ କାହିଁକି ପୁରା ସମଗ୍ର ଓଡ଼ିଶା ଏବେ ଆଲୋଚନାର ଶରବ୍ୟ ପାଲଟିଛି ।
ପୂର୍ବରୁ ପୁରୀ ମନ୍ଦିରରେ ଏହି ପ୍ରକାରର ଘଟଣା ଦେଖିବାକୁ ମିଳୁଥିଲା । କିନ୍ତୁ ପ୍ରଶାସନର ଦୃଢ କାର୍ଯ୍ୟାନୁଷ୍ଠାନ ଓ ମନ୍ଦିର ସେବାୟତଙ୍କ ଯୋଗୁଁ ଏହି ଘଟଣା ଏବେ ଆଉ ଦେଖିବାକୁ ମିଳୁନାହିଁ । କଥାରେ ଅଛି ଅତିଥି ଦେବୋ ଭବଃ । ରାଜ୍ୟ ବାହାରର ଅତିଥି ଭଗବାନ ସମାନ । ସେମାନେ କେମିତି ସପରିବାର ସହ ପର୍ଯ୍ୟଟନସ୍ଥଳ ବୁଲି ଭଲରେ ଭଲରେ ନିଜ ରାଜ୍ୟକୁ ଫେରି ପାରିବେ, ତାହା ଆମର ପରମ କର୍ତ୍ତବ୍ୟ । କାହିଁକିନା ତାଙ୍କ ଆଗମନ ଯୋଗୁଁ ଆମ ରାଜ୍ୟର ପର୍ଯ୍ୟଟନ ରାଜସ୍ବ ବଢିଥାଏ । ଓଡ଼ିଶା ପୁରା ବିଶ୍ବ ଦରବାରରେ ପରିଚିତ ହୋଇପାରିଥାଏ । ଯଦି ତାଙ୍କ ସହ ଆମେ ଏ ପ୍ରକାରର ଅଭଦ୍ରାମି କରିବା, ତେବେ ଏହା କେତେ ଦୂର ଯୁକ୍ତି ସଂଙ୍ଗତ ହେବ । ଓଡ଼ିଶା ନାଁ ଶୁଣିଲେ ଲୋକେ ଡରିବେ । କେବଳ ଛତିଶଗଡବାସୀ ନୁହେଁ, କୌଣସି ରାଜ୍ୟର ପର୍ଯ୍ୟଟକ ମଧ୍ୟ ଓଡ଼ିଶା ଆସିବେ ନାହିଁ । ତେଣିକି ସେ ପୁରୀ ହେଉ କିମ୍ବା କୋଣାର୍କ । ପର୍ଯ୍ୟଟକ ଆସିବା ପୂର୍ବରୁ ଶହେ ଥର ଭାବିବାକୁ ବାଧ୍ୟ ହେବେ ।
ଏହା ବି ପଢନ୍ତୁ:ନନ୍ଦନକାନନରେ ଛତିଶଗଡ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା, ୩ ଗିରଫ
ଆଗକୁ ଓଡ଼ିଶାର ଗଣପର୍ବ ରଜ ଆସୁଛି । ବର୍ଷର ଏହା ଏକ ଏମିତି ଦିନ, ଯେଉଁଦିନ ନନ୍ଦନକାନନରେ ଶତାଧିକ ଭିଡ ଦେଖାଯାଏ । କାହିଁ କେଉଁ ଆଡୁ ଯାତ୍ରୀ ଆସିଥାଆନ୍ତି । ଯଦି ଓଡ଼ିଶା ବାହାର ଲୋକ ଏଠାରେ ସୁରକ୍ଷିତ ନାହାଁନ୍ତି, ତେବେ ଓଡ଼ିଶାବାସୀ ବା କିପରି ହୋଇପାରିବେ । କିଏ କେଉଁ ଭରସାରେ ଏଠାକୁ ଆସିବେ । ଯଦି ଏହିପରି ଲାଗି ରୁହେ, ତାହେଲେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳରେ କେବଳ ଓଡ଼ିଶାବାସୀ ହିଁ ଥିବେ, ଅନ୍ୟ ରାଜ୍ୟର ପର୍ଯ୍ୟଟକ ନ ଥିବେ ।