ହାଇଦ୍ରାବାଦ:ସେପ୍ଟେମ୍ବର ମାସ ଶେଷ ହେବାକୁ ବସିଥିବା ବେଳେ ସେପଟେ ଦେଶରୁ ବିଦାୟ ନେଉଛି ଚଳିତ ବର୍ଷର ମୌସୁମୀ । ସେପ୍ଟେମ୍ବର 30ରେ ଚଳିତ ବର୍ଷର ଶେଷ ବର୍ଷା ହୋଇଛି । ପାଣିପାଗ ବିଭାଗ ଅନୁଯାୟୀ ଏହା 'ସ୍ବାଭାବିକଠାରୁ କମ୍' ଥିଲା । ସେପ୍ଟେମ୍ବର 29 ପର୍ଯ୍ୟନ୍ତ ସମଗ୍ର ଦେଶରେ ବୃଷ୍ଟିପାତ ମୋଟ ବୃଷ୍ଟିପାତର ହାରାହାରି (LPA)ର 6% ଥିଲା । ଏହାର ଅର୍ଥ ହେଉଛି ଦେଶରେ ସ୍ବାଭାବିକ ବର୍ଷା 856 ମିଲିମିଟର ତୁଳନାରେ ଚଳିତ ବର୍ଷ 814.9 ମିମି ବର୍ଷା ରେକର୍ଡ କରାଯାଇଛି ।
ଆସନ୍ତୁ ମୌସୁମୀ ଆଗମନ ସମୟକୁ ଫେରିଯିବା । ଚଳିତ ବର୍ଷ ପ୍ରଶାନ୍ତ ମହାସାଗରରେ El Nino (ସମୁଦ୍ର ପୃଷ୍ଠର ଉତ୍ତାପ ବୃଦ୍ଧି) ସହିତ ଏହି ବର୍ଷର ମୌସୁମୀ ଋତୁ ଆରମ୍ଭ ହୋଇଥିଲା । ମୌସୁମୀ ଋତୁର ଦ୍ବିତୀୟାର୍ଦ୍ଧରେ ଏଲ୍ ନିନୋର ତୀବ୍ରତା ଯୋଗୁଁ ମୌସୁମୀ ବର୍ଷା ହ୍ରାସ ପାଇବା ନେଇ ପୂର୍ବରୁ ପାଣିପାଗ ବିଶେଷଜ୍ଞ ସୂଚନା ଦେଇଥିଲେ । ତଥାପି ମୌସୁମୀ ସେପ୍ଟେମ୍ବରରେ ନିଜ ଶକ୍ତି ଦେଖାଇଥାଏ, ଅର୍ଥାତ ବର୍ଷାର ପରିମାଣ ବଢାଇଥାଏ । ତେବେ ସେପ୍ଟେମ୍ବରରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ 2ଟି ନିମ୍ନ ଚାପ ରେଖା ମୌସୁମୀ ବର୍ଷାକୁ ପୁନର୍ଜୀବିତ କରିଥିଲା । ଏହି କାରଣରୁ ଦେଶ ମରୁଡ଼ି ସମସ୍ୟାରୁ ରକ୍ଷା ପାଇବାର ସମ୍ଭାବନା ସୃଷ୍ଟି ହୋଇଥିଲା ।
ମୌସୁମୀ ଋତୁର 4ର୍ଥ ମାସ ବେଶ ଗୁରୁତ୍ବପୂର୍ଣ୍ଣ ରହିଥାଏ । ଚଳିତ ବର୍ଷ ବିଳମ୍ବରେ ଆସିଥିବା ମୌସୁମୀ ଯୋଗୁଁ ଜୁନରେ ଅଳ୍ପ ବର୍ଷା ହୋଇଥିଲା । ଯାହାକି ହାରାହାରି 10 ପ୍ରତିଶତରୁ କମ ରେକର୍ଡ କରାଯାଇଥିଲା । ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ 'ବିପର୍ଯ୍ୟୟ' ଜୁନ ମାସରେ ମୌସୁମୀ ପ୍ରଗତିରେ ବାଧା ସୃଷ୍ଟି କରିଥିଲା । ଫଳରେ ଦେଶରେ ଅଭାବ ବର୍ଷାର ହାରାହାରି ପ୍ରତିଶତ 2 ଅଙ୍କକୁ ଖସିଥିଲା । ମୌସୁମୀ ବର୍ଷାର ଅଭାବ ପୂର୍ବ ଭାରତରେ ଅତ୍ୟଧିକ ତାପ ସୃଷ୍ଟି ହୋଇଥିଲା । ମୌସୁମୀ ବର୍ଷା ଲାଗି ଅଗଷ୍ଟ ମାସ ମଧ୍ୟ ବେଶ ଗୁରୁତ୍ବ ବହନ କରିଥାଏ । ହେଲେ ଚଳିତ ବର୍ଷ ଅଗଷ୍ଟରେ ମଧ୍ୟ ଖୁବ କମ ବର୍ଷା ହୋଇଥିଲା । ଅଗଷ୍ଟରେ ଗୁଜୁରାଟ, କେରଳ, ରାଜସ୍ଥାନ, କର୍ଣ୍ଣାଟକ, ତେଲେଙ୍ଗାନାରେ ବର୍ଷାର ଅଭାବ ପରିଲକ୍ଷିତ ହୋଇଥିଲା ।
କ୍ଷେତ୍ର ଅନୁଯାୟୀ ବୃଷ୍ଟିପାତ:-ମୌସୁମୀ ବର୍ଷାରେ ଅଧିକ ଯୋଗଦାନ କରୁଥିବା ଦକ୍ଷିଣ ପେନିନସୁଲା ଏବଂ ପୂର୍ବ ଓ ଉତ୍ତରପୂର୍ବ ଭାରତରେ ମଧ୍ୟ ଅଭାବୀ ବର୍ଷା ଚିନ୍ତାର କାରଣ ପାଲଟିଥିଲା । ରାଜ୍ୟରେ ଅଭାବୀ ବର୍ଷାର ପରିମାଣ ଦେଖିଲେ କେରଳରେ 36% କମ ବର୍ଷା ହୋଇଥିବା ବେଳେ ଝାଡ଼ଖଣ୍ଡ ଓ ବିହାରରେ ଯଥାକ୍ରମେ 27% ଓ 24% କମ ବର୍ଷା ହୋଇଥିଲା । ଦେଶର 36ଟି ପାଣିପାଗ ସବଡିଭିଜନ୍ ମଧ୍ୟରୁ 26ଟି ସବଡିଭିଜନ୍ରେ ସ୍ବାଭାବିକ ବର୍ଷାର ପରିମାଣ 73% ରହିଥିବା ବେଳେ 7ଟି ସବଡିଭିଜନ୍ରେ 18% ଓ ବାକି 3ଟି ସବଡିଭିଜନ୍ରେ 7% ଆବଶ୍ୟକଠାରୁ ଅଧିକ ବର୍ଷା ହୋଇଥିଲା ।
ଏହା ବି ପଢନ୍ତୁ- Climate Change: ବଦଳୁଛି ପାଗର ମିଜାଜ୍, ଚିନ୍ତା ବଢାଉଛି ହିଟୱେଭ
2023 ମୌସୁମୀରେ ପ୍ରମୁଖ ଅବଦାନ ଦେଶର ଅସାଧାରଣ ଅଞ୍ଚଳରୁ ଆସିଥିଲା । ରାଜସ୍ଥାନର ପଶ୍ଚିମାଞ୍ଚଳରୁ 42% ଅଧିକ ବୃଷ୍ଟିପାତ ରେକର୍ଡ କରାଯାଇଥିବା ବେଳେ ଗୁଜୁରାଟର ସୌରାଷ୍ଟ୍ର ଏବଂ କୁଚ୍ଛ ଅଞ୍ଚଳରେ 48% ଅଧିକ ବର୍ଷା, ହିମାଚଳ ପ୍ରଦେଶ 19% ଏବଂ ତେଲେଙ୍ଗାନା 15% ରେକର୍ଡ ହୋଇଥିଲା । ଏହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ 2023 ମୌସୁମୀରେ ଏମାନଙ୍କ ଯୋଗଦାନ ରହିଥିଲା । ସେପ୍ଟେମ୍ବରରେ ବର୍ଷାର ପରିମାଣ 11% କମ ରହିଛି । ସେପ୍ଟେମ୍ବର 1ରୁ 29 ପର୍ଯ୍ୟନ୍ତ ବର୍ଷାର ପରିମାଣ -6% ରହିଥିଲା । ସେପ୍ଟେମ୍ବରରେ ମଧ୍ୟ ଦକ୍ଷିଣ ପେନିନସୁଲା ଏବଂ ପୂର୍ବ ଓ ଉତ୍ତରପୂର୍ବ ଭାରତରେ ବର୍ଷାର ଅଭାବ ଦେଖିବାକୁ ମିଳିଥିଲା ।
ଜଳବାୟୁ ପରିବର୍ତ୍ତନର ପ୍ରଭାବ:-ବିଶେଷଜ୍ଞଙ୍କ କହିବା ଅନୁସାରେ ମୌସୁମୀ ବର୍ଷାର ଅଭାବ ଲାଗି ଜଳବାୟୁ ପରିବର୍ତ୍ତନ ହିଁ ଦାୟୀ । ମୌସୁମୀ ଋତୁରେ ବର୍ଷାର ପରିମାଣ ବୃଦ୍ଧି ଓ ହ୍ରାସ ଏକ ସାଧାରଣ ପ୍ରକ୍ରିୟା । ହେଲେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହା ଦ୍ବିଗୁଣିତ ହୋଇଛି । ଋତୁରେ ଏଭଳି ପରିବର୍ତ୍ତନ ଯୋଗୁଁ ଏବେ ମରୁଡ଼ି, ବନ୍ୟା ଭଳି ସ୍ଥିତି ଉପୁଜିବାର ସମ୍ଭାବନା ରହିଛି । ଯାହାକି ଜଳାଭାବ ଓ ଖାଦ୍ୟ ସୁରକ୍ଷାକୁ ଆହ୍ବାନ କରିଥାଏ । ଚଳିତ ବର୍ଷ ହିମାଚଳ ପ୍ରଦେଶରେ ଭୟଙ୍କର ବନ୍ୟା ଏହାର ଏକ ଉଦାହରଣ । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟରେ 100 ଜଣଙ୍କ ମୃତ୍ୟୁ ଘଟିଥିଲା । ସେପଟେ ହରିୟାଣା, ପଞ୍ଜାବ, ଦିଲ୍ଲୀରେ ବନ୍ୟା ଅନେକଙ୍କୁ ବେଘର କରିଥିଲା । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ନୂଆଦିଲ୍ଲୀରେ ବର୍ଷା 40 ବର୍ଷର ଇତିହାସକୁ ଭାଙ୍ଗିଥିଲା ।
ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟ୍ରପିକାଲ ମେଟେରୋଲୋଜିର ପାଣିପାଗ ବିଜ୍ଞାନୀ ଡକ୍ଟର ରକ୍ସି ମାଥ୍ୟୁ କୋଲ୍ କହିଛନ୍ତି, "ସ୍ଥଳ ଏବଂ ସମୁଦ୍ରର ତାପମାତ୍ରା କ୍ରମାଗତ ବୃଦ୍ଧି ଯୋଗୁଁ ଅଧିକ ସମୟ ଆର୍ଦ୍ରତା ରଖିବା ପାଇଁ ବାୟୁର କ୍ଷମତା ବୃଦ୍ଧି ପାଇଛି । ଏହା ପରବର୍ତ୍ତୀ ସମୟରେ ମୌସୁମୀ ବର୍ଷାର ତୀବ୍ରତାକୁ ପ୍ରଭାବିତ କରିଛି । ଉଦାହରଣ ସ୍ବରୂପ ଆରବ ସାଗରରେ ଜାନୁଆରୀରୁ ଉତ୍ତପ୍ତ ହୋଇ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଭାରତ ଉପରେ ଅଧିକ ଆର୍ଦ୍ରତା ସୃଷ୍ଟି କରିଥିଲା ।"
ଏଲ ନିନୋ (El Nino)ର ପ୍ରଭାବ:- ଚଳିତ ବର୍ଷ ଅଗଷ୍ଟରେ ଭାରତ ଦଶନ୍ଧି ମଧ୍ୟରେ ଦୀର୍ଘତମ 'ବ୍ରେକ୍ ମନସୁନ୍' ମଧ୍ୟରୁ ଗୋଟିଏ ଥିଲା । ଯାହାକି ସାଧାରଣ ମୌସୁମୀର ଗତି ଏବଂ ବୃଷ୍ଟିପାତକୁ ପ୍ରଭାବିତ କରିଥିଲା । 2023ରେ ମୌସୁମୀ ବର୍ଷାରେ ଅନିୟମିତତା ହୋଇ କେତେକ ଅଞ୍ଚଳରେ ଅଧିକ ବୃଷ୍ଟିପାତ ହୋଇଥିବାବେଳେ ଅନ୍ୟ କେତେକ ଅଞ୍ଚଳରେ ମରୁଡି ସ୍ଥିତି ଦେଖିବାକୁ ମିଳିଥିଲା ।
ଦୀର୍ଘକାଳୀନ ବ୍ରେକ୍ ମନସୁନ୍ ସ୍ଥିତି:-ଚଳିତ ବର୍ଷ ଦେଶ ଗତ ଦଶନ୍ଧି ମଧ୍ୟରେ ଅଗଷ୍ଟ ମାସରେ ତୃତୀୟ ଦୀର୍ଘତମ ବ୍ରେକ୍ ମନସୁନ୍ ଦେଖିଥିଲା । ପୂର୍ବରୁ 2002 ଓ 2009ରେ ଏପରି ସ୍ଥିତି ଉପୁଜିଥିଲା । ଅଗଷ୍ଟ 7 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ ମୌସୁମୀ ଗତିରେ ବାଧା ସୃଷ୍ଟି ହୋଇଥିଲା । ଏହା ପରେ ପୁଣି ଅଗଷ୍ଟ 27 ତାରିଖରେ ଦ୍ବିତୀୟ ବ୍ରେକ୍ ମନସୁନ୍ ବା ମୌସୁମୀର ଗତି ବାଧାପ୍ରାପ୍ତ ହୋଇଥିଲା ।
ଭବିଷ୍ୟତରେ ଏକ ସ୍ଥିର ଏବଂ ନିର୍ଭରଯୋଗ୍ୟ ମୌସୁମୀ ପ୍ରଣାଳୀ ସୁନିଶ୍ଚିତ କରିବା ପାଇଁ ଜଳବାୟୁ ପରିବର୍ତ୍ତନର ସ୍ଥାୟୀ ସମାଧାନ ଜରୁରୀ ହୋଇପଡ଼ିଛି ।