ହାଇଦ୍ରାବାଦ: ଜିଡିପି ଆଧାରରେ ଭାରତ ଦୁନିଆର ପଞ୍ଚମ ବୃହତ ଅର୍ଥନୈତିକ ରାଷ୍ଟ୍ର । ଭାରତ ଏହି ତାଲିକାରେ ବ୍ରିଟେନକୁ ମଧ୍ୟ ପଛରେ ପକାଇଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । ଖାଲି ସେତିକି ନୁହେଁ, ଭାରତର ଅର୍ଥନୀତି ବୃଦ୍ଧି ପାଇବାରେ ଲାଗିଛି । ଏସ ଆଣ୍ଡ ପି ଗ୍ଲୋବାଲ ମାର୍କେଟ ଇଣ୍ଟେଲିଜେନ୍ସି ଅନୁସାରେ ୨୦୨୩ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ଜର୍ମାନୀ ଓ ଜାପାନକୁ ପଛରେ ପକାଇ ଦୁନିଆର ତୃତୀୟ ସର୍ବବୃହତ ଅର୍ଥନୈତିକ ରାଷ୍ଟ୍ର ହେବ ।
ଆକଳନ ଅନୁସାରେ ସେତେବେଳେ ଭାରତର ଜିଡିପି ହାର ୭.୩ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ । ବର୍ତ୍ତମାନ ଏହା ୩.୫ ଟ୍ରିଲିୟନ ଡଲାର ରହିଛି । ଏହି ଆକଳନ ନିଶ୍ଚିତ ଦେଶବାସୀଙ୍କ ଲାଗି ଆନନ୍ଦଦାୟକ ଯେ ବିଶ୍ବ ଅର୍ଥନୈତିକ ସ୍ତରରେ ଚୀନ ଏବଂ ଆମେରିକାରେ କେବଳ ୨ଟି ଦେଶ ଭାରତଠାରୁ ଆଗରେ ରହିବେ । କିନ୍ତୁ ଏହି ଆକଳନଗୁଡ଼ିକର ଆଉ ଏକ ଦିଗ ରହିଛି । ଏହି ଆକଳନ ଅନୁଯାୟୀ ମୁଣ୍ଡପିଛା ଆୟ ଆଧାରରେ ଭାରତର ମାନ୍ୟତା ନିମ୍ନ ମଧ୍ୟମ ଆୟ ଦେଶ ତୁଳନାରେ ମଧ୍ୟ କମ । ଏହା ଏଠାରେ ଆୟର ଅସମାନତାକୁ ଦର୍ଶାଏ । ଜି-୨୦ ଦେଶ ମଧ୍ୟରେ ଭାରତ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଦେଶ । ଅକ୍ସଫାମ ଅନୁଯାୟୀ ୨୦୨୨ ମସିହାରେ ଭାରତରେ ୩୫ କୋଟି ନାଗରିକ କ୍ଷୁଧାର ଶିକାର ହୋଇଥିଲେ । ୨୦୧୮ରେ ଏହି ସଂଖ୍ୟା୧୯ କୋଟି ଥିଲା ।
ଅର୍ଥନୈତିକ ଅଭିବୃଦ୍ଧି ବ୍ୟତୀତ ଆହୁରି ଅନେକ ଆହ୍ବାନ ରହିଛି । ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଅନେକ ପରିବାର ମୌଳିକ ସୁବିଧା ପାଇପାରୁ ନାହାଁନ୍ତି । ସ୍ବାସ୍ଥ୍ୟ ସୁବିଧା ସେମାନଙ୍କ ପାଇଁ ଉପଲବ୍ଧ ହୋଇପାରି ନଥିବା ବେଳେ ସେ ଏହି ସୁବିଧା ପର୍ଯ୍ୟନ୍ତ ପହଞ୍ଚି ପାରୁନାହାନ୍ତି । ଆହୁରି ଏକ ଆକଳନ ମଧ୍ୟ କରାଯାଇଛି ଯେ ୫୨ ପ୍ରତିଶତ ଭାରତୀୟ ନିଜ ପକେଟରୁ ସ୍ବାସ୍ଥ୍ୟ ସେବା ପାଇଁ ଖର୍ଚ୍ଚ କରୁଛନ୍ତି ଏବଂ ଏହି କାରଣରୁ ପ୍ରତିବର୍ଷ ୬ କୋଟି ଲୋକ ଦାରିଦ୍ର ସୀମାରେଖା ତଳେ ରହୁଛନ୍ତି ।
ଏହା ବି ପଢନ୍ତୁ- ଉପଯୁକ୍ତ କାର୍ଯ୍ୟ ଓ ସାମାଜିକ ସୁରକ୍ଷା ସହ ଦାରିଦ୍ର୍ୟ ନିବାରଣ
ଏହାବାଦ ମୁଦ୍ରାସ୍ଫୀତି ସେମାନଙ୍କ ଲାଗି ବୋଝ ଉପରେ ନଳିତା ବିଡା ସଦୃଶ ହେଉଛି । କୋଭିଡ ପରେ ବେତନ ହାର ବୃଦ୍ଧି କରାଯାଇଥିଲେ ସୁଦ୍ଧା ଏପରି ସ୍ଥିତି ସୃଷ୍ଟି ହୋଇଛି । ଅର୍ଥନୈତିକ ଅଭିବୃଦ୍ଧି ସହିତ ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ପରିଶେଷରେ ଦେଶର ଏହି ଅର୍ଥନୈତିକ ସଫଳତା ପାଇଁ କିଏ ଗର୍ବ କରିବ ? ଜିଡିପି ହାର ବୃଦ୍ଧି କୌଣସି ବି ଦେଶର ବିକାଶକୁ ଦର୍ଶାଇଥାଏ । କିନ୍ତୁ ଏହା ଉକ୍ତ ଦେଶର ବିକାଶର ଏକମାତ୍ର ଦୃଷ୍ଟାନ୍ତ ହୋଇପାରିବ ନାହିଁ । ଆର୍ଥିକ ବିକାଶ ନେଇ ଅନ୍ୟ ଦେଶ ସହ ତୁଳନା କଲେ, ଭାରତ ଆଗରେ ରହିଛି ସତ । ହେଲେ ସମାଜର ସାମଗ୍ରିକ ବିକାଶ ଦେଖିଲେ, ଏହା ସୀମିତ ରହିଛି ।
କୌଣସି ଦେଶର ପ୍ରକୃତ ରାଷ୍ଟ୍ରୀୟ ସମ୍ପତ୍ତି କେବଳ ଅର୍ଥ ସଂଗ୍ରହ ଦ୍ବାରା ସୃଷ୍ଟି ହୁଏ ନାହିଁ, ବରଂ ସେଠାରେ ରହୁଥିବା ଲୋକଙ୍କ ଜୀବନଶୈଳୀରେ କ୍ରମାଗତ ଉନ୍ନତି ଦ୍ବାରା ସୃଷ୍ଟି ହୁଏ । ଯଦି କିଛି ଲୋକଙ୍କ ଆର୍ଥିକ ସ୍ଥିତି ସୁଧୁରିବାରେ ଲାଗିଛି ଏବଂ ଆମେ ଏହାକୁ ଆମ ଦେଶ ଆର୍ଥିକ ବିକାଶ ହେଉଛି ବୋଲି କହିବା ତେବେ ଏହା ସଫଳତାର ମାନଦଣ୍ଡ ହୋଇପାରିବ ନାହିଁ । ଯେକୌଣସି ରାଷ୍ଟ୍ରର ପ୍ରକୃତ ସମୃଦ୍ଧତା ଆୟ ବୃଦ୍ଧି ଏବଂ ଏହାର ଅଧିକାଂଶ ନାଗରିକଙ୍କ ଜୀବନଧାରଣ ମାନ ବୃଦ୍ଧି ଦ୍ବାରା ନିର୍ଣ୍ଣୟ କରାଯାଏ । ବର୍ତ୍ତମାନ ଦେଖାଯାଇଥିବା ପାର୍ଥକ୍ୟ ଚିନ୍ତାଜନକ । ଯେଉଁ ଦେଶ ଖାତା କଲମରେ ସମୃଦ୍ଧ ବୋଲାଯାଏ କିନ୍ତୁ ଉକ୍ତ ରାଷ୍ଟ୍ରର ବହୁ ଜନସଂଖ୍ୟା ସେମାନଙ୍କର ଭାଗ୍ୟ ସହିତ ଲଢୁଛନ୍ତି ସେମାନଙ୍କୁ ସମୃଦ୍ଧ କୁହାଯାଇପାରିବ ନାହିଁ । ଭାରତ ଏବେ ମଧ୍ୟ ଏକ କୃଷି ପ୍ରାଧାନ୍ୟ ଦେଶ ଭାବେ ପରିଚିତ । କୃଷି ସହିତ ଜଡିତ ଜନସଂଖ୍ୟା ଏବଂ କର୍ମଜୀବୀଙ୍କୁ ସ୍ବଳ୍ପ ବେତନ ଏବଂ ଋଣର ସାମ୍ନା କରିବାକୁ ପଡିବ।
ତୁଳନାତ୍ମକ ଭାବରେ ୫୨ ପ୍ରତିଶତ ଭାରତୀୟ ନିଜ ପକେଟରୁ ସ୍ବାସ୍ଥ୍ୟ ସେବାରେ ଖର୍ଚ୍ଚ କରନ୍ତି ଏବଂ ଏହି କାରଣରୁ ପ୍ରତିବର୍ଷ ୬ କୋଟି ଲୋକ ଦାରିଦ୍ର ସୀମାରେଖା ତଳେ ରହୁଛନ୍ତି, ତାହା ବାସ୍ତବତାକୁ ଦର୍ଶାଉଛି । କ୍ଷୁଧା ଏବଂ ପୁଷ୍ଟିହୀନତା ହ୍ରାସ ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ସମଗ୍ର ବିଶ୍ବର ଶିଶୁଙ୍କ ମଧ୍ୟରେ ଏପରି ୩୦ ପ୍ରତିଶତ ଭାରତୀୟ ଶିଶୁ ଅଛନ୍ତି ଯେଉଁମାନେ ସଠିକ୍ ଭାବରେ ବିକାଶ ହୋଇପାରୁନାହିଁ । ୫୦ ପ୍ରତିଶତ ପୁଷ୍ଟିହୀନତାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ, ଯଦି ସେମାନଙ୍କୁ କିମ୍ବା ସେମାନଙ୍କ ପରିବାରକୁ ରୋଜଗାର ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଏ ତେବେ ଗୁଣାତ୍ମକ ପରିବର୍ତ୍ତନ ହୋଇପାରିବ ନାହିଁ । ଏକପାଖିଆ ବିକାଶ ଆମର ସମାଧାନ ନୁହେଁ ।
ପରିଶେଷରେ, ବାସ୍ତବରେ ଜାତୀୟ ପ୍ରଗତି ସେତେବେଳେ ହୋଇପାରିବ, ଯେତେବେଳେ ରାଷ୍ଟ୍ରର ସମସ୍ତ ନାଗରିକଙ୍କ ପାଇଁ ଏକ ସୁସ୍ଥ, ଉଜ୍ଜ୍ବଳ ଭବିଷ୍ୟତ ସୁନିଶ୍ଚିତ ହେବ ।
(ଇନାଡୁ ସମ୍ପାଦକୀୟ)