ଓଡିଶା

odisha

ETV Bharat / opinion

Nobel Glory: ନୋବେଲ ସମ୍ମାନ ପାଇଁ ଭାରତର ଅନୁସନ୍ଧାନ - ଜନ ଓଲାଭ ଫୋସେ

ଚଳିତ ବର୍ଷ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହୋଇଯାଇଛି । ଶାନ୍ତି, ଚିକିତ୍ସା, ସାହିତ୍ୟ, ପଦାର୍ଥ, ରସାୟନ ବିଜ୍ଞାନ ଓ ଅର୍ଥନୀତି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବିଶ୍ବର ପ୍ରତିଭା ସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ନୋବେଲ ସମ୍ମାନ ମିଳିଛି । ହେଲେ ଚଳିତ ବର୍ଷର ନୋବେଲ ତାଲିକାରେ ଭାରତର କୌଣସି ଗବେଷକ ଅଥବା ସାହିତ୍ୟିକଙ୍କ ନାମ ସ୍ଥାନ ପାଇନାହିଁ । ନୋବେଲ ବିଜେତାଙ୍କ ସଂଖ୍ୟା ଦେଖିଲେ, ୧.୪ ବିଲିୟନ ଜନସଂଖ୍ୟା ବିଶିଷ୍ଟ ଭାରତ ବହୁ ପଛରେ ପଡିଛି । ହେଲେ କାହିଁକି ? ପଢନ୍ତୁ ବିସ୍ତୃତରେ

India's Ongoing Quest for Nobel Glory
India's Ongoing Quest for Nobel Glory

By ETV Bharat Odisha Team

Published : Oct 11, 2023, 5:42 PM IST

ଇନାଡୁ ସମ୍ପାଦକୀୟ

ଲେଖକ-ଡ.ରଙ୍ଗାନାୟକୁଲୁ ପୋଟ୍ଟୁରୁ

ହାଇଦ୍ରାବାଦ:ବିଶ୍ବର ସର୍ବଶ୍ରେଷ୍ଠ ସମ୍ମାନ ହେଉଛି ନୋବେଲ ପୁରସ୍କାର । ଚଳିତ ବର୍ଷ ବହୁ ପ୍ରତୀକ୍ଷିତ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହୋଇଯାଇଛି । ଯାହାକି ସମ୍ପ୍ରତି ଉଭୟ ସାମାଜିକ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ପ୍ଲାଟଫର୍ମରେ ଉତ୍ସାହ ବଢାଇଛି । ଏହା ହେଉଛି ସେହି କ୍ଷଣ, ଯେତେବେଳେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ଉପରେ ସାରା ବିଶ୍ବର ନଜର ଥାଏ ଏବଂ ସେମାନଙ୍କ ଉଲ୍ଲେଖନୀୟ ଅବଦାନକୁ ବିଶ୍ବବାସୀ ହୃଦୟଙ୍ଗମ କରନ୍ତି । ନିକଟରେ ଅର୍ଥଶାସ୍ତ୍ରରେ ଆମେରିକାର ପ୍ରତିଷ୍ଠିତ ପ୍ରଫେସର କ୍ଲାଉଡିଆ ଗୋଲ୍ଡିନଙ୍କ ନାମ ନୋବେଲ ପୁରସ୍କାର ପାଇଁ ଘୋଷଣା ହୋଇଛି । ମହିଳା ଶ୍ରମ ଶକ୍ତି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସର୍ବଶ୍ରେଷ୍ଠ ସମ୍ମାନ ମିଳିବାକୁ ଯାଉଛି ।

ଜେଲରେ ସଜ୍ଜା କାଟୁଥିବା ୫୧ ବର୍ଷୀୟା ନର୍ଗେସ ମହମ୍ମଦୀଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଇଛି । ନର୍ଗେସ ମହିଳା ଅଧିକାର ଏବଂ ମାନବାଧିକା ପାଇଁ କାର୍ଯ୍ୟ କରନ୍ତି । ଇରାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିବା ସହିତ ମାନବିକ ଅଧିକାର ପାଇଁ ଲଢେଇ ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ନୋବେଲ ପୁରସ୍କାର ଦିଆଯାଇଛି । କାରାବନ୍ଦୀ ହେବା ସତ୍ତ୍ବେ ନର୍ଗେସଙ୍କ ଅତୁଟ ସାହାସ ତାଙ୍କୁ ସର୍ବଶ୍ରେଷ୍ଠ ସମ୍ମାନର ଅଧିକାରିଣୀ କରିଛି ।

ସେହିପରି ପଦାର୍ଥ ବିଜ୍ଞାନ ପାଇଁ ମଧ୍ୟ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ୩ ଜଣ ବୈଜ୍ଞାନିକ ପିଅରେ ଏଗୋଷ୍ଟିନି, ଫେରେଙ୍କ କ୍ରଜ ଏବଂ ଏନି ଏଲ ହୁଇଲିୟର ନୋବେଲ ପୁରସ୍କାର ପାଇବେ । ଏହି ୩ ବୈଜ୍ଞାନିକ ଭୌତିକ ପଦାର୍ଥର ଇଲେକ୍ଟ୍ରୋନ ଡାଇନାମିକ୍ସ ଅଧ୍ୟୟନ ପାଇଁ ଆଲୋକର ଆଟୋସେକେଣ୍ଟ ପଲ୍ସ ସୃଷ୍ଟି କରିବାର ଉପାୟ ଉଦ୍ଭାବନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Journalism: ଜନ କଲ୍ୟାଣର ମୂଳଦୁଆ 'ମୁକ୍ତ ସାମ୍ବାଦିକତା'

ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ନରୱେର ପ୍ରସିଦ୍ଧ ଔପନାସିକ ଜନ ଓଲାଭ ଫୋସେଙ୍କ ନାମ ଘୋଷଣା ହୋଇଛି । ତାଙ୍କର ଅଭନବ ନାଟକ ଓ ସାହିତ୍ୟରେ ନୂତନତ୍ବର ପ୍ରୟୋଗ ପାଇଁ ଫୋସେଙ୍କୁ ଏହି ସମ୍ମାନ ମିଳିଛି । ନରେୱରେ ସାହିତ୍ୟିକ ଫୋସେ ସାହିତ୍ୟ ମାଧ୍ୟମରେ ଜନସମାଜକୁ ଜାଗ୍ରତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସେହିପରି ରସାୟନ ବିଜ୍ଞାନରେ ଫ୍ରାନ୍ସର ମଉଙ୍ଗି ଜି ବାୱେଣ୍ଡି, ଆମେରିକାର ଲୁଇସ୍ ଇ. ବ୍ରୁସ ଏବଂ ଋଷିଆର ଆଲେକ୍ସି ଆଇ ଆକିମୋଭଙ୍କ ନାମ ନୋବେଲ ପୁରସ୍କାର ପାଇଁ ଘୋଷିତ ହୋଇଛି । କ୍ବାଣ୍ଟମ ଡଟ୍ ଆବିଷ୍କାର ଏବଂ ସଂଶ୍ଲେଷଣ ପାଇଁ ଏହି ୩ ଗବେଷକ ନୋବେଲ ପୁରସ୍କାର ପାଇବେ ।

ଚିକିତ୍ସା ବିଜ୍ଞାନ ବା ମେଡିସିନ କ୍ଷେତ୍ରରେ କାଟାଲିନ କାରିକୋ ଏବଂ ଡ୍ରୁ ୱିସମ୍ୟାନଙ୍କୁ ନୋବେଲ ପୁରସ୍କାର ମିଳିବ । ନ୍ୟୁକ୍ଲିଓସାଇଡ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଉଭୟଙ୍କ ଆବିଷ୍କାର କୋଭିଡ ବିରୋଧ ଲଢେଇରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା ଏବଂ କୋଭିଡ-୧୯ ବିରୋଧରେ ପ୍ରଭାବଶାଳୀ ଏମଆରଏନଏ ଟିକା ବିକାଶିତ କରିବାରେ ସକ୍ଷମ ହୋଇଥିଲା । କାଟାଲିନ କାରିକୋଙ୍କ ଜନ୍ମ ହଙ୍ଗେରୀରେ ହୋଇଥିବା ବେଳେ ୱିସମ୍ୟାନ ଆମେରିକା ନିବାସୀ ଅଟନ୍ତି । ଏହି କ୍ରମରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ପିଏରେ ଅଗୋଷ୍ଟିନୀ ଫେରନ୍ସ କ୍ରାଉସ୍ ଓ ଆନ ଲ ହୁଲିୟରଙ୍କ ନାମ ଘୋଷଣା କରାଯାଇଛି ।

ନୋବେଲ ବିଜେତା ସୂଚୀକୁ ଭଲ ଭାବେ ଦେଖିଲେ, ଏଥିରେ ଚଳିତ ବର୍ଷ ଆମେରିକାର ଅଧିକ ଦବଦବା ରହିଥିବା ସ୍ପଷ୍ଟ ହେଉଛି । ହେଲେ ଭାରତରୁ ଜଣେ ହେଲେ ବି ନୋବେଲ ତାଲିକାରେ ସ୍ଥାନ ପାଇନାହାନ୍ତି । ଯେଉଁ କାରଣରୁ ଭାରତୀୟଙ୍କୁ ନିରାଶ ହେବାକୁ ପଡିଛି । ତେବେ ୧୯୦୧ ମସିହାରେ ନୋବେଲ ପୁରସ୍କାର ଆରମ୍ଭ ପରଠୁ ଭାରତରୁ ୯ ଜଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତିବିଶେଷ ଏହି ସର୍ବଶ୍ରେଷ୍ଠ ପୁରସ୍କାର ହାସଲ ସହିତ ବିଶ୍ବ ମଞ୍ଚରେ ନିଜର ଛାପ ଛାଡିଛନ୍ତି । କିନ୍ତୁ ଏହି ସ୍ଥିତିରେ ପୁଣିଥରେ ଏକ କଠୋର ବାସ୍ତବିକତା ହୃଦୟକୁ ଆନ୍ଦୋଳିତ କରୁଛି । ୧୯୧୩ରେ ଗୀତାଞ୍ଜିଳ କୃତି ପାଇଁ ରବୀନ୍ଦ୍ରନାଥ ଟାଗୋରଙ୍କୁ ନୋବେଲ ପୁରସ୍କାର ମିଳିଥିଲା । ସେହିପରି ଭୌତିକ ବିଜ୍ଞାନରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସି.ଭି ରମଣ, ଅର୍ଥଶାସ୍ତ୍ରରେ ଅମର୍ତ୍ତ୍ୟ ସେନ ଏବଂ ଶାନ୍ତି ଓ ନ୍ୟାୟ ପାଇଁ ସମର୍ପିତ କୈଳାଶ ସତ୍ୟାର୍ଥୀଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହାସତ୍ତ୍ବେ ଆମେ ନୋବେଲ ପୁରସ୍କାର ବିଜେତା ସୂଚୀକୁ ଅନୁଧ୍ୟାନ କଲେ, ଏକ କୌତୁଳହ ବିଷୟ ସାମ୍ନାକୁ ଆସେ । ଚିକିତ୍ସା କ୍ଷେତ୍ରରେ ନୋବେଲ ବିଜେତା ହରଗୋବିନ୍ଦ ଖୁରାନା, ଭୌତିକ ବିଜ୍ଞାନରେ ସୁବ୍ରମଣ୍ୟମ ଚନ୍ଦ୍ରଶେଖର, ରସାୟନ ବିଜ୍ଞାନରେ ଭେଙ୍କଟ ରାମକୃଷ୍ଣ ଏବଂ ଅର୍ଥଶାସ୍ତ୍ରରେ ଅଭିଜିତ ବାନାର୍ଜୀଙ୍କ ଭଳି ପ୍ରତିଷ୍ଠିତ ହସ୍ତୀ ଭାରତୀୟ ବଂଶୋଦ୍ଭବ ହୋଇଥିଲେ ହେଁ ବିଦେଶୀ ନାଗରିକତା କାରଣରୁ ତାଙ୍କୁ ବିଦେଶୀ ପୁରସ୍କାର ବିଜେତା ରୂପେ ବର୍ଗୀକୃତ କରାଯାଏ । ସେହିପରି ମଦର ଟେରେସା, ଯିଏକି ଅଲବାନିଆ ବଂଶୋଦ୍ଭବ କିନ୍ତୁ କୋଲକାତାରେ ନିଷ୍ପେସିତ ଅବହେଳିତ ଲୋକଙ୍କ ସେବାରେ ନିଜର ପୁରା ଜୀବନ ଉତ୍ସର୍ଗୀକୃତ କରିଦେଇଥିଲେ । ଶାନ୍ତି ପାଇଁ ୧୯୭୯ ମସିହାରେ ମଦର ଟେରେସାଙ୍କୁ ନୋବେଲ ପୁରସ୍କାର ମିଳିଥିଲା ।

ଯଦି ଭାରତର ନୋବେଲ ବିଜେତା ସାରଣୀରେ ଆମେ ଭାରତୀୟ ବଂଶୋଦ୍ଭବ, ପ୍ରକୃତ ନାଗରିକ ଏବଂ ଦେଶର ସୀମା ଭିତରେ ଜନ୍ମିତ ବ୍ୟକ୍ତିବିଶେଷଙ୍କୁ ସାମିଲ କରିବା, ତଥାପି ଏହି ସଂଖ୍ୟା ଗୋଟିଏ ଅଙ୍କରେ ସୀମିତ ରହିବ । ଯାହାକି ପ୍ରାୟ ୧.୪ ବିଲିୟନ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ପାଇଁ ନୈରାଶ୍ୟଜନକ ବିଷୟ । ଏହାର ବିପରୀତ, ଛୋଟ ଛୋଟ ଦେଶଗୁଡିକରେ ନୋବେଲ ବିଜେତାଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ରହିଛି । ପ୍ରାୟ ୯ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଅଷ୍ଟ୍ରିଆର ନୋବେଲ ବିଜେତାଙ୍କ ସଂଖ୍ୟା ୨୫ । ଏହି କ୍ରମରେ ୧୭ ମିଲିୟନ ଜନସଂଖ୍ୟା ସମ୍ପନ୍ନ ନେଦରଲ୍ୟାଣ୍ଡରେ ୨୨ ନୋବେଲ ବିଜେତା ଥିବାବେଳେ ୬୦ ମିଲିୟନରୁ କମ୍ ଜନସଂଖ୍ୟା ବିଶିଷ୍ଟ ଇଟାଲୀରେ ୨୧ ଜଣ ବ୍ୟକ୍ତିବିଶେଷ ଏହି ସର୍ବଶ୍ରେଷ୍ଠ ସମ୍ମାନ ଅର୍ଜନ କରିଛନ୍ତି । ଏହି ତାଲିକାର ସବୁଠୁ ଶୀର୍ଷରେ ରହିଛି ଆମେରିକା । ସୁପରପାୱାର କୁହାଯାଉଥିବା ଆମେରିକାରେ ୪୦୦ରୁ ଅଧିକ ଲୋକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।

ମାତ୍ର ଭାରତରେ ଭୌତିକ, ରାସାୟନିକ, ଚିକିତ୍ସା ଏବଂ ଆର୍ଥିକ ବିଜ୍ଞାନ କ୍ଷେତ୍ରରେ ଗଭୀର ଅନୁସନ୍ଧାନର ଅଭାବ ଯୋଗୁଁ ନୋବେଲ ପୁରସ୍କାର କ୍ଷେତ୍ରରେ ଭାରତ ବିଶେଷ ଖ୍ୟାତି ଅର୍ଜନ କରିପାରି ନାହିଁ । ଦେଶରେ ୪୦ ହଜାରରୁ ଅଧିକ ଉଚ୍ଚଶିକ୍ଷା ସଂସ୍ଥାନ, ୧୨୦୦ ବିଶ୍ବବିଦ୍ୟାଳୟ ରହିଥିବା ସତ୍ତ୍ବେ ସେଥିମଧ୍ୟରୁ କେବଳ ୧ ପ୍ରତିଶତ ସକ୍ରିୟ ରିସର୍ଚ୍ଚ ହବ୍ ଭାବେ କାର୍ଯ୍ୟ କରୁଛି । ଦେଶରେ ବୈଜ୍ଞାନିକ ଏବଂ ଗବେଷକ ଆଶାୟୀଙ୍କୁ ଏବେ ବି ନିଜର ଏକାଡେମିକ କ୍ୟାରିୟର ଏବଂ ବ୍ୟବସାୟିକ ଯାତ୍ରାର ପ୍ରତିଟି ମୋଡର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ବିଶ୍ବ ମଞ୍ଚରେ ଭାରତର ସ୍ଥିତିକୁ ସୁଦୃଢ କରିବାକୁ ହେଲେ ଅନୁସନ୍ଧାନ ଏବଂ ଉଦ୍ଭାବନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଅଣାଯିବାର ଆବଶ୍ୟକତା ରହିଛି । ଏହି ସଂସ୍କାର ଦେଶର ବଜେଟ ଆବଣ୍ଟନରୁ ଆରମ୍ଭ ହୋଇପାରିବ । ବଜେଟରେ ବିଜ୍ଞାନ ଏବଂ ଗବେଷଣାକୁ ବିଶେଷ ପ୍ରାଥମିକତା ମିଳିବା ଆବଶ୍ୟକ, ଯେଉଁଥିପାଇଁ ଏହା ହକଦାର ମଧ୍ୟ । ବୈଜ୍ଞାନିକ ସମୁଦାୟକୁ ମୁକ୍ତ ଭାବେ ଉଦ୍ଭାବନା କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଅନୁମତି ମିଳିବା ଆବଶ୍ୟକ । ଏଥିରେ ସରକାରୀ ହସ୍ତକ୍ଷେପ ହ୍ରାସ ହେବା ଉଚିତ୍ । ଏଥିସହ ଶିକ୍ଷା ଓ ଅନୁସନ୍ଧାନରେ ମୌଳିକ ପରିବର୍ତ୍ତନ ହୋଇପାରିଲେ ଆମ ଦେଶ ଗବେଷଣା କ୍ଷେତ୍ରରେ ସମୃଦ୍ଧ ଓ ଖ୍ୟାତିଲାଭ କରିପାରିବ ।

ABOUT THE AUTHOR

...view details