ଲେଖକ- ଡଃ ରାଭେଲ୍ଲା ଭାନୁ କ୍ରୀଷ୍ଣା କିରନ
ହାଇଦ୍ରାବାଦ:ଦୀର୍ଘ ୭୮୦୦ କିମିରୁ ଅଧିକ ବ୍ୟାପିଥିବା ଉପକୂଳବର୍ତ୍ତୀ ସୀମାବର୍ତ୍ତୀ ଅଞ୍ଚଳରେ ଶତ୍ରୁ କବଳରୁ ଦେଶକୁ ସୁରକ୍ଷା ଦେବା ଭାରତୀୟ ନୌସେନା ଲାଗି ସର୍ବଦା ଆହ୍ବାନ । ଭାରତ ମହାସାଗରର ସମୁଦ୍ର ପଥକୁ ସୁରକ୍ଷିତ ରଖିବା ବ୍ୟତୀତ ନୌସେନାକୁ ଡ୍ରଗ୍ସ କାରବାର, ସଶସ୍ତ୍ର ଡକାୟତି, ମାନବ ଚୋରା ଚାଲାଣ, ଆତଙ୍କବାଦ, ଡକାୟତି, ସମୁଦ୍ରରେ ଅପରାଧିକ କାର୍ଯ୍ୟକଳାପ, ବେଆଇନ ସ୍ଥାନାନ୍ତରଣ, ବେଆଇନ ମତ୍ସ୍ୟଜୀବୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ପାରମ୍ପାରିକ ବିପଦକୁ ମଧ୍ୟ ସାମ୍ନା କରିବାକୁ ପଡେ । ଏହାରି ମଧ୍ୟରେ ଭାରତ-ପ୍ରଶାନ୍ତ ମହାସାଗରରେ ଚୀନର ବଢୁଥିବା ବିପଦ ଭାରତୀୟ ନୌସେନାର ଚିନ୍ତା ବଢାଇଛି । ଏଥିଲାଗି ନୌସେନା ବାହିନୀ ଆହୁରି ସଶକ୍ତ ହେବା ଲାଗି କୁଶଳୀ ଜାହାଜକୁ ନୌସେନାରେ ସାମିଲ କରିଛି ।
ଭାରତ-ପ୍ରଶାନ୍ତ ମହାସାଗର ଚୀନ ଏବଂ ଭାରତ ପାଇଁ ଏକ ଜିଓଷ୍ଟ୍ରାଟେଜିକ ଫୋକାଲ ପଏଣ୍ଟ ପାଲଟିଛି । ଏଭଳି ସ୍ଥିତିରେ ଭାରତୀୟ ନୌସେନା ବିଶ୍ବର ଏକ ପ୍ରମୁଖ ନୌସେନା ବାହିନୀ ଭାବରେ ଏହାର ପ୍ରାଧାନ୍ୟ ସ୍ଥିତିକୁ ବଜାୟ ରଖିବା ପାଇଁ ନୌସେନା ଜାହାଜ, ବୁଡ଼ାଜାହାଜ, ବିମାନ ପରିବହନକାରୀ, ସ୍ବୟଂଶାସିତ ଅଣ୍ଡର ୱାଟର ଯାନ (AUV), ମାନବବିହୀନ ଭୂପୃଷ୍ଠ ଜାହାଜ ସହିତ ପ୍ରମୁଖ ସମ୍ପତ୍ତି ଯୋଡିବାରେ ଲାଗିଛି । ସାମୁଦ୍ରିକ କ୍ଷେତ୍ରର ସୁରକ୍ଷା ଦିଗରେ ନୂଆଦିଲ୍ଲୀ ପାଇଁ ସବୁଠାରୁ ବଡ ଆହ୍ବାନ ହେଉଛି ବେଜିଂ, ଯାହାକି ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ଥାନ, ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା ଏବଂ ଥାଇଲ୍ୟାଣ୍ଡ ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରିଛି ।
ଏଥିସହ ଭାରତର ନିକଟବର୍ତ୍ତୀ ସାମୁଦ୍ରିକ ଅଞ୍ଚଳରେ ଖାଲି ଚୀନର ଯୁଦ୍ଧ ଜାହାଜ ଏବଂ ଆଣବିକ ବୁଡ଼ାଜାହାଜ ନିୟୋଜନ ହେଉନାହିଁ, ଏହାସହ ଚୀନର ମତ୍ସ୍ୟ ସୈନ୍ୟବାହିନୀ ଏବଂ ଚୀନ ଗବେଷଣା ଜାହାଜ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ବର୍ତ୍ତମାନ ଚୀନ ସମୁଦ୍ର ତଳେ ଯୁଦ୍ଧ ଜାହାଜକୁ ନିୟୋଜିତ କରିବା ମଧ୍ୟ ଏକ ଚିନ୍ତାର କାରଣ ପାଲଟିଛି । ଡିସେମ୍ବର ୨୦୧୯ରୁ ଫେବୃଆରୀ ୨୦୨୦ ପର୍ଯ୍ୟନ୍ତ ଚୀନର ନୌସେନା ଭାରତୀୟ ସାମୁଦ୍ରିକ କ୍ଷେତ୍ର (IOR)ରେ ୧୨ଟି ୱାଟର ଡ୍ରୋନର ଏକ ଜାହାଜ ନିୟୋଜିତ କରିଛି । ଚଳିତ ବର୍ଷ ଜାନୁୟାରୀରେ ଏହା ବିଶ୍ବର ପ୍ରଥମ ମାନବ ବିହୀନ ଡ୍ରୋନ ବାହକ ଜୁ ହା ୟୁନ୍ (Zhu Hai Yun) ଲଞ୍ଚ କରିଥିଲା, ଯାହାକି ଉଭୟ ଦୂରରୁ ଓ ରିମୋଟରୁ ନିୟନ୍ତ୍ରିତ ହୋଇପାରିବ ।