ନେପାଳରେ ଯେଉଁ ବି ସରକାର ଶାସନ କ୍ଷମତା ଗ୍ରହଣ କରୁ, ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ, ଅର୍ଥନୈତିକ ଓ ସାମାଜିକ ସମ୍ପର୍କ ବଜାୟ ରଖିବା ଭାରତର ଉଦ୍ଦେଶ୍ୟ । ଗତ ସୋମବାର CPNର ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡ ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଭାରତ ପାଇଁ ବଢିଛି ଚିନ୍ତା । ନୂତନ ମିଳିତ ମେଣ୍ଟ (CPN-UML) ଅନୁସାରେ ନେପାଳରେ ଶାସନ କରିବାକୁ ଯାଉଛନ୍ତି ପ୍ରଚଣ୍ଡ । ଚୁକ୍ତି ଅନୁସାରେ ପ୍ରଚଣ୍ଡ ୨୦୨୫ ଯାଏଁ ପିଏମ ରହିବେ ଓ ବାକି କାର୍ଯ୍ୟକାଳ ସମ୍ଭାଳିବେ ପୂର୍ବରୁ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା ୟୁଏମଏଲ ନେତା କେପି ଶର୍ମା ଓଲି । ଯିଏକି ୨ ଦେଶରେ ସମ୍ପର୍କରେ ତିକ୍ତତାର ଏକ ମୁଖ୍ୟ କାରଣ । ଫଳରେ ନୂତନ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଚିନ୍ତାଭରା ସ୍ବାଗତ ଜଣାଇଛି ନୂଆଦିଲ୍ଲୀ ।
ଏହି ନିର୍ବାଚନରେ କୌଣସି ରାଜନୈତିକ ଦଳ ସଂଖ୍ୟା ଗରିଷ୍ଠତା ହାସଲ ନକରିବାରୁ ରାଷ୍ଟ୍ରରେ ସରକାର ଗଠନ କରିବା କଷ୍ଟକର ହୋଇପଡ଼ିଥିଲା । ପ୍ରଧାନମନ୍ତ୍ରୀତ୍ବ ନେଇ ନିଜ ଜିଦରେ ନେପାଳ କଂଗ୍ରେସ ଓ ମାଓବାଦୀ କେନ୍ଦ୍ର ଅଟଳ ଥିବାରୁ ସରକାର ଗଠନରେ ଅଚଳାବସ୍ଥା ଦେଖାଦେଇଥିଲା । ଏହାପରେ ରାଷ୍ଟ୍ରପତି ବିଦ୍ୟା ଦେବୀ ସମ୍ବିଧାନ ଦ୍ବାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ୭ଦିନ ମଧ୍ୟରେ ସରକାର ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ବିଦାୟୀ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ଓ ସିପିଏନ ନେତା ପୁଷ୍ପ କମଲଙ୍କ ମଧ୍ୟର ଦୌଡ଼ ଲାଗି ରହିଥିଲା । ନେପାଳରେ ସରକାର ଗଠନ ତୀବ୍ର ବିତର୍କର ବିଷୟ ହୋଇଥିବା ବେଳେ ଏହାର ପ୍ରତିଧ୍ବନୀ ଦିଲ୍ଲୀରେ ମଧ୍ୟ ଶୁଣାଗଲା । କାଠମାଣ୍ଡୁରେ ଭାରତ କାହିଁକି ପ୍ରଭାବ ହରାଉଛି ? ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ଚୀନ, ଆମେରିକା ଏବଂ ଭାରତକୁ ପଛରେ ପକାଇ ଦେଇଛି କି ?
ୟୁଏମଏଲ ନେତା କେପି ଶର୍ମା ଓଲିଙ୍କ ସମ୍ପର୍କ ପୂର୍ବରୁ ଚୀନ ସହିତ ଭଲ ରହିଆସିଛି । ଭାରତ ଆଗରେ ଚୀନକୁ ଅଧିକ ପ୍ରାଧାନ୍ୟ ଦେଇଥାଏ ଏହି ସରକାର । ଯାହାର ପ୍ରମାଣ ୨୦୨୦ ମସିହାରେ ଦେଖିବାକୁ ମିଳିଥିଲା । ଓଲି କହିଥିଲେ ଚୀନର କୋରୋନା ଭୂତାଣୁଠାରୁ ଭାରତରେ ସଂକ୍ରମିତ ହେଉଥିବା ଆକ୍ରାନ୍ତଙ୍କ ଭୂତାଣୁ ମାରାତ୍ମକ । ଭାରତବାସୀ ନେପାଳକୁ ଆସୁଥିବାରୁ ଏଠାରେ ସଂକ୍ରମଣ ବୃଦ୍ଧି ପାଉଛି । ସେତେବେଳେ ଓଲିଙ୍କ ଏହି ମନ୍ତବ୍ୟ ଦୁଇ ପଡୋଶୀ ଦେଶର ସମ୍ପର୍କରେ ତିକ୍ତତା ଆଣିଥିଲା । ଖାଲି ସେତିକି ନୁହେଁ ଓଲି ସରକାରଙ୍କ ସମୟରେ ନେପାଳ ନୂଆ ରାଜନୈତିକ ମାନଚିତ୍ରକୁ ଅନୁମୋଦନ ମିଳିଥିଲା, ଯେଉଁଥିରେ ଭାରତର ଲିପୁଲେଖ ଗିରିପଥ, କଳାପାନି ଓ ଲିମ୍ପିୟାଧୁରା ରହିଥିଲା । ଏମାନେ ଭାରତଠାରୁ ଏହି ଅଞ୍ଚଳ ଫେରାଇ ନେବା ଲାଗି ଦାବି କରିଥିଲେ ।