ହାଇଦ୍ରାବାଦ:ନେତାମାନଙ୍କୁ ଫାଶୀ ଦେବା, ଜେଲରେ ଭର୍ତ୍ତି କରିବା, ଗୃହବନ୍ଦୀ ରଖିବା ପାକିସ୍ତାନ ଇତିହାସର ଏକ ବିଶେଷତ୍ବ । ଯାହାର ପରିସମାପ୍ତି କେବେ ବି ଘଟିବ ନାହିଁ ବୋଲି ମନେ ହେଉଛି । କାରଣ ଗତ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟରେ ଘଟିଥିବା ଘଟଣା ଏହି କଥାକୁ ଏକପ୍ରକାର ପ୍ରମାଣିତ କରିଛି । ମଙ୍ଗଳବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୨ଟି ମାମଲାରେ କୋର୍ଟରେ ହାଜର ହେବାର ଥିଲା । ହେଲେ ସେଠାରୁ ତାଙ୍କୁ ଉଠାଇ ନେଇଥିଲା ପୋଲିସ । ସଶସ୍ତ୍ର ସୁରକ୍ଷା ବାହିନୀ ତାଙ୍କୁ ପଳାତକ ଭାବେ ଗାଡି ଭିତରକୁ ଟାଣି ନେଇଥିଲେ ।
ଚଳିତ ବର୍ଷ ପାକିସ୍ତାନରେ ଶେଷ ସୁଦ୍ଧା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଗାଦି ଲାଗି ଛକାପଞ୍ଝା ଆରମ୍ଭ ହୋଇଛି । ପାକିସ୍ତାନର ପ୍ରମୁଖ ରାଜନୈତିକ ଦଳ ପାକିସ୍ତାନ ତେହେରିକ ଇନସାଫ (ପିଟିଆଇ)କୁ ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ନକରିବା ପାଇଁ ବର୍ତ୍ତମାନର ବ୍ୟବସ୍ଥା ସମସ୍ତ ପ୍ରୟାସ କରିବା ଆରମ୍ଭ କରିଛି । ତୋଶଖାନା ଭଳି ମାମଲାରେ ପିଟିଆଇ ମୁଖ୍ୟ ଇମ୍ରାନ ଦୋଷୀ ସାବ୍ୟସ୍ତ ହେବେ ଓ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରିବେ ନାହିଁ । ଏହି ଉଦ୍ଦେଶ୍ୟରେ ସମ୍ଭବତଃ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ଏଥିଲାଗି ଇମ୍ରାନଙ୍କ ଦଳ ଦେଶରେ ଆଗୁଆ ନିର୍ବାଚନ ଲାଗି ଦାବି କରିଛି । ମାତ୍ର ସୁପ୍ରିମକୋର୍ଟ ଏବଂ ସରକାରଙ୍କ ମଧ୍ୟରେ ବିବାଦ କାରଣରୁ ଏନେଇ ନିଷ୍ପତ୍ତି ନିଆଯାଇନାହିଁ ।
ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଗିରଫଦାରୀକୁ ପାକିସ୍ତାନ ସୁପ୍ରିମକୋର୍ଟ 'ଅବୈଧ' ବୋଲି ଘୋଷଣା କରିବା ପରେ ଖାନଙ୍କୁ ଏକ ବଡ଼ ଆଶ୍ବସ୍ତି ମିଳିଛି । ତୁରନ୍ତ ଇମ୍ରାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏକ ଖଣ୍ଡପୀଠ । ଅଲ-କାଦିର ଟ୍ରଷ୍ଟ ମାମଲାରେ ଗିରଫ ହେବା ବିରୋଧରେ ପାକିସ୍ତାନ ତେହେରିକ-ଇ-ଇନସାଫର ଅଧ୍ୟକ୍ଷଙ୍କ ଆବେଦନ ଶୁଣାଣି ବେଳେ ତାଙ୍କୁ ପାରାମିଲିଟାରୀ ରେଞ୍ଜର୍ସ କିପରି ଗିରଫ କରିଥିଲେ ସେ ନେଇ ବେଞ୍ଚ୍ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେହି ଅଧିକାରୀମାନଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଏହି ବେଞ୍ଚ୍ ୭୦ ବର୍ଷୀୟ ନେତା ଖାନଙ୍କୁ ଅପରାହ୍ନ ସାଢେ ୪ଟା ସୁଦ୍ଧା (ସ୍ଥାନୀୟ ସମୟ) ହାଜର କରିବା ଲାଗି ଏନଏବିକୁ ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ ଅଦାଲତ ଘୋଷଣା କରିଛନ୍ତି ଯେ ଖାନଙ୍କ ଗିରଫଦାରୀ 'ବେଆଇନ' ଏବଂ ତାଙ୍କୁ ମୁକ୍ତ କରାଯାଉ । ଏପଟେ ଇମ୍ରାନ ଖାନ ଭଲ ଭାବରେ ବୁଝି ସାରିଛନ୍ତି ଯେ ପାକିସ୍ତାନୀ ସେନାର ସେ ଆଉ ପ୍ରିୟ ନୁହଁନ୍ତି । ସେନା ବର୍ତ୍ତମାନର ସରକାରଙ୍କୁ ସମର୍ଥନ କରିଛି । ସେପଟେ ତାଲିବାନୀମାନେ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ବିଶ୍ବସନୀୟତା ହରାଇଛନ୍ତି । ଏକ ସମୟରେ ତାଲିବାନୀମାନେ ମଧ୍ୟ ଇମ୍ରାନଙ୍କ ପ୍ରଶଂସକ ରହିଥିଲେ ।
ଏଠାରେ ଚୀନ ସମ୍ପର୍କରେ ଆଲୋଚନା କଲେ ଇମ୍ରାନ ସରକାର ହିଁ ଚୀନ ସରକାରଙ୍କ ସମ୍ମୁଖରେ ଉଇଗର ସଙ୍କଟର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ । ଯାହା କମ୍ୟୁନିଷ୍ଟ ଦେଶ ପାଇଁ ଆଖି ଦୃଷ୍ଟିଆ ଥିଲା । ଏହି ସମୟରେ ଇମ୍ରାନଙ୍କୁ ଚୀନର ସମର୍ଥନ ଅଧିକ ଆବଶ୍ୟକତା ରହିଛି, ହେଲେ ଏଯାବତ ଚୀନ ଇମ୍ରାନଙ୍କ ସପକ୍ଷରେ କୌଣସି ମନ୍ତବ୍ୟ ଦେଇନାହିଁ, ବରଂ ଚୀନ ପାକିସ୍ତାନର ସେନାକୁ ପ୍ରଶଂସା କରିଛି । ଅତ୍ୟାଧୁନିକ ବିକାଶ ଉପରେ ଚୀନ୍ର ଆଭିମୁଖ୍ୟ ଦର୍ଶାଉଛି ଯେ ସକ୍ରିୟ ଯୋଗଦାନକୁ ଏଡାଇବା ପାଇଁ ବେଳେବେଳେ ନୀରବତା ବଜାୟ ରଖିବାର ଆବଶ୍ୟକତା ରହିଛି ।
ଚୀନ୍ ବୁଝିଛି ଯେ ପାକିସ୍ତାନରେ ଯାହା ଘଟୁଛି ତାହା ନୂଆ ନୁହେଁ ଏବଂ ଏହି ପରିସ୍ଥିତିରେ ନୀରବ ରହିବା ଉଚି ତ। ଅତୀତରେ ଏମିତି ଅନେକ ଘଟଣା ଘଟିଛି ଯେଉଁଥିରେ ଶୀର୍ଷ ପଦବୀରେ ଥିବା ଲୋକଙ୍କୁ ଜେଲ ଯାଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କୁ ଅହମ୍ମଦ ରଜା ଖାନଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ତାଙ୍କୁ ଏହି ଦଣ୍ଡ ଦିଆଯାଇଥିଲା । ଅହମ୍ମଦ ରଜା ଖାନ ଭୁଟ୍ଟୋ ସରକାରଙ୍କ କଠୋର ସମାଲୋଚକ ଥିଲେ । ରଜାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ହୋଇଥିବା ଆକ୍ରମଣରେ ତାଙ୍କ ପିତା ମହମ୍ମଦ ଅହମ୍ମଦ ଖାନ କସୁରିଙ୍କୁ ହତ୍ୟା କରାଯାଇଥିଲା । ତେବେ ଏହି ହତ୍ୟା ଉଦ୍ୟମରେ ଅହମ୍ମଦ ରଜା ଅଳ୍ପକେ ବର୍ତ୍ତି ଯାଇଥିଲେ ।
ପାକିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଦେଶର ଆର୍ଥିକ ସ୍ଥିତି ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇବ । କାରଣ ଏହା ପୂର୍ବରୁ ଦେଶ ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଛି । ଗତ ଏକ ସପ୍ତାହରେ ଦେଶର ମୁଦ୍ରାସ୍ଫୀତି ପ୍ରାୟ ୪୭ ପ୍ରତିଶତକୁ ବୃଦ୍ଧି ପାଇଛି । ଗତକାଲି ଡଲାର ତୁଳନାରେ ପାକିସ୍ତାନର ମୁଦ୍ରା ୨୯୦ ଟଙ୍କା କାରବାର କରିଥିଲା । ରାଷ୍ଟ୍ରୀୟ ଆକାଉଣ୍ଟେବିଲିଟି ବ୍ୟୁରୋ ସହିତ ଇମ୍ରାନଙ୍କୁ ୮ ଦିନିଆ ହେପାଜତକୁ ପଠାଯିବା ପରଠାରୁ ରାଜନୈତିକ ଅସ୍ଥିରତା ତଥା ହିଂସା ଯୋଗୁଁ ଦେଶରେ ରକ୍ତପାତ ଏବଂ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଛି । ଯାହାକି ଦେଶ ପାଇଁ ବଡ଼ ବିପଦ ଆଣିଦେଇଛି ।
ଇମ୍ରାନଙ୍କ ଗିରଫ ପରେ ରାଜନୈତିକ ଅସ୍ଥିରତା ଏବଂ ହିଂସା ଦେଶରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛି । ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି । ଖୈବର ପଖତୁନଖୱା, ବାଲୁଚିସ୍ତାନ ଏବଂ ପଞ୍ଜାବରେ ଇମ୍ରାନଙ୍କ ଦଳ PTIର ପ୍ରଭାବ ରହିଛି । ଏଣୁ ଏଠାରେ ସ୍ଥିତି ଭୟାନକ ହୋଇଛି । ପାକିସ୍ତାନ ଏକ ବଡ଼ ସଙ୍କଟ ଦେଇ ଗତି କରୁଛି ଏବଂ ଏହାର ଅସ୍ତିତ୍ବ ବିପଦରେ ରହିଛି । ସେପଟେ ଆଫଗାନିସ୍ତାନର ତାଲିବାନ ନେତୃତ୍ବ ସହ ବର୍ତ୍ତମାନର ସାମରିକ ନେତୃତ୍ବର ନିକଟତରତା ଏବଂ କେପିକେ ଓ ବାଲୁଚିସ୍ତାନ ଆଦିବାସୀ ଅଞ୍ଚଳରେ ଇମ୍ରାନଙ୍କ ପ୍ରଭାବକୁ ଦୃଷ୍ଟିରେ ରଖି ଏହି ରାଷ୍ଟ୍ର ଭାରତ ଏବଂ ଚୀନ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । ଚୀନ ଯଥା ସମ୍ଭବ ଏହି ସ୍ଥିତିଠାରୁ ନିଜକୁ ଦୂରେଇ ରଖିଛି । କାରଣ ରାଷ୍ଟ୍ରର ଗୋଟିଏ ଭୁଲ ପଦକ୍ଷେପ ସିପିଇସି(China-Pakistan Economic Corridor) ଉପରେ ପ୍ରଭାବ ପକାଇପାରେ । ସେପଟେ ସ୍ଥିତି ଉପରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ଲାଗି ମିଲିଟାରୀ ନେତୃତ୍ବ LoC ଉପରେ ଫୋକସ କରିପାରେ । ତେବେ ଆଗାମୀ ଦିନରେ ଦେଶର ଏହି ଭୟାବହ ସ୍ଥିତି କେଉଁ ମୋଡ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।
ବିଲାଲ ଭଟ୍ଟ, ଇଟିଭି ଭାରତ