ଲେଖକ- ଡଃ ରାଭେଲା ଭାନୁ କ୍ରୀଷ୍ଣା କିରନ
ହାଇଦ୍ରାବାଦ:ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଗତ ନଭେମ୍ବର ୩୦ ତାରିଖରେ ୨.୨୩ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରସ୍ତାବକୁ ଅନୁମୋଦନ ଦେଇଛି । ଏହାଦ୍ବାରା ଦେଶର ସେନା, ନୌସେନା ଓ ବାୟୁସେନା ୩ଟି ବଳ ଆହୁରି ଶକ୍ତିଶାଳୀ ହେବ । ଏହାମଧ୍ୟରୁ ୨.୨୦ ଲକ୍ଷ କୋଟି ଟଙ୍କା ଅର୍ଥାତ ୯୮ ପ୍ରତିଶତ କ୍ରୟ ସାମଗ୍ରୀ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯିବ । ଏହାଦ୍ବାରା 'ଆତ୍ମନିର୍ଭରଶୀଳ ଭାରତ' ଅଭିଯାନକୁ ଆହୁରି ତ୍ବରିତ କରାଯିବ ।
ବାସ୍ତବ କଥା ହେଉଛି ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସତ୍ତ୍ବେ ଦେଶରେ ପ୍ରତିରକ୍ଷା କ୍ରୟ ପ୍ରକ୍ରିୟାରେ ବିଳମ୍ବ ହେଉଛି । ଏହି ପ୍ରକ୍ରିୟା ଅନେକ ଜଟିଳ ପ୍ରକ୍ରିୟା ଦେଇ ଗତି କରୁଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରକ୍ରିୟାକୁ ଅନେକାଂଶରେ ଉନ୍ନତ କରାଯାଇଥିଲେ ସୁଦ୍ଧା ଏହି ସମସ୍ୟାକୁ ସାମ୍ନା କରିବାକୁ ପଡୁଛି । ଏଥିରୁ ସ୍ପଷ୍ଟ ଏହି ଦିଗରେ ଅନେକ କିଛି କରିବାକୁ ବାକି ଅଛି । ପୂର୍ବରୁ ଭାରତରେ ପ୍ରତିରକ୍ଷା ଉତ୍ପାଦନ ଶିଳ୍ପ ନୀତି ୧୯୫୬ ଅଧୀନରେ ନିୟନ୍ତ୍ରିତ ହେଉଥିଲା । ପରବର୍ତ୍ତୀ ସମୟରେ ଆବଶ୍ୟକତା ଏବଂ ଯୋଗାଣ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବା ପରେ ଘରୋଇ ଶିଳ୍ପ ଉପରେ ଆସ୍ଥା ବଢିଥିଲା । ଏହାସହିତ ସୋଭିଏତ୍ ୟୁନିଅନର ବିଘଟନ ଘଟିଲା । ଦେଶ ମଧ୍ୟରେ ଅନ୍ୟ ବିକଳ୍ପଗୁଡିକ ମଧ୍ୟ ବିଚାରକୁ ଆସିଲା ।
କାର୍ଗିଲ ଯୁଦ୍ଧ ପରେ ୨୦୦୧ରେ କ୍ୟାବିନେଟ ସୁପାରିଶ ଆଧାରରେ ପ୍ରତିରକ୍ଷା ସାମଗ୍ରୀ କ୍ରୟ ତଥା ଏହି କ୍ଷେତ୍ରରେ ପୁଞ୍ଜି ନିବେଶ ଲାଗି ନୀତି ନିର୍ଣ୍ଣୟ କରିବାକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଗଠନ କରାଯାଇଥିଲା । ୨୦୦୨ରେ ଗୋଟିଏ ବର୍ଷ ପରେ ପ୍ରତିରକ୍ଷା କ୍ରୟ ପ୍ରକ୍ରିୟା (DPP) ଆରମ୍ଭ କରାଯାଇଥିଲା । ସେହି ଦିନ ଠାରୁ ଏହାକୁ ୧୮ଥର ସଂଶୋଧନ କରାଯାଇଛି । ଏହାପରେ ୨୦୨୦ରେ ଏହାର ନାମ DPPରୁ ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା (DAP)କୁ ପରିବର୍ତ୍ତନ କରାଯାଇଥିଲା । ଆତ୍ମନିର୍ଭରଶୀଳ ଭାରତ ପାଇଁ ଏହା ଏକ ବଡ ପଦକ୍ଷେପ ନିଶ୍ଚିତ ।
ଏହା ବି ପଢନ୍ତୁ- Rafales deal: ଫ୍ରାନ୍ସଠୁ 26 ରାଫେଲ, 3 ସବମେରାଇନ କ୍ରୟ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ
DAP ୨୦୨୦, ଡିପିପି ୨୦୧୬ର ସ୍ଥାନ ନେଇଥିବା ବେଳେ ଅନେକ କିଛି ପରିବର୍ତ୍ତନ କରାଯାଇଥିଲା । IGAରେ ଥିବା ଅଫସେଟ କ୍ଲଜ ଆବଶ୍ୟକତାକୁ ହଟାଇଯାଇ ସାମରିକ ଉପକରଣ ଲିଜ୍ ପାଇଁ ଏକ ନୂଆ ଶ୍ରେଣୀ ଗଠନ କରାଯାଇଥିଲା । ଅଫସେଟ୍ ଧାରା ଅନୁଯାୟୀ, ପ୍ରତିରକ୍ଷା ଚୁକ୍ତିରେ ଦର୍ଶାଯାଇଥିଲା ଯେ ଯଦି କୌଣସି ବିଦେଶୀ କମ୍ପାନୀ ପ୍ରତିରକ୍ଷଆ ଚୁକ୍ତିକୁ ସ୍ବାକ୍ଷର କରୁଛି ତେବେ ଉକ୍ତ କମ୍ପାନୀ ଚୁକ୍ତିନାମା ମୂଲ୍ୟର ୩୦ ପ୍ରତିଶତ ଭାରତରେ ବିନିଯୋଗ କରିବାକୁ ପଡିବ । ଏହାର ଉଦ୍ଦେଶ୍ୟ ଥିଲା ବିଦେଶୀ କୌଶଳ ଏବଂ ପ୍ରଯୁକ୍ତିବିଦ୍ୟା ଭାରତକୁ ଆସିବ ଏବଂ ରୋଜଗାର ମଧ୍ୟ ବୃଦ୍ଧି ପାଇବ । କିନ୍ତୁ ଏପରି କିଛି ଘଟିଲା ନାହିଁ ।
ଭାରତରେ ଅଫସେଟ ନୀତି ୧୭ବର୍ଷ ଧରି ଚାଲିଥିଲା । ଏହା ଆଶାନୁରୂପ ଭାବେ ଫଳ ନ ଆଣିବାରୁ ପରବର୍ତ୍ତୀ ସମୟରେ ଏହାକୁ ସମାଲୋଚନା ମଧ୍ୟ କରାଯାଇଥିଲା । ଏହା କୌଣସି ସ୍ଥାନୀୟ ଉଦ୍ୟୋଗକୁ ଲାଭ ଦେଇ ପାରିନଥିଲା । ତେଣୁ ସରକାର ଏହା ବଦଳରେ ଯନ୍ତ୍ରପାତି କ୍ରୟ କରିବା ଆରମ୍ଭ କଲେ । ଏହାପରେ DAP ପ୍ରତିରକ୍ଷା କ୍ରୟ ବ୍ୟବସ୍ଥାରେ ଅନେକ ସ୍ତର ଯୋଡି ହୋଇଥିଲା । ଯାହାକି ଏହି ପ୍ରକ୍ରିୟାରେ ଜଟିଳତାକୁ ବୃଦ୍ଧି କରିଥିଲା । ଏହି କାରଣରୁ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିବାରେ ବିଳମ୍ବ ହେଲା ।
ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା (DAP) ଅନୁଯାୟୀ, କୌଣସି ସାମଗ୍ରୀ କ୍ରୟ କରିବା ପ୍ରକ୍ରିୟାକୁ ସମାପ୍ତ କରିବା ଲାଗି ସମୟ ସୀମା ୭୪-୧୦୬ ସପ୍ତାହ ରଖାଯାଇଥିଲା । ହେଲେ ଏହି ସମୟ ମଧ୍ୟରେ ପ୍ରକ୍ରିୟା ଶେଷ ହେଉନଥିଲା । ଉଦାହରଣ ସ୍ବରୂପ ୨୦୦୩ରେ ୧୩୨ଟି ଅତ୍ୟାଧୁନିକ ଜେଟ ଟ୍ରେନର କିଣିବା ଲାଗି ଚୁକ୍ତି ହୋଇଥିବା ବେଳେ ଏହି କ୍ରୟ ପ୍ରକ୍ରିୟା ଶେଷ ହେବା ଲାଗି ୨ ଦଶନ୍ଧି ସମୟ ଲାଗିଥିଲା । ସେହିପରି ଏୟାରବସ ଡିଫେନ୍ସ ଏବଂ ସ୍ପେଶ ୫୬ଟି C295 MW ଭାରତୀୟ ନୌସେନାକୁ ସପ୍ଲାଏ କରିବା ଲାଗି ଡିଲ୍ ହୋଇଥିବା ବେଳେ କ୍ରୟ ପ୍ରକ୍ରିୟା ଶେଷ ହେବାକୁ ଏକ ଦଶନ୍ଧି ସମୟ ଲାଗିଥିଲା ।
ଡିଏପି ଏହି ପ୍ରକ୍ରିୟା ଶେଷ କରିବା ଲାଗି ୧୨ଟି ସ୍ତର ରଖିଥିଲା । ଏଥିରେ ଉପକରଣର ଆବଶ୍ୟକତାକୁ ସ୍ବୀକୃତି, ପ୍ରସ୍ତାବ ଲାଗି ଅନୁରୋଧ, ଟେକିନିକର ମୂଲ୍ୟାଙ୍କନ, ଟ୍ରାଏଲ, ଜେନେରାଲ ଷ୍ଟାଫ ମୂଲ୍ୟାଙ୍କନ, କଣ୍ଟ୍ରାକ୍ଟ ନେଗୋସିଏସନ ଓ ଅନୁମୋଦନ ସାମିଲ ଥିଲା । ଯେତେବେଳେ କଣ୍ଟ୍ରାକ୍ଟ ନେଗୋସିଏସନ ପ୍ରକ୍ରିୟା ଚାଲୁଥାଏ, ସେତେବେଳେ ମୂଲଚାଲ ଲାଗି କମିଟି ଗଠନ କରାଯାଏ । ଏହାପରେ ଅନୁମୋଦନ ଲାଗି ମଧ୍ୟ ଅନେକ ସ୍ତର ଦେଇ ଯିବାକୁ ପଡ଼େ । ସେନା, ନୌସେନା ଓ ବାୟୁସେନାର ମୁଖ୍ୟ ୩୦୦ କୋଟି ଉପକରଣର ଚୁକ୍ତି ଲାଗି ପ୍ରସ୍ତାବ ଦେବାର କ୍ଷମତା ରଖିଥାନ୍ତି । ପ୍ରତିରକ୍ଷା ସଚିବ ୫୦୦ କୋଟି ଚୁକ୍ତିକୁ ମଞ୍ଜୁରୀ ଦେଇପାରିବେ । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ୨୦୦୦ କୋଟି ପର୍ଯ୍ୟନ୍ତ ଚୁକ୍ତିକୁ ମଞ୍ଜୁରୀ ଦେଇପାରିବେ । କେନ୍ଦ୍ର ଅର୍ଥମନ୍ତ୍ରୀ ୩୦୦୦ କୋଟି ପର୍ଯ୍ୟନ୍ତ ଚୁକ୍ତିକୁ ମଞ୍ଜୁରୀ ଦେଇପାରୁଥିବା ବେଳେ ଏହି ରାଶିରୁ ଅଧିକ ଚୁକ୍ତି ଲାଗି କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୁଏ । ଯାହାରି ଅଧ୍ୟକ୍ଷତା କରିଥାନ୍ତି ଦେଶର ପ୍ରଧାନମନ୍ତ୍ରୀ ।
୨୦୨୦-୨୧ଠାରୁ ୨୦୨୨-୨୩ ମଧ୍ୟରେ ମୋଟ ୧୨୨ଟି ଚୁକ୍ତିକୁ ସ୍ବାକ୍ଷରିତ କରାଯାଇଛି । ତେବେ ଏହା ସତ୍ୟ ଯେ DAP ୨୦୨୦ ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ କ୍ଷେତ୍ରକୁ ପ୍ରାଥମିକତା ଦେଇଥିଲା । ତଥାପି ଏହି ବ୍ୟବସ୍ଥାରେ ଆହୁରି ସୁଧାର ଆସିବା ଆବଶ୍ୟକ । DAP ୨୦୨୦ ୩ଟି ବର୍ଗ ସୃଷ୍ଟି କରିଛି । ବାଏ ଇଣ୍ଡିଆନ, ବାଏ ଆଣ୍ଡ ମେକ୍ ଇଣ୍ଡିଆନ, ବାଏ ଗ୍ଲୋବାଲ-ମ୍ୟାନୁଫ୍ୟାକ୍ଚର ଇନ ଇଣ୍ଡିଆ । ବାଏ ଗ୍ଲୋବାଲରେ ୩୦ ପ୍ରତିଶତ ଭାରତୀୟ ବିଷୟବସ୍ତୁ ରହିବା ଆବଶ୍ୟକ । ଅବଶିଷ୍ଟ ଦୁଇଟି ବର୍ଗରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଭାରତୀୟ ବିଷୟବସ୍ତୁ ରହିବା ଆବଶ୍ୟକ ।
ଭାରତୀୟ ମିଲିଟାରୀ ବିଶେଷଜ୍ଞ କୁହନ୍ତି ଯେ ଏହି ବ୍ୟବସ୍ଥାରେ ମଧ୍ୟ ତ୍ରୁଟି ରହିଛି । ସେମାନେ କହିଛନ୍ତି ଯେ ଡିଏପି ୨୦୨୦ ଭାରତୀୟ ଜ୍ଞାନ କୌଶଳକୁ ନିଜ ଉପରେ କାମ କରିବାର ଆବଶ୍ୟକତା ରହିଛି । କାରଣ ଜଟିଳ ପ୍ରଯୁକ୍ତିବିଦ୍ୟା ଆମଦାନୀ କରି ଆତ୍ମନିର୍ଭରଶୀଳତା କଦାପି ହାସଲ ହୋଇପାରିବ ନାହିଁ । ଆମର ଉତ୍ପାଦକମାନଙ୍କୁ ଗବେଷଣା ଏବଂ ବିକାଶରେ ଅଧିକରୁ ଅଧିକ ବିନିଯୋଗ କରିବାକୁ ପଡିବ, ଯାହା ଦ୍ବାରା ସେମାନେ ସେହି ଜଟିଳ ଉପାଦାନକୁ ସ୍ବଦେଶରେ ପ୍ରସ୍ତୁତ କରିପାରିବେ ।
ବ୍ରିଟେନ, ଫ୍ରାନ୍ସ ଏବଂ ଅଷ୍ଟ୍ରେଲିଆ ପରି ଦେଶରେ ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରକ୍ରିୟାରେ ଯଦି ଏକୀକୃତ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଉଛି, ତେବେ ଭାରତରେ କାହିଁକି ନୁହେଁ । ଫ୍ରାନ୍ସରେ ଅସ୍ତ୍ରଶସ୍ତ୍ର କ୍ରୟ ଲାଗି ଏକୀକୃତ ବ୍ୟବସ୍ଥା ଗଠନ କରାଯାଇଛି । ଯାହାକି ଏକା ସମୟରେ ଅସ୍ତ୍ରଶସ୍ତ୍ର କ୍ରୟ ଓ ପ୍ରତିରକ୍ଷା ଶିଳ୍ପର ବିକାଶର ଦାୟିତ୍ବ ଗ୍ରହଣ କରିଛି । ମିଳିତ ଭାବେ କାର୍ଯ୍ୟ କରିବା ଦ୍ବାରା ତଥ୍ୟ ଆଦାନ ପ୍ରଦାନ, ଉତ୍ତମ ପରିଚାଳନା ବ୍ୟବସ୍ଥା ଅନେକ କ୍ଷେତ୍ରରେ ଲାଭପ୍ରଦ । ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଗଠିତ ହୋଇଥିବା କେଲକାର କମିଟି (2005)କୁ ଫ୍ରାଞ୍ଚ ବ୍ୟବସ୍ଥାକୁ ଅନୁସରଣ କରିବା ଲାଗି ପରାମର୍ଶ ଦିଆଯାଇଛି ।
(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)