ଇନାଡୁ ସମ୍ପାଦକୀୟ
ହାଇଦ୍ରାବାଦ:ହମାସ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଛି ଯୁଦ୍ଧ । ହମାସ ଆତଙ୍କବାଦୀ ନେତୃତ୍ବାଧୀନ ଗାଜା ସହରର କ୍ଷେତ୍ରଫଳ ମାତ୍ର ୩୬୦ ବର୍ଗ କିଲୋମିଟର । ଏହି ସହରରେ ବାସ କରନ୍ତି ୨୩ ଲକ୍ଷ ଲୋକ । ହେଲେ ଏମାନେ ଗତ ୭ ତାରିଖଠାରୁ ଲଗାତାର ଇସ୍ରାଏଲର ଆକ୍ରମଣର ଶିକାର ହେବାରେ ଲାଗିଛନ୍ତି । ଇସ୍ରାଏଲ ସେନା ଅଗଣିତ ଅସହାୟ ଶିଶୁ ଓ ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛି । ପଶ୍ଚିମ ଏସିଆରେ ଲାଗି ରହିଥିବା ଏହି ଯୁଦ୍ଧକୁ ରୋକିବା ଲାଗି ଭାରତ ସମେତ ବିଶ୍ବର ଅନେକ ରାଷ୍ଟ୍ର ଚିନ୍ତା ପ୍ରକଟ କରିଛନ୍ତି । ଶାନ୍ତି ପ୍ରତିଷ୍ଠା କରାଯାଇ ଉଭୟ ଆପୋଷ ବୁଝାମଣା କରି ନିର୍ଦ୍ଦିଷ୍ଟ ମାନ୍ୟତାପ୍ରାପ୍ତ ସୀମା ମଧ୍ୟରେ ସ୍ବତନ୍ତ୍ର ଓ ସଂପ୍ରଭୁ ପାଲେଷ୍ଟାଇନ ସ୍ଥାପନା ଅନିବାର୍ଯ୍ୟ ।
ଯୁଦ୍ଧ କେବଳ ମାନବ ସଙ୍କଟ ବଢାଇଥାଏ, ଏହା ଶାନ୍ତି ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିନଥାଏ । ହମାସ ଆତଙ୍କବାଦୀଙ୍କ ନିର୍ଦ୍ଦୟ ଆକ୍ରମଣର ଜବାବରେ ଇସ୍ରାଏଲ ଗାଜାକୁ ଧ୍ବଂସ କରିବାରେ ଲାଗିଛି । ଘଟଣା ଉଦବେଗଜନକ ସ୍ଥିତିରେ ରହିଥିବା ବେଳେ ଉତ୍ତର ଗାଜାର ୧୧ ନିୟୁତ ପାଲେଷ୍ଟାଇନବାସୀ ୨୪ ଘଣ୍ଟାର ମଧ୍ୟରେ ଘରୁ ପଳାଇବାକୁ ବାଧ୍ୟ ହୋଇଛନ୍ତି । ଏହି ଭୟଙ୍କର ଦ୍ବନ୍ଦ୍ବର ଛାୟାରେ ସାଧାରଣ ନାଗରିକଙ୍କ ଅବସ୍ଥା ଆହୁରି ବିପଦଜନକ ହୋଇପଡିଛି । ଏଭଳି ପରିସ୍ଥିତିରେ ଏଠାରେ ବଡ ପ୍ରଶ୍ନ ହେଉଛି ୮ ଦିନ ପୂର୍ବରୁ ଘଟିଥିବା ଏହି ବିପର୍ଯ୍ୟୟର ନିଆଁ କିଏ ଲଗାଇଥିଲା ଯାହାର ପରିଣାମ ଆଜି ସାରା ବିଶ୍ବ ଦେଖୁଛି ।
ଡିସେମ୍ବର ୨୦୨୨ରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିବା ବେଞ୍ଜାମିନ୍ ନେତାନ୍ୟାହୁ ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ଦକ୍ଷିଣପନ୍ଥୀ ଉଗ୍ରବାଦୀ ଦଳର ସମର୍ଥନରେ ଦେଶର ଇତିହାସରେ ସବୁଠାରୁ ସାମ୍ପ୍ରଦାୟିକ ସରକାର ଗଠନ କରିଥିଲେ । ତାଙ୍କ କ୍ୟାବିନେଟରେ ପାଲେଷ୍ଟାଇନଙ୍କ ପ୍ରତି ଘୃଣାଭାବ ରଖୁଥିବା ଅନେକ ବ୍ୟକ୍ତି ସାମିଲ ଥିଲେ । ସେମାନଙ୍କଠୁ ସମର୍ଥନ ମିଳିବା ପରେ ଉତ୍ସାହିତ ହୋଇ ଇସ୍ରାଏଲ ନିବାସୀ ୱେଷ୍ଟ ବ୍ୟାଙ୍କ ଓ ପୂର୍ବ ଜେରୁଜେଲମ ଉପରେ ଅନିୟନ୍ତ୍ରିତ ଢଙ୍ଗରେ ଆକ୍ରମଣ କରିଥିଲେ ।
ଏହା ବି ପଢନ୍ତୁ- Israel- Hamas war: ଉତ୍ତର ଗାଜା ଛାଡିବାକୁ 3 ଘଣ୍ଟାର ମହଲତ ଦେଲା ଇସ୍ରାଇଲ ସେନା, ହୋଇପାରେ ଗ୍ରାଉଣ୍ଡ ଆଟାକ
କେବଳ ଜୁନ ମାସରେ ପାଲେଷ୍ଟାଇନଙ୍କ ଉପରେ ୩୧୦ଟି ଆକ୍ରମଣ ହୋଇଥିବା ବେଳେ ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ଆକ୍ରମଣ ଯୋଗୁଁ ୨୦୦ ପାଲେଷ୍ଟାଇନଙ୍କ ଜୀବନ ଯାଇଥିଲା । ଏପରିକି ଇସ୍ରାଏଲର ବିରୋଧୀଦଳର ନେତା ବେନି ଗଞ୍ଜ୍ ବିରୋଧ କରିଥିଲେ । ଏକଦା ଆଲୋଚନା ହୋଇଥିଲା ଯେ ନେତାନ୍ୟାହୁଙ୍କ ନେତୃତ୍ବରେ ଇସ୍ରାଏଲ୍ ସରକାର ପାଲେଷ୍ଟାଇନଙ୍କ ବିରୋଧରେ ଘୃଣା ଓ ସେମାନଙ୍କ ବିନାଶର ମଞ୍ଜି ବୁଣୁଛନ୍ତି । ଦୁଃଖର ବିଷୟ, ଏହା ଆଜି ସତ ହୋଇଛି । କାରଣ ଯୁଦ୍ଧରେ ସାଧାରଣ ନାଗରିକଙ୍କ ଜୀବନ ଯାଉଛି ।
ଇସ୍ରାଏଲରେ ଅତ୍ୟାଚାର ଓ ଇସ୍ରାଏଲ ନାଗରିକଙ୍କୁ ଅପହରଣ ଲାଗି ନିଜକୁ ଦାୟୀ କରୁଥିବା ଆତଙ୍କବାଦୀ ସଂଗଠନ 'ହମାସ'ର ଉତ୍ପତ୍ତି ସମ୍ପର୍କରେ ଐତିହାସିକ, ରାଜନୈତିକ ଓ କ୍ଷେତ୍ରୀୟ ଫ୍ୟାକ୍ଟରରୁ ଜଣାପଡ଼େ । ଏହି ଯୁଦ୍ଧର ମୂଳ କାରଣ ଇତିହାସର ପୃଷ୍ଠାରେ ଲୁଚି ରହିଛି । ପାଞ୍ଚ ଦଶକ ପୂର୍ବରୁ ଇସ୍ରାଏଲ ୱେଷ୍ଟବ୍ୟାଙ୍କ, ପୂର୍ବ ଜେରୁଜେଲମ ଓ ଗାଜା ପଟି ଉପରେ କବଜା କରିଥିଲା । ଯାହାକି ଏହି କ୍ଷେତ୍ର ଉପରେ ଲମ୍ବା ସମୟ ଧରି ବିବାଦର ମଞ୍ଜି ବୁଣିଥିଲା । ଏହି ଅଞ୍ଚଳର ଅଧିଗ୍ରହଣ ଲାଗି ୟାସିର ଆଫତ ପାଲେଷ୍ଟାଇନ ଲିବରେସନ ଅର୍ଗାନାଇଜେନ (PLO) ଗରିଲା ଯୁଦ୍ଧ ଡାକରା ଦେଇଥିଲା ।
ଏହାପରେ PLOକୁ ଧର୍ମନିରପେକ୍ଷ ରାଷ୍ଟ୍ରବାଦ ମଞ୍ଚରେ ଏଥିଲାଗି ସମର୍ଥନ ମିଳିଥିଲା । ହେଲେ ସମୟ ଗଡିବା ସହିତ ଏହି ଦୃଷ୍ଟିକୋଣ ପାଲେଷ୍ଟାଇନ ଜନସଂଖ୍ୟାର ଅଧିକ ସଂରକ୍ଷଣ ବିଭାଗ ପାଇଁ ଅଭିଶାପ ପାଲଟିଗଲା । ପାଲେଷ୍ଟାଇନ ସମ୍ପ୍ରଦାୟ ମଧ୍ୟରେ ବିଭାଜନ ଆଣିବା ପାଇଁ ଇସ୍ରାଏଲର ରଣନୀତିର ସିଧାସଳଖ ଫଳାଫଳ ଭାବରେ 'ହମାସ' ଗୋଷ୍ଠୀ ସୃଷ୍ଟି ହୋଇଥିଲା । ଗୋଟିଏ ପଟେ 'ହମାସ' ହିଂସା ଦିଗକୁ ଆପଣାଇଥିବା ବେଳେ ଅନ୍ୟପଟେ ଆରଫତର PLO ପାଲେଷ୍ଟାଇନଙ୍କ ଦାବିକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଲାଗି କୂଟନୀତି ରାସ୍ତା ଆପଣାଇଥିଲା ।
ସମୟ ସହିତ ହମାସକୁ ଧୀରେ ଧୀରେ ପାଲେଷ୍ଟାଇନ ନାଗରିକଙ୍କ ଅଧିକ ସମର୍ଥନ ମିଳିଥିଲା । ଯାହାକି ଇସ୍ରାଏଲ ଲାଗି କାଳ ସାଜିଥିଲା । ହମାସକୁ ସ୍ଥାନୀୟ ବାସିନ୍ଦାଙ୍କ ସମର୍ଥନ ସହିତ ଇସଲାମିକ ରାଷ୍ଟ୍ରର ମଧ୍ୟ ସମର୍ଥନ ମିଳିଥିଲା । ଇସ୍ରାଏଲର ପାରମ୍ପରିକ ଶତ୍ରୁ ଇରାନ ହମାସ ଜରିଆରେ ଇସ୍ରାଏଲକୁ ଟାର୍ଗେଟ କରିଥିଲା । ଏପଟେ ଇସ୍ରାଏଲ୍ ଆମେରିକାର ସମର୍ଥନରେ ପାଲେଷ୍ଟାଇନ ପ୍ରସଙ୍ଗକୁ ଅଣଦେଖା କରି ବିଭିନ୍ନ ଅଞ୍ଚଳକୁ ଅଧିକୃତ କରିବାରେ ଲାଗିଛି ।
୧୯୬୭ ଯୁଦ୍ଧରେ ଅଧିକୃତ ଅଞ୍ଚଳରୁ ଓହରିଯିବା ଏବଂ ଜେରୁଜେଲମରେ ଥିବା 'ଗ୍ରୀନ୍ ଲାଇନ୍'କୁ ସମ୍ମାନ ଦେବା ପାଇଁ ଜାତିସଂଘ ଇସ୍ରାଏଲକୁ ଆହ୍ବାନ କରିଥିବା ବେଳେ ଏହି ନିଷ୍ପତ୍ତିକୁ ପାଳନ କରିବାକୁ ମନା କରିଥିଲା ଇସ୍ରାଏଲ । ଏହି ପ୍ରକାରର ଆଭିମୁଖ୍ୟ ଦ୍ବାରା ଇସ୍ରାଏଲ ନିଜ ସୁରକ୍ଷାକୁ ବିପଦରେ ପକାଇଥାଏ ।
ଗୋଟିଏ ପଟେ ୟୁକ୍ରେନ ଓ ଋଷ ଯୁଦ୍ଧ ଏବଂ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ମାନବ ସମାଜକୁ ବିପଦରେ ପକାଇଛି । ପଶ୍ଚିମ ଏସିଆର ଅସୀମ ହିଂସାକୁ ରୋକିବା ପାଇଁ ଯେପରି ଭାରତ ଏବଂ ଅନ୍ତର୍ଜାତୀୟ ସମୁଦାୟ ସୂଚିତ କରିଛନ୍ତି ତାହାକୁ ହିଁ ସମାଧାନର ରାସ୍ତା । ଶାନ୍ତି ବୁଝାମଣା ମାଧ୍ୟମରେ ସ୍ବୀକୃତିପ୍ରାପ୍ତ ସୀମା ମଧ୍ୟରେ ଏକ ସ୍ବାଧୀନ, ସାର୍ବଭୌମତ୍ବ ପାଲେଷ୍ଟାଇନ ପ୍ରତିଷ୍ଠା ଏକାନ୍ତ ଆବଶ୍ୟକ ।
ଏଠାରେ ପ୍ରଶ୍ନ, ଇସ୍ରାଏଲ ଏହି ଆହ୍ବାନକୁ ଗ୍ରହଣ କରିବ ନା ପାଲେଷ୍ଟାଇନ ସହ ଯୁଦ୍ଧ ଜାରି ରଖିବ ? ଯଦି ଯୁଦ୍ଧର ନିଆଁ ନ ଲିଭେ ତେବେ ଏହା କେବଳ ଅଞ୍ଚଳ ନୁହେଁ, ବରଂ ସମଗ୍ର ବିଶ୍ବକୁ ବିପଦରେ ପକାଇବ ।