ହାଇଦ୍ରାବାଦ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର ପତନକୁ ଆଜି ବର୍ଷେ ପୁରିଛି । ଏହାସହିତ ପଡୋଶୀ ଦେଶ ପାକିସ୍ତାନର ମହାମେଣ୍ଟ ସରକାରକୁ ମଧ୍ୟ ବର୍ଷେ ପୁରିଥିବା ବେଳେ ସ୍ଥିତି ଯେମିତିକୁ ସେମିତି । ଦେଶରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସମସ୍ତ ଉଦ୍ୟମ ଏକପ୍ରକାର ବିଫଳ ହୋଇଛି । ଆଜି ବି ଆର୍ଥିକ ସଙ୍କଟ ସହିତ ସଂଘର୍ଷ କରୁଛନ୍ତି ଦେଶବାସୀ । ଇମ୍ରାନ ସରକାରର ପତନ ପରେ ଦେଶର ରାଜନୈତିକ ଓ ଆର୍ଥିକ ସ୍ଥିତି କଣ ରହିଛି ତାହା ଉପରେ ଇଟିଭି ଭାରତର ଏହି ସମ୍ପାଦକୀୟରେ ଆଲୋଚନା ହୋଇଛି ।
୨୦୨୨ ଏପ୍ରିଲ ୧୦ ତାରିଖ । ଅନାସ୍ଥା ପ୍ରସ୍ତାବ ଭୋଟିଂରେ ହାରିବା ପରେ ଘଟିଥିଲା ଇମ୍ରାନ ସରକାରଙ୍କ ପତନ । ପାକିସ୍ତାନ ସଂସଦର ମୋଟ ସଦସ୍ୟ ସଂଖ୍ୟା ୩୪୨ ଥିବା ବେଳେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଇମ୍ରାନଙ୍କୁ ମିଳିଥିଲା ୧୭୪ଟି ଭୋଟ । ଏହାପରେ ପରାଜୟ ବରଣ କରିଥିଲେ ଇମ୍ରାନ । ଜୋରଜବରଦସ୍ତ ନୁହେଁ, ବରଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଥିଲେ ଇମ୍ରାନ । ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଏପରି ନିଜ ପଦରୁ ହଟିଥିଲେ ଇମ୍ରାନ । ଆଉ ଏହି ସମୟରେ ଦେଶ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା । ଏହାପରେ ପାକିସ୍ତାନରେ ଗଠିତ ହୋଇଥିଲା ମହାମେଣ୍ଟ ସରକାର ।
ଶେହବାଜ ଶରିଫଙ୍କ ନେତୃତ୍ବାଧୀନ ମହାମେଣ୍ଟ ସରକାର ଦେଶର ସମସ୍ତ ସମସ୍ୟାକୁ ସମାଧାନ କରିବ ବୋଲି ପ୍ରତିଶୃତି ଦେଇଥିଲା । ଦେଶକୁ ଭୟଙ୍କର ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ଲାଗି ଆଇଏମଏଫ (IMF) ସହିତ ଆଲୋଚନା ହୋଇଥିଲା, ହେଲେ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ବାହାରି ପାରିଲା ନାହିଁ । ଦେଶବାସୀଙ୍କୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ଲାଗି କିଛି ପଦକ୍ଷେପ ମଧ୍ୟ ଗ୍ରହଣ କରାଗଲା, ହେଲେ ତାର କୌଣସି ସକରାତ୍ମକ ଫଳ ଦେଖିବାକୁ ମିଳିଲା ନାହିଁ । ସେପଟେ ଋଷରୁ ଶସ୍ତାରେ ତେଲ କିଣିବା ଲାଗି ଦେଶ ନିକଟରେ କିଛି ଆଶା ରହିଥିଲା, ହେଲେ ତାହା ମଧ୍ୟ ହୋଇପାରିଲା ନାହିଁ ।
ଗତ ୨୩ ବର୍ଷ ମଧ୍ୟରେ ମସ୍କୋକୁ ଯାତ୍ରା କରିବାରେ ଇମ୍ରାନ ଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ । ହେଲେ ସେ ଶସ୍ତାରେ ଋଷଠାରୁ ତେଲ କିଣିବା ଉପରେ ହୋଇଥିବା ବୁଝାମଣାକୁ ଅନ୍ତିମ ରୂପ ଦେଇପାରିଲେ ନାହିଁ । ଭାରତ ପରି ପାକିସ୍ତାନ ଋଷଠାରୁ ଶସ୍ତାରେ ତେଲ କିଣିବା ଲାଗି ପ୍ରୟାସ କରୁଥିଲା । ଶସ୍ତାରେ ଋଷଠାରୁ ତେଲ କିଣୁଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇମ୍ରାନ ପ୍ରଶଂସା କରିଥିଲେ । ମୋଦିଙ୍କ ପଥରେ ଇମ୍ରାନ ଧୀରେ ଧୀରେ ଅଗ୍ରସର ମଧ୍ୟ ହେଉଥିଲେ । ହେଲେ ସଫଳତା ପାଇବା ପୂର୍ବରୁ ସେ ଗାଦିଚ୍ୟୁତ ହେଲେ । ଏହାପରେ ନୂଆ ସରକାର, ଅଧାରେ ଅଟକିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍କ ରୂପ ଦେବାରେ ଅକ୍ଷମ ରହିଲେ । ଯାହାଦ୍ବାରା ଏହି କାର୍ଯ୍ୟ ଯେଉଁଠି ଥିଲା ସେଇଠି ଅଟକି ରହିଛି ।
ଅନ୍ୟପଟେ ଦେଶ ଧୀରେ ଧୀରେ ଆର୍ଥିକ ସଙ୍କଟରେ ବୁଡିଯିବାକୁ ବସିଛି । ଦେଶର ରାଜ୍ୟଗୁଡ଼ିକରେ ଇମ୍ରାନଙ୍କ ଦଳର ମଧ୍ୟ ସମାନ ଅବସ୍ଥା । ଖେବର ପଖତୁନଖୱା ଏବଂ ପଞ୍ଜାବରେ ଇମ୍ରାନଙ୍କ ଦଳ ପିଟିଆଇ (ପାକିସ୍ଥାନ ତେହେରିକ-ଇ-ଇନସାଫ) କ୍ଷମତାରେ ଥିଲା । ଖେବର ପଖତୁନଖବା (KP) ହେଉଛି ଆଫଗାନିସ୍ତାନ ସୀମାବର୍ତ୍ତୀ ଏକ ଆଦିବାସୀ ଅଞ୍ଚଳ । ଏଠାକାର ଲୋକେ ଏହି ଅଞ୍ଚଳରେ ଆତଙ୍କବାଦୀ ଗୋଷ୍ଠୀର ବୃଦ୍ଧି ଏବଂ ତେହେରିକ-ଇ-ତାଲିବାନର ମିଶ୍ରଣ ଦେଖିଛନ୍ତି । ବିଶେଷକରି ଇମ୍ରାନ ସରକାର ପତନ ପରେ ଏହି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା । ଛୋଟ ଆତଙ୍କବାଦୀ ସଂଗଠନଗୁଡ଼ିକ ମୁଖ୍ୟ ଆତଙ୍କୀ ଗୋଷ୍ଠୀ ତେହରିକ-ଇ-ପାକିସ୍ତାନ (TTP) ସହିତ ହାତ ମିଳାଇଥିଲେ । ଏମାନେ ଆଫଗାନ ତାଲିବାନଙ୍କଠାରୁ ପ୍ରଭାବିତ ।