ହାଇଦ୍ରାବାଦ: ଆଲୋକର ପର୍ବ ଆଗମନରେ ଜୋର ଧରିବାରେ ଲାଗିଛି ପ୍ରସ୍ତୁତି କାର୍ଯ୍ୟ । ଘର ସଫା କରିବା ସହ ପୂଜା ପାଇଁ ଆରମ୍ଭ ହୋଇଛି ସାଜସଜ୍ଜା । ରଙ୍ଗ ବେରଙ୍ଗ କ୍ୟାଣ୍ଡେଲ ସହ ଦୀପର ଆସର ମଧ୍ୟ ଲାଗିଛି । ତେଣେ ପର୍ବରେ କେଉଁ ମିଠା ଓ ପିଠା ପ୍ରସ୍ତୁତ ହେବ ତାହାର ତାଲିକା ବି ପ୍ରସ୍ତୁତ । ଦୀପାବଳିରେ ମା’ ଲକ୍ଷ୍ମୀ ଓ ଗଜାନନଙ୍କ ପୂଜା ହେବାର ରହିଛି ଅନେକ ମାନ୍ୟତା । ହେଲେ ଏହି ପୂଜା ପୂର୍ବରୁ ଆପଣଙ୍କୁ କେତୋଟି ଜିନିଷର ବିଶେଷ ଧ୍ୟାନ ରଖିବାକୁ ହୁଏ ।
ପୂଜାର ମୂଳ ମାନ୍ୟତା ହେଉଛି ଘର ସଂସାରରେ ଶାନ୍ତି ବଜାୟ ରଖିବା ସହ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା । ଏନେଇ ପୂଜା ଘରେ ମଧ୍ୟ ମାନିବାକୁ ହୁଏ କିଛି ବିଶେଷ ନୀତି ନିୟମ । ଯେଉଁଥିରେ ବାଦ ପଡେନା ଦୀପାବଳୀର ପୂଜା ବିଧି । କାରଣ ପୂଜା ବିଧିରେ ସାମାନ୍ୟ ହେରଫେର ଆପଣଙ୍କୁ ମହଙ୍ଗା ପଡିପାରେ ।
ତେବେ ଜାଣନ୍ତୁ ଦୀପାବଳିରେ ପୂଜା ପୂର୍ବରୁ କେଉଁ ସବୁ ଦିଗ ପ୍ରତି ଦେବାକୁ ହୁଏ ବିଶେଷ ଧ୍ୟାନ :
ପୂଜା ଘରୁ ଦୂରରେ ରଖନ୍ତୁ ଜୋତା-
ଏହା ସମସ୍ତ ମନ୍ଦିର ବା ପୂଜା ଘରର ଏକ ସାଧାରଣ ନିୟମ । କୌଣସି ପୂଜା ଘର ବା ମନ୍ଦିରରେ ଜୋତା ପ୍ରବେଶ ନିଷେଦ୍ଧ ରହିଥାଏ । ତେଣୁ ଘରେ ଜୋତା ଷ୍ଟାଣ୍ଡ ବା ଜୋତା ରଖିବାକୁ ଜାଗା ନିହାତି କମ୍ ଥିଲେ ବି ପୂଜା ଘର ପାଖରେ କେବେ ହେଲେ ଜୋତା ଷ୍ଟାଣ୍ଡ ବା ଜୋତା ରଖିବାକୁ ସ୍ଥାନ ରଖନ୍ତୁ ନାହିଁ । ଯେପରି ନିଜ ବେଡରୁମରେ ବେଡର ଠିକ୍ ପଛରେ ଆପଣ ଏକ ଜୋତା ଷ୍ଟାଣ୍ଡ ରଖିବା ପସନ୍ଦ କରିବେନି ଠିକ୍ ସେହିପରି ପୂଜା ଘର ପାଖରେ ମଧ୍ୟ ଜୋତା ଷ୍ଟାଣ୍ଡ ନରଖିବାର ଏକ ସାଧାରଣ ନିୟମ ରହିଛି ।
ପୂଜା ଘର ଆଖପାଖରେ ରଖନ୍ତୁ ନାହିଁ ଚମଡା ବ୍ୟାଗ-
ହିନ୍ଦୁ ଶାସ୍ତ୍ରାନୁଯାୟୀ କୌଣସି ଦୂଷିତ ବା ଅଶୁଦ୍ଧ ପଦାର୍ଥକୁ ପୂଜା ଘରେ ପ୍ରବେଶ ମନା କରାଯାଇଥାଏ । ଏହି ଦୃଷ୍ଟିରୁ ପୂଜା ଘରମାନଙ୍କରେ ଚମଡା ବ୍ୟାଗ ବା ଚମଡା ତିଆରି ଯେକୌଣସି ପଦାର୍ଥର ବ୍ୟବହାର ବର୍ଜନ କରାଯାଇଥାଏ । ଏହି ସମସ୍ତ ପଦାର୍ଥ ପ୍ରସ୍ତୁତିରେ ପଶୁଙ୍କ ଚମଡା ବ୍ୟବହାର ହେଉଥିବାରୁ ଏହାକୁ ପୂଜା ଘର ପାଖରେ ବ୍ୟବହାର ନିଷିଦ୍ଧ କରାଯାଇଥାଏ ।