ନୂଆଦିଲ୍ଲୀ: ସମୟ ସହ ତାଳ ଦେଇ ବିକଶିତ ହେବାରେ ଲାଗିଛି ନୂଆ ନୂଆ ଟେକ୍ନୋଲୋଜି । ସେଥିରେ ସର୍ବାଗ୍ରେ ରହିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ । ଏହି ଲାଟେଷ୍ଟ ଟେକ୍ନୋଲୋଜିର ବର୍ତ୍ତମାନ ଚାହିଦା ବଢିବାକୁ ଚାଲିଥିବା ବେଳେ ଏଥିରେ ବଢିବାରେ ଲାଗିଛି ଡିପ୍ଫେକର ମାତ୍ରା । ଏନେଇ ସାଇବର ସିକ୍ୟୁରିଟି ଆସୋସିଏସନ ଅଫ ଇଣ୍ଡିଆର ସାଧାରଣ ନିର୍ଦ୍ଦେଶକ ତଥା ସାଇବର ସିକ୍ୟୁରିଟି ଏକ୍ସପର୍ଟ କୋଲୋନେଲ ଇନ୍ଦରଜିତ୍ ସିଂ ଦେଇଛନ୍ତି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ତାଙ୍କ କହିବା ମୁତାବକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଏକ ଅଜ୍ଞାତ ପାର୍ଶ୍ବ ହେଉଛି ଡିପ୍ ଫେକ ।
2019 ନଭେମ୍ବର ମାସରେ ପ୍ରାଥମିକ ପର୍ଯ୍ୟାୟରେ ଡିପ୍ ଫେକର ମାତ୍ରା 7964 ରହିଥିଲା । ଯାହା ମାତ୍ର 9 ମାସ ମଧ୍ୟରେ 14,678କୁ ବୃଦ୍ଧି ପାଇଥିବା ଦେଖାଯାଇଛି ।
ଡିପ୍ ଲର୍ଣ୍ଣିଂ ଓ ଫେକର ମିଶ୍ରଣ ହେଉଛି ଡିପ୍ ଫେକ୍ । ଏହା ବାସ୍ତବ ଚିତ୍ର ସହ ଏତେ ଖାପ ଖାଏ କି ଏହା ଏକ ଭିଡିଓରେ କିଛି ଏପରି କଣ୍ଟେଣ୍ଟ ପ୍ରସ୍ତୁତ କରିପାରିବ, ଯାହା କେବେ ବାସ୍ତବରେ ଘଟିନଥିବ । ଏହା ନ୍ୟୁରାଲ ନେଟୱାର୍କ ଉପରେ ନିର୍ଭର କରିଥାଏ । ଯାହା ଏକାଧିକ ଡାଟାବେଶକୁ ଅଧ୍ୟୟନ କରି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିର ମୁହଁର ଆକାର, ତାଙ୍କର ଚାଲିଚଳଣି, କଣ୍ଠ ଆଦିକୁ ଅବିକଳ ନକଲ କରିବାରେ ସକ୍ଷମ ।