ଫୁଲବାଣୀ: ମହାମାରୀ ସମୟରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ । ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ସହର । କୋରୋନା କାରଣରୁ ବର୍ତ୍ତମାନ ବାଲିଗୁଡା ସହରକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି । ଯାହାର ଫାଇଦା ଉଠାଉଛନ୍ତି ନିଶା ମାଫିଆ । ଏହି କ୍ରମରେ ରବିବାର ବାଲିଗୁଡ଼ା ପୋଲିସ୍ ପକ୍ଷରୁ ବାଲିଗୁଡ଼ା ଥାନା ଡହଲପଡ଼ି ଜଙ୍ଗଲରେ ଚଢାଉ କରାଯାଇଥିଲା । ଘଟଣାରେ 8 ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ ।
ଡହଲପଡ଼ି ଜଙ୍ଗଲରେ କିଛି ଜୁଆଡ଼ି ଜୁଆ ଖେଳ ଚଳାଇଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ବାଲିଗୁଡା ପୋଲିସ । ଡିଏସପି ମନୋଜ କୁମାର ପୂଜାରୀ ଓ ଆଇଆଇସି ପ୍ରଶାନ୍ତ କୁମାର ବେହେରା ନିଜ ଟିମ୍ ସହ ଜଙ୍ଗଲରେ ଚଢ଼ାଉ କରିଥିଲେ । ଘଟଣାସ୍ଥଳରୁ ୮ ଜଣ ଜୁଆଡ଼ିଙ୍କୁ ପୋଲିସ୍ ଗିରଫ କରିଥିବାବେଳେ କିଛି ଜୁଆଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି । ଏଥିସହ ପୋଲିସ ନଗଦ ୨୮,୧୦୦ ଟଙ୍କା, ୮ଟି ବାଇକ୍, 8ଟି ମୋବାଇଲ ଓ 10 ପ୍ୟାକେଟ୍ ଜବତ କରିଛି । ଗିରଫ ସମସ୍ତ ଜୁଆଡି ବାଲିଗୁଡା ଓ ଏହାର ନିକଟସ୍ଥ ଅଞ୍ଚଳର ଥିବାବେଳେ ସେମାନଙ୍କୁ ବାଲିଗୁଡା କୋର୍ଟ ଚାଲାଣ କରାଯାଇଛି ।