ଭୁବନେଶ୍ବର: ମାଷ୍ଟର ପ୍ଲାନ ଠକ । ସାତିର୍ ଦିମାଗ, ଚତୁର ଚାଲ । ସେଲ ଟ୍ୟାକ୍ସ ଅଫିସର କହି ଠକୁଥିଲା ଲକ୍ଷଲକ୍ଷ ଟଙ୍କା । ଏମିତି ଏକ ଠକ ଧରାପଡିଛି ପୋଲିସ ହାତରେ । ଏପରି ଅଭିଯୋଗରେ ଭୁବନେଶ୍ବର ଶାସ୍ତ୍ରୀନଗରର ଡିପ୍ଲୋମା ଇଞ୍ଜିନିୟର ସୌମ୍ୟଜିତ ତ୍ରିପାଠୀକୁ ଗିରଫ କରିଛି ପୋଲିସ । ଗିରଫ ପରେ ତା ଠାରୁ ଜବତ 6ଟି ଦାମୀ ମୋବାଇଲ ଫୋନ ସହ 4ଟି ଲ୍ୟାପଟପ୍ ଓ ପ୍ରିଣ୍ଟର ଏବଂ ସିଷ୍ଟମ ଜବତ କରାଯାଇଛି ।
ନିଜର ଇଂରାଜୀ କହିବାର ଶୈଳୀ ଓ ଚତୁର ଦିମାଗରେ ସରକାରୀ ଅଫିସରର ପରିଚୟ ଦେଇ ରଚୁଥିଲେ ଠକାମିର ଚାଲ । ବଡ ବଡ ଆଇଟି ସପ୍ ଓ ମୋବାଇଲ ପଏଣ୍ଟରେ ଅଫିସିଆଲ ମାଲ ଅର୍ଡର କହି ମାଗୁଥିଲେ କୋଟେସନ । ପରେ ମୋବାଇଲର ସେଲ ଟ୍ୟାକ୍ସ ଅଫିସର ପରିଚୟ ଦେଇ କରୁଥିଲେ ଲକ୍ଷ ଲକ୍ଷ ଟଙ୍କାର ମାଲ ଅର୍ଡର । ସରକାରୀ ବିଲ ପାସ ହେବା ପରେ ପେମେଣ୍ଟ ହେବ କହି ଠକି ନେଉଥିଲେ ମୋବାଇଲ, ଲାପଟପ ଓ ସିଷ୍ଟମ୍ । ଆଉ ପଇସା ନଦେଇ ଦେଖାଉଥିଲେ ସରକାରୀ ବାବୁଙ୍କ ଷ୍ଟାଇଲରେ ଧମକ । ଏମିତି ଢଙ୍ଗରେ ସହିଦନଗର ଥାନା ଅଞ୍ଚଳରେ ଚୁନ ଲଗାଇଥିବା 10 ଲକ୍ଷର ଟଙ୍କାର ବିଭିନ୍ନ ଅଭିଯୋଗ ପରେ ଜାଲ ବିଛାଇଥିଲା ସ୍ପେଶାଲ ସ୍କ୍ବାର୍ଡ । ନିଜେ ଡେଲିଭର ବଏ ସାଜି ଜିନିଷ ନେଉଥିବାବେଳେ ମାଡି ବସିଥିଲେ ସ୍ପେଶାଲ ସ୍କ୍ବାର୍ଡ ଅଫିସର ।