ଭୁବନେଶ୍ବର: ରାଜ୍ୟରେ ବଢୁଛି ନିଶା କାରବାର। ବେଧଡକ ଚାଲୁଛି ଗଞ୍ଜେଇ ଓ ବ୍ରାଉନସୁଗାର କାରବାର। ଏସବୁ ରୋକିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଓଡିଶା ପୋଲିସ । କ୍ରାଇମବ୍ରାଞ୍ଚ ଏସଟିଏଫ୍ କାର୍ଯ୍ୟାଳୟରେ ଏନେଇ ହୋଇଛି ବୈଠକ ।
ରାଜ୍ୟରେ ବଢୁଛି ନିଶା କାରବାର ପୋଲିସ ଡିଜିଙ୍କ ନେତୃତ୍ବରେ ଏନସିଆରବି, ଓଆରଏସଏସି, ଅବକାରୀ ବିଭାଗର ଅଧିକାରୀ ଏନେଇ ଆଲୋଚନା କରିଛନ୍ତି । ଫୋକସରେ ପଡୋଶୀ ରାଜ୍ୟ ସୀମାବର୍ତ୍ତୀ ଜିଲ୍ଲା ଗୁଡିକ ରହିଛି । ଗଞ୍ଜେଇ ଚାଷକୁ ନଷ୍ଟ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି । ଏହାସହ ଚୋରା ଚାଲାଣର ରାସ୍ତା ତଥା ମୋଡ ଅଫ ଟ୍ରାନ୍ସପୋଟେସନକୁ ପୋଲିସ ନଜରରେ ରଖିଛି ।
ତେବେ 9ଟି ଜିଲ୍ଲା ସମ୍ବଲପୁର, ଦେବଗଡ, ମାଲକାନଗିରି, ଗଞ୍ଜାମ, ବୌଦ୍ଧ, କୋରାପୁଟ, ରାୟଗଡା, ଅନୁଗୁଳ ଓ କନ୍ଧମାଳରେ ଗଞ୍ଜେଇ କାରବାର ରୋକିବାକୁ ଯୋଜନା ହୋଇଛି।
ସୂଚନା ଅନୁସାରେ, 2018-19ରେ 11ହଜାର 600 ଏକର ଜମିର ପ୍ରାୟ 1.37 କୋଟି ଟଙ୍କାର ଗଞ୍ଜେଇ ନଷ୍ଟ ହୋଇଛି । ଚଳିତ ବର୍ଷ 315.89 କେଜି ଗଞ୍ଜେଇ ସହ 2 କେଜି 953 ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ସେହିପରି 650ଟି ମାମଲାରେ 1035 ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।
2016-17ରେ 3599 ଏକର, 2015-16ରେ 2457.7 ଏକର ଓ 2014-15ରେ 3933.8 ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ସେହିପରି 2017ରେ 304.3 କ୍ବିଣ୍ଟାଲ ଗଞ୍ଜେଇ, 411.51 ଗ୍ରାମ ବ୍ରାଉନସୁଗାର, 138ଟି ଗାଡି ଓ 2.31ଲକ୍ଷ ଟଙ୍କା ଜବତ ହୋଇଛି।
ସେପଟେ 2016ରେ 428.84 କ୍ବିଣ୍ଟାଲ ଗଞ୍ଜେଇ, 704.44 ଗ୍ରାମ ବ୍ରାଉନସୁଗାର, 116ଟି ଗାଡି ଓ 3.08 ଲକ୍ଷ ଟଙ୍କା ଜବତ ହୋଇଛି। 2015ରେ198.12 କ୍ବିଣ୍ଟାଲ ଗଞ୍ଜେଇ, 810 ଗ୍ରାମ ବ୍ରାଉନସୁଗାର, 84ଟି ଗାଡି ସମେତ 11.30 ଲକ୍ଷ ଟଙ୍କା ଜବତ କରାଯାଇଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ