କାବୁଲ: ପୁଣି ମହିଳା ବିରୋଧୀ କଟକଣା ଲାଗୁ କଲା ତାଲିବାନ । ଆଫଗାନିସ୍ତାନରେ ରାଜ କରୁଥିବା ତାଲିବାନ ମହିଳାମାନଙ୍କୁ ବିୟୁଟି ପାର୍ଲର ଯିବା ଉପରେ କଟକଣା ଲଗାଇଛି । ଚଳିତ ମାସ ପ୍ରଥମ ସପ୍ତାହରୁ ୱିମେନ ବିୟୁଟି ପାର୍ଲର ଉପରେ ବ୍ୟାନ ଲାଗିଥିବା ବେଳେ ଆଜି ପ୍ରତିକ୍ରିୟା ରଖିଛି ଉପାଧ୍ୟକ୍ଷ ତଥା ଗୁଣବତ୍ତା ମନ୍ତ୍ରଣାଳୟ । ବିୟୁଟି ପାର୍ଲରରେ ମହିଳାମାନେ ନିୟମ ମାନୁନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରଣାଳୟ କହିଛି । ହେଲେ ଏହାକୁ ମହିଳାମାନେ ବିରୋଧ କରିଥିବା ବେଳେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି ।
ଗତ 4 ମାସ ପୂର୍ବରୁ ବିୟୁଟି ପାର୍ଲରଗୁଡ଼ିକୁ ଗାଇଡଲାଇନ ପଠାଯାଇଥିଲେ ସୁଦ୍ଧା ସେମାନେ ଏହାର ଖୋଲାଖୋଲି ଉଲ୍ଲଘଂନ କରିଥିଲେ । ଏଣୁ ଶେଷରେ ମନ୍ତ୍ରଣାଳୟ ମହିଳାଙ୍କ ଲାଗି ବ୍ୟୁଟି ପାର୍ଲରକୁ ବ୍ୟାନ କରିଥିବା କହିଛି । ଏହି ନିର୍ଦ୍ଦେଶନାମା ଜାରି ହେବା ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅନେକ ମହିଳା । ଏହି ନିଷ୍ପତ୍ତି ଦ୍ବାରା ଅନେକ ବେରୋଜଗାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନରତ ମହିଳା । ଆଫଗାନିସ୍ତାନରେ ମହିଳା ବିୟୁଟି ପାର୍ଲର ଖୋଲିବା ବେଆଇନ ବୋଲି କୁହାଯାଇଛି । ଏଠାରେ ମହିଳାଙ୍କୁ ଇସଲାମ ଧର୍ମ ଅନୁସାରେ ନିଷିଦ୍ଧ ସେବା ପ୍ରଦାନ କରାଯାଉଛି ବୋଲି କହିଛି ମନ୍ତ୍ରଣାଳୟ ।
କଣ କହେ ଗାଇଡଲାଇନ:-ମନ୍ତ୍ରଣାଳୟର ଗାଇଡଲାଇନ ଅନୁସାରେ ବ୍ୟୁଟି ପାର୍ଲରରେ କାର୍ଯ୍ୟରତ ମହିଳା ବା ଗ୍ରାହକ ପ୍ରାର୍ଥନା ସମୟରେ ପ୍ରାର୍ଥନା କରିବା ଉଚିତ । ଏହାସହ ହିଜାବ ପିନ୍ଧି କାମ କରିବେ ବିୟୁଟି ପାର୍ଲର ଚଲାଉଥିବା ମହିଳା । ମେକ୍ଅପ୍ ନେବା ପୂର୍ବରୁ ଇସଲାମିକ ନିୟମ ଅନୁସାରେ ମୁଣ୍ଡ, ହାତ, ଗୋଡ଼, ମୁହଁକୁ ପାଣିରେ ଧୋଇବେ । ଏହାସହିତ ମହିଳା ମେକ୍ଅପ୍ ଆର୍ଟିଷ୍ଟ କୌଣସି ଗ୍ରାହକଙ୍କ ଘରକୁ ସେବା ଯୋଗାଇବା ଲାଗି ଯାଇପାରିବେ ନାହିଁ । ଏହି ସମସ୍ତ ନିୟମକୁ ପାଳନ କରିବା ଲାଗି ସମସ୍ତ ବିୟୁଟି ପାର୍ଲରକୁ ନୋଟିସ ଜାରି କରାଯାଇଥିଲା । ହେଲେ ଏହି ନିୟମକୁ ପାଳନ ନକରିବାରୁ ବିୟୁଟି ପାର୍ଲରଗୁଡ଼ିକୁ ବ୍ୟାନ କରାଯାଇଥିବା ମନ୍ତ୍ରଣାଳୟର ମୁଖପାତ୍ର ଅକିଫ ମହାଜର କହିଛନ୍ତି ।