ନୂଆଦିଲ୍ଲୀ:ଚୀନ ରାଷ୍ଟ୍ରପତି ସି' ଜିନପିଙ୍ଗ୍ଙ୍କ ସବୁଠୁ ବିଶ୍ବସ୍ତ ସହଯୋଗୀ ହେଉଛନ୍ତି ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ । ହେଲେ ଗତ ମାସେରୁ ଅଧିକ ସମୟ ଧରି ତାଙ୍କ ଦେଖା ଦର୍ଶନ ମିଳିନି । ନା ମନ୍ତ୍ରଣାଳୟରେ ତାଙ୍କୁ କିଏ ଦେଖିଛି ନା କୌଣସି ବୈଠକରେ । ଏଣୁ କିନ୍ ନିଖୋଜ ହୋଇଯାଇଛନ୍ତି ବୋଲି ଅନେକ ସନ୍ଦେହ ମଧ୍ୟ କରୁଛନ୍ତି । ଶେଷ ଥର ଲାଗି ସେ ଜୁନ୍ 25 ତାରିଖରେ ଋଷ୍, ଶ୍ରୀଲଙ୍କା ଓ ଭିଏତନାମ ଅଧିକାରୀଙ୍କ ସହିତ ଏକ ବୈଠକରେ ଯୋଗ ଦେଇଥିଲେ । ଏହା ପରଠାରୁ ତାଙ୍କୁ ସାର୍ବଜନିକ ସ୍ଥାନରେ ଦେଖିବାକୁ ମିଳିନାହିଁ ।
ରାଷ୍ଟ୍ରପତି ସି' ଜିନପିଙ୍ଗଙ୍କ ପୂର୍ବ ସହଯୋଗୀ ମଧ୍ୟ ରହିଛନ୍ତି 57 ବର୍ଷୀୟ କିନ୍ ଗ୍ୟାଙ୍ଗ । ତାଙ୍କୁ ପ୍ରଥମେ ଆମେରିକାରେ ଚୀନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଥିଲା । ସେଠାରେ ସେ 2ବର୍ଷ କାମ କରିବା ପରେ ଗତ ଡିସେମ୍ବରରେ ତାଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଥିଲା । ଇଣ୍ଡୋନେସିଆରେ ହୋଇଥିବା ASEAN ଶିଖର ସମ୍ମିଳନୀରେ କିନ୍ ଗ୍ୟାଙ୍ଗ ବେଜିଂର ପ୍ରତିନିଧି ଦଳର ନେତୃତ୍ବ ନେବାର ଥିଲା । ହେଲେ କିନ୍ ସେଠାରେ ଉପସ୍ଥିତ ନଥିଲେ । ତେବେ ବୈଦେଶିକ ମନ୍ତ୍ରୀ କିନ୍ଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିବା ବେଳେ ବେଜିଂ ମଧ୍ୟ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହିଁ ।