ଇସଲାମାବାଦ:ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି କରିଥିବା ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପାକିସ୍ତାନ ପୋଲିସ (Shooting incident on Imran Khan)। ତେବେ ଗିରଫଦାରୀ ପରେ ସମ୍ପୃକ୍ତ ଯୁବକର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି । ସେ ହିଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି କରିଛି ଓ ହତ୍ୟା କରିବା ଉଦ୍ଦେଶ୍ୟରେ ଆସିଥିବା ନିଜ ମୁହଁରେ ନିର୍ଭିକ ଭାବରେ ସ୍ବୀକାର କରୁଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ।
ଗିରଫ ପରେ ଜଣେ ପୋଲିସ ଅଧିକାରୀ ଅଭିଯୁକ୍ତକୁ ଆକ୍ରମଣର କାରଣ ସମ୍ପର୍କରେ ପଚାରୁଛନ୍ତି । ଅତି ଭୟଶୂନ୍ୟ ଭାବରେ ଏହି ଆକ୍ରମଣକାରୀ ଯୁବକଟି ସେ କରିଥିବା ଗୁଳିକାଣ୍ଡ ନେଇ ସମସ୍ତ ସୂଚନା ରଖିଥିବା ଦେଖିବାକୁ ମିଳିଛି । ସେ ହତ୍ୟା କରିବା ପାଇଁ ଆସିଥିଲା । ଗୁଳି ଚଳାଇ ହତ୍ୟା କରିବା ପାଇଁ ପ୍ରୟାସ ମଧ୍ୟ କରିଥିଲା ତେବେ ଇମ୍ରାନ ବର୍ତ୍ତି ଯାଇଥିବା ଅଭିଯୁକ୍ତ କହିଛି ।
ଅଭିଯୁକ୍ତ କହିଛି, ‘‘ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଲୋକଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି । ସେଥିପାଇଁ ମୁଁ ତାଙ୍କୁ ହତ୍ୟା କରିବା ପାଇଁ ଆସିଥିଲା । ମୁଁ କେବଳ ଇମ୍ରାନଙ୍କୁ ଗୁଳି ଚଳାଇଥିଲି ଆଉ କାହାକୁ କ୍ଷତି ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନଥିଲା । ଏକ ମୋଟର ସାଇକେଲରେ ଆସି ମୁଁ ଜଣେ ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲି । ପରେ ସେ ରାଲି ସ୍ଥଳକୁ ଯାଇଥିଲି । ସେଠାରେ ଇମ୍ରାନଙ୍କୁ ହିଁ ଗୁଳି ଚଳାଇଥିଲି । ଇମ୍ରାନଙ୍କୁ ହତ୍ୟା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରଚେଷ୍ଟା କରିଥିଲି । କିନ୍ତୁ ଇମ୍ରାନ ଖାନ ଅଳ୍ପକେ ବର୍ତ୍ତିଯାଇଥିଲେ । ମୁଁ ଏହି ଗୁଳି ଚଳାଇବା ଘଟଣାକୁ ଏକାକୀ ରୂପ ଦେଇଥିଲି । ମୋ ସହିତ ଆଉ କେହି ନଥିଲେ ।’’ ଏମିତି ବେଫିକର ଢଙ୍ଗରେ ପୋଲିସ ଅଧିକାରୀଙ୍କ ସାମ୍ନାରେ ଘଟଣା ନେଇ ପ୍ରତିକ୍ରିୟା ରଖିଛି ଆକ୍ରମଣକାରୀ ଅଭିଯୁକ୍ତ ।