ମସ୍କୋ: ଦୁଇ ମାସ ତଳେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ଘରୋଇ ସେନା ୱାଗନର ମୁଖ୍ୟ ୟେଭେଗିନି ପ୍ରିଗୋଝିନଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦାବି କରାଯାଉଛି । ବୁଧବାର ସନ୍ଧ୍ୟାରେ ମସ୍କୋର ଉତ୍ତର ଅଞ୍ଚଳରେ ଏହି ବିମାନ ଦୁର୍ଘଟଣା ଘଟିଛି । ପ୍ରିଗୋଝିନଙ୍କ ସମେତ ବିମାନରେ ଥିବା ସମସ୍ତ ୧୦ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏନେଇ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସରେ ଖବର ପ୍ରକାଶ ପାଇଛି ।
ତେବେ ୱାଗନର ସେନାର ବସ୍ ପ୍ରିଗୋଝିନଙ୍କ ମୃତ୍ୟୁ ନେଇ କ୍ରେମଲିନ କିମ୍ବା ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏଯାଏଁ ଆନୁଷ୍ଠାନିକ ଭାବେ କୌଣସି ଟିପ୍ପଣୀ ଦିଆଯାଇ ନାହିଁ । ୱାନଗର ସହ ଜଡିତ ଏକ ଟେଲିଗ୍ରାମ ଚ୍ୟାନେଲ ଗ୍ରେ ଜୋନ ତାଙ୍କୁ ମୃତ ଘୋଷିତ କରିଛନ୍ତି ଏବଂ ଜଣେ ହିରୋ ତଥା ଦେଶଭକ୍ତ ଭାବେ ସମ୍ମାନିତ କରିଛନ୍ତି । ଋଷିଆ ବେସାମରିକ ବିମାନ ଚଳାଚଳ ଏଜେନ୍ସି କହିଛି ଯେ, ଦୁର୍ଘଟଣାଗ୍ରସ୍ତ ବିମାନର ଯାତ୍ରୀ ତାଲିକାରେ ପ୍ରିଗୋଝିନଙ୍କ ନାଁ ରହିଛି । ଏହି ବିମାନ ମସ୍କୋରୁ ସେଣ୍ଟ ପିଟର୍ସବର୍ଗ ଯାଉଥିଲା । ଟିଭର ଅଞ୍ଚଳରେ ବିମାନ କ୍ରାସ୍ ହୋଇଯାଇଥିଲା । ଏଥିରେ ୧୦ ଜଣ ଯାତ୍ରୀ ଥିବାବେଳେ ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି ।