ୱାଶିଂଟନ:ଆମେରିକା ଆକାଶରେ ଉଡୁଥିବା ଚୀନର ଗୁଇନ୍ଦା ବେଲୁନକୁ ମିସାଇଲ ମାଡ କରି ଖସାଇ ଦିଆଯାଇଛି । ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ କୋରାଲିନା ଉପକୂଳରେ ଆମେରିକା ବାୟୁସେନା ଏହି ବିରାଟକାୟ ବେଲୁନକୁ ନଷ୍ଟ କରିଛି । ବର୍ତ୍ତମାନ ବେଲୁନର ଧ୍ବଂସାବଶେଷ ଉଦ୍ଧାର କରିବାକୁ ସମୁଦ୍ରରେ ଖୋଜାଖୋଜି ଚାଲିଛି । ଏନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଏହାକୁ ତଳକୁ ଖସାଇବା ପୂର୍ବରୁ ଆମେରିକା ନିଜର ତିନୋଟି ଏୟାରପୋର୍ଟ ସହ ଏୟାରସ୍ପେସ୍କୁ ବନ୍ଦ କରିଥିଲା । ଏହାପରେ ଆଟଲାଣ୍ଟିକ ମହାସାଗର ଉପରେ ଗୁଇନ୍ଦା ବେଲୁନ ଉଡୁଥିବା ବେଳେ ଜେଟ ସାହାଯ୍ୟରେ ମିସାଇଲ କରିଥିଲା ସେନା ।
ଏହି କାର୍ଯ୍ୟ ପାଇଁ ରାଷ୍ଟ୍ରପତି ବାଇଡେନ ସେନାକୁ ପ୍ରଶଂସା କରି କହିଛନ୍ତି, ''ବିରାଟକାୟ ଗୁଇନ୍ଦା ବେଲୁନକୁ ଖସାଇବା ପାଇଁ ଏହି ସପ୍ତାହରେ ହିଁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଏହାଦ୍ବାରା କାଳେ ଭୂପୃଷ୍ଠରେ ଥିବା ଜନବସିତ ଉପରେ ବିପଦ ସୃଷ୍ଟି ହେବ ସେଥିପାଇଁ ବେଲୁନ ସମୁଦ୍ର ଉପରକୁ ଆସିବା ଯାଏଁ ଅପେକ୍ଷା କରାଯାଇଥିଲା ।'' ୩ ଦିନ ହେଲାଣି ଚୀନର ଗୁଇନ୍ଦା ବେଲୁନ ଆମେରିକା ଆକାଶରେ ଉଡୁଥିବା ଦେଖାଯାଇଥିଲା । ରାଷ୍ଟ୍ରପତି ଓ ଆମେରିକା ସେନା ଲଗାତାର ଏହାର ଗତିବିଧି ଉପରେ ନଜର ରଖିଥିଲେ ।