ହାଇଦ୍ରାବାଦ: ଅଚାନକ ୟୁକ୍ରେନ ଗସ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ ଆଜି (ସୋମବାର) ରାଜଧାନୀ କିଭରେ ପହଞ୍ଚିଥିବା ସୂଚନା ମିଳିଛି । ତେବେ ସେ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କୁ ସାକ୍ଷାତ କରିଥିବା ମଧ୍ୟ ସୂଚନା ମିଳିଛି । ବାଇଡେନଙ୍କ ୟୁକ୍ରେନ ଗସ୍ତ ସମ୍ପର୍କରେ କୌଣସି ପୂର୍ବ ସୂଚନା ନଥିଲା । ଆମେରିକା କିମ୍ବା ୟୁକ୍ରେନ ଉଭୟ କୌଣସି ଗସ୍ତ ସମ୍ପର୍କିତ ସୂଚନା ଦେଇ ନଥିବା ହଠାତ ଆଜି ବାଇଡେନ କିଭରେ ଅବତରଣ କରିଛନ୍ତି । ଉଭୟ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନା ହୋଇଥିବା ନେଇ ସ୍ଥାନୀୟ ସମେତ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ କୌଣସି ଦେଶ ଏହି ସୂଚନା ଦେଇନାହାନ୍ତି ।
ଋଷର ୟୁକ୍ରେନ ଆକ୍ରମଣକୁ ପ୍ରାୟ ବର୍ଷେ ପୂରଣ ହେବାକୁ ଯାଉଛି । ପ୍ରବଳ ଆକ୍ରମଣ ସତ୍ତ୍ବେ ମଧ୍ୟ ୟୁକ୍ରେନ ଲଢେଇ ଜାରି ରଖିଥିବା ବେଳେ ଯୁଦ୍ଧବାର୍ଷିକୀ ମଧ୍ୟ ପାଳନ କରିବାକୁ ଯାଉଛି । ଏହାର ଠିକ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜେ ୟୁକ୍ରେନ ଗସ୍ତ କରି ଜେଲେନସ୍କିଙ୍କ ସହ ଆଲୋଚନା କରିବା ଏବେ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟି କରିଛି । ଯୁଦ୍ଧ ଆରମ୍ଭରୁ ଆମେରିକାର ଋଷ ବିରୋଧୀ ଆଭିମୁଖ୍ଯ ସହ ୟୁକ୍ରେନ ସମର୍ଥନରେ ରହିଆସିଛି । ସମସ୍ତ ପ୍ରକାର ନୈତିକ ସାହାଯ୍ୟ ସହିତ ଆର୍ଥିକ ଓ ସାମରିକ ସହାୟତା ମଧ୍ୟ ୟୁକ୍ରେନକୁ ପ୍ରଦାନ କରିବା ଜାରି ରଖିଛି ଆମେରିକା । ଋଷର ଆକ୍ରମଣ ଆରମ୍ଭରେ ଆମେରିକାର ଭୂମିକା ନେଇ ବଡ ଅନୁମାନ କରାଯାଉଥିଲା ।