ୱାଶିଂଟନ:ବାଲେଶ୍ବରରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି । ଏନେଇ ଋଷିଆ ଠାରୁ ଆରମ୍ଭ କରି ଜାପାନ ଯାଏଁ ବଡ ବଡ ବିଶ୍ବନେତା ଗଭୀର ଶୋକ ପ୍ରକାଶ କରିଛନ୍ତି । ସାରା ବିଶ୍ବରୁ ସହାନୁଭୂତି ଓ ସମବେଦନାର ସୁଅ ଛୁଟିଛି । ଏହି କ୍ରମରେ ସୁପରପାୱାର ଦେଶ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏହି ଦୁର୍ଘଟଣା ଖବରରେ ସେ ଖୁବ୍ ମର୍ମାହତ ବୋଲି କହିଛନ୍ତି ଓ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।
ରାଷ୍ଟ୍ରପତି ବାଇଡେନ ଓ ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନ ଏକ ବିବୃତ୍ତିରେ କହିଛନ୍ତି, "ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ଭୟଙ୍କୟ ଟ୍ରେନ ଦୁର୍ଘଟଣା ଖବର ଜାଣି ଆମେ ଦୁହେଁ ଖୁବ୍ ମର୍ମାହତ । ନିଜର ପ୍ରିୟଜନଙ୍କୁ ହରାଇଥିବା ଲୋକ ଏବଂ ଆହତ ମାନଙ୍କ ପାଇଁ ପ୍ରାର୍ଥନା କରୁଛୁ । ଭାରତ ଓ ଆମେରିକା ମଧ୍ୟରେ ଗଭୀର ସମ୍ପର୍କ ରହିଛି । ପରିବାର ଓ ସଂସ୍କୃତି ଦୁଇ ଦେଶକୁ ଯୋଡିଛି । ଏଭଳି ଦୁଃଖଦ ସମୟରେ ଭାରତ ସହିତ ଆମେରିକା ଅଛି । ଆମେରିକାବାସୀ ଭାରତୀୟଙ୍କ ସହ ଶୋକ ପାଳୁଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆମେ ଭାରତ ପାଇଁ ପ୍ରାର୍ଥନା କରୁଛୁ ।" ହ୍ବାଇଟ ହାଉସ ପକ୍ଷରୁ ଏହି ବିବୃତ୍ତି ଜାରି କରାଯାଇଛି ।