ୱାଶିଂଟନ: ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣର ଅଭିଯୁକ୍ତ ତହାୱୁର ରାଣାକୁ ଭାରତ ଅଣାଯିବ । ପାକିସ୍ତାନୀ ବଂଶୋଦ୍ଭବ ତଥା କାନାଡା ବ୍ୟବସାୟୀ ତହାୱୁରକୁ ଭାରତ ପ୍ରତ୍ୟାର୍ପଣ ପାଇଁ ଆମେରିକାର ଏକ କୋର୍ଟ ଅନୁମତି ଦେଇଛନ୍ତି । ୨୦୦୮ ମୁମ୍ବାଇ ଆକ୍ରମଣ ଘଟଣାରେ ତା'ର ସମ୍ପୃକ୍ତି ଥିବା ଅଭିଯୋଗରେ ଭାରତ ସରକାରଙ୍କ ଅନୁରୋଧକ୍ରମେ ତହାୱୁର ରାଣାକୁ ଆମେରିକାରେ ଗିରଫ କରାଯାଇଥିଲା । ସେ ଜେଲରେ ସଜ୍ଜା କାଟୁଥିବା ବେଳେ ତାକୁ ଭାରତ ଆଣିବା ପାଇଁ ଆମେରିକା କାର୍ଲିଫର୍ଣ୍ଣିଆର କୋର୍ଟ ସହମତି ପ୍ରକାଶ କରିଛନ୍ତି ।
୬୨ ବର୍ଷୀୟ ତହାୱୁର ରାଣାର ପ୍ରତ୍ୟାର୍ପଣ ପାଇଁ ଭାରତ ସରକାର ୨୦୨୦ ଜୁନ ୧୦ରେ ତା'ର ଅସ୍ଥାୟୀ ଗିରଫ ଦାବି କରି ଏକ ମାମଲା ଦାୟର କରିଥିଲେ । ବାଇଡେନ ପ୍ରଶାସନ ମଧ୍ୟ ଏହି କାନାଡା ବ୍ୟବସାୟୀ ପ୍ରତ୍ୟାର୍ପଣକୁ ସମର୍ଥନ କରିବା ସହ ଅନୁମୋଦନ ଦେଇଥିଲେ । ମେ' ୧୬ରେ ଆମେରିକା କର୍ଲିଫର୍ଣ୍ଣିଆ ଲସ୍ ଆଞ୍ଜେଲସ୍ ସ୍ଥିତ ଜିଲ୍ଲା କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ବିଚାରପତି ଜ୍ୟାକଲିନ ଚୋଲଜିଆନ ମାମଲାର ଶୁଣାଣି ସମୟରେ ସମସ୍ତ ଯୁକ୍ତି ଓ ଦଲିଲକୁ ବିଚାର କରି ମୁମ୍ବାଇ ଆତଙ୍କୀ ଆକ୍ରମଣ ଘଟଣାର ଅଭିଯୁକ୍ତ ଥିବା ଏହି କାନାଡା ବ୍ୟବସାୟୀକୁ ଭାରତ ପଠାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏ ସଂକ୍ରାନ୍ତରେ ଗତକାଲି (ବୁଧବାର) କୋର୍ଟଙ୍କ ୪୮ ପୃଷ୍ଠା ସମ୍ବଳିତ ରାୟ ପ୍ରକାଶିତ ହୋଇଛି ।