ଓଡିଶା

odisha

ETV Bharat / international

Israel Hamas War: ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଅସ୍ତ୍ରବିରତି ପ୍ରସ୍ତାବ ପାରିତ, ଭୋଟିଂରୁ ବିରତ ରହିଲା ଭାରତ - ଜୋର୍ଡାନ ପକ୍ଷରୁ ଦିଆଯାଇଥିଲା ପ୍ରସ୍ତାବ

ଇସ୍ରାଇଲ- ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ପ୍ରଥମଥର ପାଇଁ ସଂଯୁକ୍ତ ରାଷ୍ଟ୍ର ମହାସଭା ଆୟୋଜିତ । ବୈଠକରେ ଜୋର୍ଡାନ ପକ୍ଷରୁ ଦିଆଯାଇଥିବା ଅସ୍ତ୍ରବିରତି ପ୍ରସ୍ତାବ ପାରିତ ହୋଇଛି । ହେଲେ ଏହାକୁ ସମର୍ଥନ କଲାନି ଭାରତ । ଅନ୍ୟପଟେ କଳାଦିନ କହିଲା ଇସ୍ରାଇଲ । ଅଧିକ ପଢନ୍ତୁ

ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଅସ୍ତ୍ରବିରତୀ ପ୍ରସ୍ତାବ ପାରିତ
ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଅସ୍ତ୍ରବିରତୀ ପ୍ରସ୍ତାବ ପାରିତ

By ETV Bharat Odisha Team

Published : Oct 28, 2023, 12:32 PM IST

ହାଇଦ୍ରାବାଦ: ଇସ୍ରାଇଲ- ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଭୟାବହତା ଏବେ ସାରା ବିଶ୍ବକୁ ଚିନ୍ତାରେ ପକାଇଛି । ଏହି ଯୁଦ୍ଧରେ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ବନେତାମାନଙ୍କ ମଧ୍ୟରେ ଏକ ମହାସଭା ଅନୁଷ୍ଠିତ ହୋଇଯାଇଛି । ସଂଯୁକ୍ତ ରାଷ୍ଟ୍ରର ସାଧାରଣ ସଭାରେ 2 ଦେଶ ମଧ୍ୟରେ ଅସ୍ତ୍ରବିରତି ପ୍ରସ୍ତାବ ପାରିତ ହୋଇଛି । ତେବେ ସାଧାରଣ ନାଗରିକଙ୍କ ସୁରକ୍ଷା ଏବଂ ଆଇନଗତ ଏବଂ ମାନବିକ ଦାୟିତ୍ୱବୋଧକୁ ସମର୍ଥନ ଉଦ୍ଦେଶ୍ୟରେ ଏହି ସ୍ବତନ୍ତ୍ର ଅଧିବେଶନର ଆୟୋଜନ ହୋଇଥିଲା । ତେବେ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ସଂଯୁକ୍ତ ରାଷ୍ଟ୍ର ମହାସଭା ଡକାଇଥିଲା ।

ଏହାମଧ୍ୟ ପଢନ୍ତୁ..Israel Hamas War: ହମାସର ଦାବି, ଇସ୍ରାଏଲ ଆକ୍ରମଣରେ ପ୍ରାୟ 50 ପଣବନ୍ଦୀଙ୍କ ମୃତ୍ୟୁ !

ଇସ୍ରାଇଲ-ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନର ସାଧାରଣ ନାଗରିକଙ୍କ ଜୀବନ ପୋକମାଛି ଭଳି ଯାଉଥିବା ବେଳେ ଏଥିରେ ରୋକ ଲଗାଇବାକୁ ଜୋର୍ଡାନ ପକ୍ଷରୁ ଏହି ଅସ୍ତ୍ରବିରତି ପ୍ରସ୍ତାବ ଦିଆଯାଇଯାଇଥିଲା । ତେବେ 193 ଜଣ ବିଶ୍ବନେତାଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତାବ ସପକ୍ଷରେ 120 ଭୋଟ ପଡିଥିବା ବେଳେ ବିପକ୍ଷରେ 14 ଓ 45 ଦେଶ ଭୋଟରୁ ନିଜକୁ ଦୂରେଇ ରଖିଥିଲେ । ଭାରତ ସମେତ ଆମେରିକା, କାନାଡା, ୟୁକ୍ରେନ ପ୍ରମୁଖ ଏହି ଭୋଟିଂରୁ ନିଜକୁ ଦୂରରେ ରଖିଥିଲେ ।

ତେବେ ଇସ୍ରାଇଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ମହାସଭା ଦ୍ବାରା ଜରୁରୀକାଳୀନ ବିଶେଷ ଅଧିବେଶନ ଡକାଯାଇଥିଲା । ଏହି ଅଧିବେଶନରେ ମାନବିକ ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଯୁଦ୍ଧରେ ବିରାମ ଲଗାଇବା ନେଇ ଜାର୍ଡେନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ତୁରନ୍ତ ଯୁଦ୍ଧରେ ବିରାମ ଲଗାଇବା ପାଇଁ ଏହି ପ୍ରସ୍ତାବରେ ଆହ୍ବାନ ଦିଆଯାଇଥିଲା । ବୁଧବାର ଦିନ ଏହି ବୈଠକ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ଯାଏ ଜାରି ରହିଥିଲା ।

ଏହାମଧ୍ୟ ପଢନ୍ତୁ..ଅଶାନ୍ତ ବିଶ୍ୱ ! ସିରିଆ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌, "ଆତ୍ମରକ୍ଷା ପାଇଁ ଆକ୍ରମଣ"

ହେଲେ ଏହି ପ୍ରସ୍ତାବରେ 7 ଅକ୍ଟୋବରରେ ହମାସ ପକ୍ଷରୁ ଇସ୍ରାଇଲ ଉପରେ କରାଯାଇଥିବା ଭୟଙ୍କର ଆକ୍ରମଣ ବିଷୟରେ ଉଲ୍ଲେଖ କରାଯାଇନଥିଲା । ଯେଉଁଥିପାଇଁ ଏହାକୁ ବିରୋଧ କରି ଭୋଟିଂରୁ ନିବୃତ୍ତ ରହିଥିଲେ ଭାରତ, ଆମେରିକା, ୟୁକ୍ରେନ, କାନାଡା, ଅଷ୍ଟ୍ରେଲିଆ ସମେତ 14 ଦେଶ ।

କାନାଡା ଏହି ପ୍ରସ୍ତାବରେ ସଂଶୋଧନ କରିବା ପାଇଁ ଆଉ ଏକ ପ୍ରସ୍ତାବ ଦେଇଥିଲା । ଅକ୍ଟୋବର 7ରେ ହମାସର ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ଓ ହମାସ ଦ୍ୱାରା କରାଯାଇଥିବା ବନ୍ଧକମାନଙ୍କୁ ବିନା କୌଣସି ସର୍ତ୍ତରେ ତୁରନ୍ତ ମୁକ୍ତ କରିବାକୁ କହିଥିଲା କାନାଡା । ତେବେ କାନାଡାର ଏହି ସଂଶୋଧିତ ପ୍ରସ୍ତାବକୁ ଭାରତ, ଆମେରିକା, ଅଷ୍ଟ୍ରେଲିଆ, ୟୁନାଇଟେଡ କିଙ୍ଗଡମ( ବ୍ରିଟେନ), ଅଷ୍ଟ୍ରିଆ, ୟୁକ୍ରେନ ଭଳି ଦେଶ ସମର୍ଥନ କରିଥିଲେ ମଧ୍ୟ ଏହା ପାରିତ ହୋଇନଥିଲା । କାରଣ ଏହାର ସପକ୍ଷରେ 88ଦେଶର ଭୋଟ ପଡିଥିବା ବେଳେ ବିରୋଧରେ 55 ଭୋଟ ପଡିଥିଲା । ଅନ୍ୟପଟେ 23 ଦେଶ ଭୋଟିଂରୁ ନିଜକୁ ଦୂରେଇ ରଖିଥିଲେ । ଉପସ୍ଥିତ ଓ ମତଦାନ କରିଥିବା ଭୋଟରଙ୍କ ସଂଖ୍ୟ ଦୁଇ ତୃତୀୟାଂଶ ଅର୍ଥାତ ବହୁମତ ହାସଲ କରିବାକୁ ବିଫଳ ହେବାରୁ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇନଥିଲା ।

ଏହାମଧ୍ୟ ପଢନ୍ତୁ..ହମାସ ଆକ୍ରମଣର ସମ୍ଭାବ୍ୟ କାରଣ ‘ଭାରତ ମଧ୍ୟପ୍ରାଚ୍ୟ ଇକୋନୋମିକ କରିଡର’: ବାଇଡେନ

କାନାଡାର ଏହି ପ୍ରସ୍ତାବ ଉପରେ ପାକିସ୍ତାନ ନିଜର ମତ ଦେଇ କହିଥିଲା, "ଯଦି ଏହି ପ୍ରସ୍ତାବ ନିରପେକ୍ଷ ହୋଇଥାନ୍ତା ତେବେ ହମାସ ସହ ଇସ୍ରାଇଲର ନାଁ ବି ସାମିଲ ଥାଆନ୍ତା । ଯଦି ଆପଣଙ୍କୁ ନିରପେକ୍ଷ ଓ ନ୍ୟାୟସଂଗତ ହେବାକୁ ଇଚ୍ଛା ତେବେ ହମାସ ସହ ଇସ୍ରାଇଲ ନାଁ ବି ନେବାକୁ ପଡିବ ।"

ଅନ୍ୟପଟେ ଭୋଟିଂ ପୂର୍ବରୁ ଜୋର୍ଡାନର ସ୍ଥାୟୀ ପ୍ରତିନିଧି ମହମ୍ମଦ ହମୁଦ କହିଥିଲେ ଯେ, ଯୁଦ୍ଧରେ ତୁରନ୍ତ ବିରାମ ଲାଗିବାର ଆବଶ୍ୟକତା ରହିଛି । ଯଦି ଏହି ଯୁଦ୍ଧ ବନ୍ଦ ନ ହୁଏ ପାଲେଷ୍ଟାଇନ ନାଗରିକମାନଙ୍କ ଦୁଃଖ ଆଗାମୀ ଅନେକ ପିଢି ପର୍ଯ୍ୟନ୍ତ ଛାପ ଛାଡିଯିବ । ସେ ଆଉ ମଧ୍ୟ କହିଥିଲେ ଯେ, ତାଙ୍କର ପ୍ରସ୍ତାବ ଅନ୍ତରାଷ୍ଟ୍ରୀୟ ଆଇନର ପାଳନ ଓ ବିଶ୍ବ ଶାନ୍ତି ପ୍ରତିଷ୍ଠା ଦିଗରେ ଅଟେ । ଯେଉଁଥିପାଇଁ ସଂଯୁକ୍ତ ରାଷ୍ଟ୍ରର ସ୍ଥାପନା କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ଉତ୍ତର ଗାଜାରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ ଜାରି

ଏହି ପ୍ରସ୍ତାବରେ କାନାଡା କହିଥିଲା ଯେ, ଏହି ମହାସଭା ଏଥିପାଇଁ ବୈଠକ କରୁଛି ଯେ, ସମସ୍ତଙ୍କ ଜୀବନ ଗୁରୁତ୍ବପୂର୍ଣ୍ଣ ଅଟେ । ଗୋଟିଏ ବି ଜୀବନ ଯିବା ଦୁଃଖଦ ଘଟଣା ଅଟେ । ସେ ଜୀବନ ଇସ୍ରାଇଲର ହେଉ କି ପାଲେଷ୍ଟାଇନର । ତେବେ 7 ଅକ୍ଟୋବରରେ ହମାସ ପକ୍ଷରୁ ଇସ୍ରାଇଲ ଉପରକୁ ପ୍ରଥମେ ଆକ୍ରମଣ କରାଯାଇଥିଲା । ଏହା ଯୁଦ୍ଧର ମୁଖ୍ୟ କାରଣ ଥିବା ବେଳେ ଏହା ଏହି ପ୍ରସ୍ତାବ ଉପସ୍ଥାପନ କରାଯାଇନାହିଁ । କାନାଡା ପକ୍ଷରୁ ଆଉ ମଧ୍ୟ କୁହାଯାଇଥିଲା ଯେ, ଯଦି ଏହି ମହାସଭା ସଂଶୋଧିତ ପ୍ରସ୍ତାବକୁ ଗ୍ରହଣ କରେ ନାହିଁ ତେବେ ଏହା ସ୍ପଷ୍ଟ ହେବ ଯେ, ବିଶ୍ବର ସବୁଠୁ ଖରାପ ଆତଙ୍କବାଦ ସଂଗଠନକୁ ଏହି ମହାସଭା ସମର୍ଥନ କରିଛି ।

କଳାଦିନ କହିଲା ଇସ୍ରାଇଲ: ଏହି ପ୍ରସ୍ତାବ ପାରିତ ହେବା ପରେ ଇସ୍ରାଇଲ ରାଷ୍ଟ୍ରଦୂତ, ସଂଯୁକ୍ତ ରାଷ୍ଟ୍ର ଓ ମାନବ ଜାତି ପାଇଁ ଏହା କଳାଦିନ ଭାବେ ଅଭିହିତ କରିଥିଲେ । ସେ ଆଉ ମଧ୍ୟ କହିଥିଲେ, "ଆମେ ସେମାନଙ୍କୁ ପୁଣି ଥରେ ଏଭଳି ଅତ୍ୟାଚାର କରିବାର ଅନୁମତି ଦେଇ ଚୁପଚାପ ବସିବୁ ନାହିଁ । ଇସ୍ରାଇଲକୁ ନିଜକୁ ରକ୍ଷା କରିବାର ଅଧିକାର ଅଛି । ତେବେ ସେମାନଙ୍କ ପକ୍ଷରୁ ନିଶ୍ଚିତ କରାଯାଉ ଯେ ଏଭଳି ଅତ୍ୟାଚାର ଆଉ କେବେ କରାଯିବନାହିଁ । ଓ ଏହାକୁ ସୁନିଶ୍ଚିତ କରିବାର ଏକମାତ୍ର ବାଟ ହେଉଛି ହମାସକୁ ଶେଷ କରିବା ।"

ଜୋର୍ଡାନ ପ୍ରସ୍ତାବକୁ ନେଇ ଭାରତର ଆଭିମୁଖ୍ୟ:ତେବେ ଜୋର୍ଡାନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ନେଇ ଭାରତ ନିଜର ଆଭିମୁଖ୍ୟ ରଖିଥିଲା । ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ କରିବା ଆବଶ୍ୟକ । ତେବେ 7 ଅକ୍ଟୋବରରେ ଇସ୍ରାଇଲ ଉପରେ ହୋଇଥିବା ଆକ୍ରମଣ ନିଶ୍ଚିତ ଭାବେ ଆଚମ୍ବିତ ଓ ନିନ୍ଦାଜନକ ଘଟଣା ଅଟେ । ବନ୍ଧକମାନଙ୍କ ତତ୍କାଳ ଓ ବିନା ସର୍ତ୍ତରେ ଛାଡିବାକୁ ଆହ୍ବାନ ଦେଇଥିଲା ଭାରତ । ଆଉ ମଧ୍ୟ ଆତଙ୍କବାଦକୁ ନେଇ କଡା ବିରୋଧ କରିଥିଲା ଭାରତ । ଭାରତର ରାଷ୍ଟ୍ରଦୂତ କହିଥିଲେ,"ଆତଙ୍କବାଦ ଏକ ଭୟଙ୍କର ବ୍ୟାଧି ଅଟେ ଯାହାର କୌଣସି ସାମୀ ନାହିଁ। ଆମେ ଏକାଠି ହୋଇ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା( ଜିରୋ ଟଲେରାନ୍ସ) ନୀତି ଆପଣାଇବାକୁ ପଡିବ । ଏହି ଯୁଦ୍ଧରେ ମୃତାହତ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଶିଶୁ ଓ ମହିଳା ନିଜର ଜୀବନ ଦେଇ ମୂଲ୍ୟ ଦେଉଛନ୍ତି । ଭାରତ ସବୁବେଳେ ଇସ୍ରାଇଲ- ପାଲେଷ୍ଟାଇନ ପ୍ରସଙ୍ଗରେ ଟୁ- ଷ୍ଟେଟ ସଲ୍ୟୁସନର ସମର୍ଥନ କରିଥାଏ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details