ନୂଆଦିଲ୍ଲୀ: ସୋମବାର ଠାରୁ ଚାରି ଦିନିଆ ଭାରତ ଗସ୍ତରେ ଆସିବେ ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ଏମିନ୍ ଝାପରୋଭା । ଦ୍ବିପାକ୍ଷିକ ସମ୍ପର୍କ, ୟୁକ୍ରେନର ସାମ୍ପ୍ରତିକ ପରିସ୍ଥିତି ଓ ପାରସ୍ପରିକ ସ୍ବାର୍ଥ ସଂକ୍ରାନ୍ତରେ ଆଲୋଚନା କରାଯିବା ନେଇ ସରକାରୀ ଅଧିକାରୀ ପକ୍ଷରୁ ସୂଚନା ମିଳିଛି । ଗସ୍ତ ସମୟରେ ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ଏବଂ ଉପ-ଜାତୀୟ ନିରପତ୍ତା ଉପଦେଷ୍ଟା ବିକ୍ରମ ମିଶ୍ରିଙ୍କୁ ସାକ୍ଷାତ କରିବେ ।
ସରକାରୀ ସ୍ତରରେ ଜାରି ହୋଇଥିବା ବିବୃତିରେ ଉଲ୍ଲେଖ ରହିଛି ଯେ, ୟୁକ୍ରେନ ସହିତ ଭାରତର ବନ୍ଧୁତ୍ବ ସମ୍ପର୍କ ଭଲ ରହିଛି । ବିଭିନ୍ନ କ୍ଷେତ୍ରରେ ୟୁକ୍ରେନକୁ ସହଯୋଗ କରିଛି । ଗତ ୩୦ ବର୍ଷ ଧରି ଦୁଇ ଦେଶ କୂଟନୈତିକ ସମ୍ପର୍କକୁ ବଜାୟ ରଖି ବାଣିଜ୍ୟ, ଶିକ୍ଷା, ସଂସ୍କୃତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ରକ୍ଷା କରିଛି । ଏହି ଗସ୍ତ ପାରସ୍ପରିକ ବୁଝାମଣା ଓ ସ୍ବାର୍ଥକୁ ସୁଦୃଢ କରିବା ଦିଗରେ ସହାୟକ ହେବ ବୋଲି ବିବୃତିରେ ପ୍ରକାଶ ପାଇଛି । ଉପ-ବୈଦେଶିକ ମନ୍ତ୍ରୀ ଏମିନ୍ ଝାପରୋଭାଙ୍କ ଗସ୍ତ ସମୟରେ ରୁଷ ଆକ୍ରମଣ ସମୟରେ ୟୁକ୍ରେନରେ କ୍ଷତିଗ୍ରସ୍ତ ହୋଇଥିବା ଶକ୍ତି ଭିତ୍ତିଭୂମିର ମରାମତି କରିବା ଲାଗି ଯନ୍ତ୍ରପାତି ଓ ମାନବିକ ସହାୟତା ଲୋଡ଼ି ପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କିଭ ଗସ୍ତ କରିବା ଲାଗି ମଧ୍ୟ ନିମନ୍ତ୍ରଣ କରିପାରନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।