ହାଇଦ୍ରାବାଦ:ପାଲେଷ୍ଟାଇନ ସମର୍ଥିତ ଆଭିମୁଖ୍ୟ ପାଇଁ ବ୍ରିଟେନ କ୍ୟାବିନେଟର ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ । ସୁନକ କ୍ୟାବିନେଟରେ ଗୃହମନ୍ତ୍ରୀ ଥିବା ସୁଏଲା ବ୍ରେଭରମ୍ୟାନ(Suella Braverman)ଙ୍କୁ ପଦରୁ ତୁରନ୍ତ ବରଖାସ୍ତ କରାଯାଇଛି । 43 ବର୍ଷୀୟା ସୁଏଲା ଭାରତୀୟ ବଂଶଜ । ଲଣ୍ଡନରେ ପାଲେଷ୍ଟାଇନ ସମର୍ଥକ ଗୋଷ୍ଠୀ ଦ୍ବାରା ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଲଣ୍ଡନ ପୋଲିସର କାର୍ଯ୍ୟାନୁଷ୍ଠାନକୁ ସେ ସମାଲୋଚନା କରିଥିଲେ । ଏନେଇ ସେ ଏକ ସ୍ଥାନୀୟ ଖବରକାଗଜରେ ବ୍ରିଟିଶ ପୋଲିସ ପ୍ରଶାସନକୁ କଡା ସମାଲୋଚନା କରି ଆଲେଖ୍ୟ ମଧ୍ୟ ପ୍ରକାଶିତ କରିଥିଲେ ।
ଏହା ପରେ ତାଙ୍କ ଅଡୁଆ ବଢିବାରେ ଲାଗିଥିଲା । ତାଙ୍କର ଏପରି ପାଲେଷ୍ଟାଇନ ସମର୍ଥିତ ଆଭିମୁଖ୍ୟ ବ୍ରିଟେନରେ ପାଲେଷ୍ଟାଇନ ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଛି ବୋଲି କିଛି ସ୍ଥାନୀୟ ବୁଦ୍ଧିଜୀବୀ ଅଭିଯୋଗ କରିଥିଲେ । ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସୁନକ ସରକାର ଉପରେ ଚାପ ସୃଷ୍ଟି ହୋଇଥିଲା । ତାର ମାତ୍ର କିଛି ଦିନ ମଧ୍ୟରେ ବ୍ରିଟେନ କ୍ୟାବିନେଟରୁ ତାଙ୍କୁ ବରଖାସ୍ତ କରାଯାଇଛି । ବିଦେଶ ମନ୍ତ୍ରୀ ଜେମସ କ୍ଲେଭର୍ଲୀ (Foreign Secretary James Cleverly) ଏବେ ତାଙ୍କ ସ୍ଥାନରେ ଗୃହ ବିଭାଗ ଦାୟିତ୍ବ ସମ୍ଭାଳିବା ନେଇ ଡାଉନିଂ ଷ୍ଟ୍ରିଷ୍ଟ ସୂତ୍ରରୁ ସୂଚନା ମିଳିଛି ।
ଗତ ଶନିବାର ଲଣ୍ଡନରେ ପାଲେଷ୍ଟାଇନ ସମର୍ଥକମାନେ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରିଥିଲେ । ସେମାନେ ଗାଜାରେ ଆକ୍ରମଣ ବନ୍ଦ କରିବା ଦାବିରେ ନାରାବାଜି କରିଥିଲେ । ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନେଇ ସୁଏଲା ପୋଲିସର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ । ତାଙ୍କର ଏକ ସମାଲୋଚନାତ୍ମକ ଲେଖା ସ୍ଥାନୀୟ ଖବର କାଗଜରେ ପ୍ରକାଶିତ ମଧ୍ୟ ହୋଇଥିଲା ।