ହାଇଦ୍ରାବାଦ: ଇସ୍ରାଏଲ ଗାଜାରେ ଜାରି ରଖିଥିବା ଆକ୍ରମଣକୁ ଯୁଦ୍ଧ ଅପରାଧ କହିଲା ତୁର୍କୀ । ଏନେଇ ତୁର୍କୀ ରାଷ୍ଟ୍ରପତି ସିଧା ସଖଳ ଇସ୍ରାଏଲକୁ ବିରୋଧ କରିବା ସହ ଦଖଲକାରୀ ଓ ଏହାକୁ ଯୁଦ୍ଧ ଅପରାଧ ବୋଲି କହିଛନ୍ତି । ଇସ୍ତାନବୁଲରେ ପାଲେଷ୍ଟାଇନ ପତାକା ସହ ଏକତ୍ରୀତ ହୋଇଥିବା ହଜାର ହଜାର ଜନତାଙ୍କୁ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ କହିଛନ୍ତି ଯେ ଇସ୍ରାଏଲ 22 ଦିନ ଧରି ଖୋଲାଖୋଲି ଭାବେ ଯୁଦ୍ଧ ଅପରାଧ କରୁଛି । କିନ୍ତୁ ପାଶ୍ଚାତ୍ୟ ନେତାମାନେ ଇସ୍ରାଏଲକୁ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ମଧ୍ୟ ଚାପ ସୃଷ୍ଟି କରୁନାହାନ୍ତି । ସମଗ୍ର ବିଶ୍ୱ ଜାଣେ ଯେ ଇସ୍ରାଏଲ ଯୁଦ୍ଧ ଅପରାଧୀ । ଆମେ ଏଥିପାଇଁ ପ୍ରସ୍ତୁତ ହେଉଛୁ । ଆମେ ଇସ୍ରାଏଲକୁ ଯୁଦ୍ଧ ଅପରାଧୀ ଘୋଷଣା କରିବୁ ବୋଲି ସେ କହିଛନ୍ତି । ଏର୍ଡୋଗାନଙ୍କ ଏହି ମନ୍ତବ୍ୟ ପରେ ଇସ୍ରାଏଲ ଓ ତୁର୍କୀ ମଧ୍ୟରେ କୂଟନୈତିକ ତିକ୍ତତା ମଧ୍ୟ ଆରମ୍ଭ ହୋଇସାରିଛି ।
ତେଲ ଅଭିବ ଆଙ୍କାରାରେ ଥିବା ନିଜ କୂଟନୈଜିଜ୍ଞଙ୍କୁ ଫେରାଇ ଆଣିଲା ଇସ୍ରାଏଲ । ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଏଲି କୋହେନ ଶନିବାର ତୁର୍କୀର କୂଟନୈତିକ ପ୍ରତିନିଧୀଙ୍କୁ ଇସ୍ରାଏଲ ଫେରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏକ୍ସରେ ଟ୍ବିଟ୍ କରି ସେ କହିଛନ୍ତି,"ତୁର୍କୀରୁ ଆସୁଥିବା ଗମ୍ଭୀର ବିବୃତ୍ତିକୁ ଦେଖି ମୁଁ ଇସ୍ରାଏଲ୍ ଏବଂ ତୁର୍କୀ ମଧ୍ୟରେ ଥିବା ସମ୍ପର୍କକୁ ପୁନର୍ବାର ମୂଲ୍ୟାଙ୍କନ କରିବା ପାଇଁ ସେଠାରେ କୂଟନୈତିକ ପ୍ରତିନିଧିମାନଙ୍କୁ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦେଇଛି ।" ତୁର୍କୀର ରାଷ୍ଟ୍ରପତି ତାଇପ ଏର୍ଡୋଗାନଙ୍କ ମନ୍ତବ୍ୟ ପରେ ଇସ୍ରାଏଲ ଏହି ପଦକ୍ଷେପ ଗ୍ରହଣ କରିଛି ।