ହାଇଦ୍ରାବାଦ:ଆଉ ମାତ୍ର କେଇ ଘଣ୍ଟା ପରେ କ୍ୟାଲେଣ୍ଡର ପୃଷ୍ଠାରୁ ଅପସରିଯିବ ୨୦୨୨ । ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ, ଉଦ୍ଦୀପନା । ପଛକୁ ରହିଯିବ ପୁରୁଣା ବର୍ଷର ପୁରୁଣା ସ୍ମୃତି । ଚଳିତ ବର୍ଷ ବିଶ୍ବ ଅନେକ ଘଟଣା, ବାଦ ବିଦାକୁ ସାମ୍ନା କରିଛି । କୋରୋନା ମହାମାରୀରୁ ଆଶ୍ବସ୍ତି ପାଇବା ପରେ ୨୦୨୨ ପ୍ରଥମାର୍ଦ୍ଧରେ ବିଶ୍ବ ଦେଖିଥିଲା ଋଷିଆ-ୟୁକ୍ରେନ ଯୁଦ୍ଧ । ପରବର୍ତ୍ତି ସମୟରେ ବିଭିନ୍ନ ଦେଶରେ ରାଜନୈତିକ ପରିବର୍ତ୍ତନ ଓ ଅର୍ଥନୈତିକ ଦୁଃସ୍ଥିତି ଦୃଷ୍ଟିଗୋଚର ହୋଇଥିଲା । ଅନୁରୂପ ଭାବେ ଔଦ୍ୟୋଗିକ, ପ୍ରଶାସନିକ ଓ ସାମାଜିକ ନେତୃତ୍ବ ଅନ୍ତର୍ଜାତୀୟ ଠାରୁ ଆରମ୍ଭ କରି ଜାତୀୟ ଓ ଆଞ୍ଚଳିକସ୍ତର ଯାଏଁ ଆହ୍ବାନପୂର୍ଣ୍ଣ ରହିଥିଲା । ଏଭଳି ପ୍ରଚ୍ଛଦପଟରେ ବିଦାୟୀ ବର୍ଷରେ ଦେଖନ୍ତୁ ପ୍ରମୁଖ ଅନ୍ତର୍ଜାତୀୟର ଘଟଣା...
୧. ଋଷିଆ-ୟୁକ୍ରେନ ଯୁଦ୍ଧ(Russia’s invasion of Ukraine)
୨୦୨୨ ମସିହାରେ ମହାମାରୀ କୋରୋନାର ପ୍ରାଦୁର୍ଭାବ କମିବା ପରେ ବିଶ୍ବବାସୀ କିଛି ମାତ୍ରାରେ ଆଶ୍ବାସ୍ତ ହୋଇଥିଲେ । ଏହି ସମୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିଷ୍ପତ୍ତି ପୃଥିବୀକୁ ଆଶାନ୍ତ କରିଦେଇଥିଲା । ଫେବୃଆରୀ ୨୪ରୁ ଋଷ- ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିଲା ଘମାଘୋଟ ଯୁଦ୍ଧ ।ସାମରିକ ଅପରେସନ ନାମରେ ପୁଟିନ ଆକ୍ରମଣର ନିର୍ଦ୍ଦେଶ ଦେଇଥିଲେ । ଋଷୀୟ ସୈନ୍ୟଙ୍କ ଘନଘନ ମିଶାଇଲ ମାଡ ଓ କିଭର ପ୍ରତୀରକ୍ଷାମୂଳକ ଜବାବୀ କାର୍ଯ୍ୟାନୁଷ୍ଠାନରେ ଉଭୟ ପକ୍ଷରୁ ଅନେକ ସୈନ୍ୟ ନିହତ ହୋଇଥିଲେ । ଋଷିଆର ଏଭଳି ଯୁଦ୍ଧଖୋର ମନୋଭାବ ନରସଂହାର ଯୋଗୁଁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଋଷିଆ ଉପରେ ଗୋଟିଏ ପରେ ଗୋଟେଏ କଟକଣା ଲଗାଇଛନ୍ତି । ୧୦ମାସରୁ ଉର୍ଦ୍ଧ୍ବ ସମୟ ଧରି ଯୁଦ୍ଧ ଘନଘଟା କେବଳ ଦୁଇ ପଡୋଶୀ ଋଷିଆ-ୟୁକ୍ରେନ କି ପାଶ୍ଚାତ୍ୟ ରାଷ୍ଟ୍ରରେ ସୀମିତ ହେଇନାହିଁ । ଏଥିରେ ସାରା ବିଶ୍ବ ଛନ୍ଦି ହୋଇଯାଇଛି । ମୋଦି ପୁଟିନଙ୍କୁ ଶାନ୍ତିର ପଥ ଆପଣାଇବା ସହ ଜେଲେନସ୍କିଙ୍କ ସହ ଏକାଧିକ ଥର ଫୋନରେ କଥା ହୋଇଛନ୍ତି । ଦେଖିବାକୁ ଗଲେ ୨୦୨୨ ତିନି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା, ଚାଇନା ଓ ଋଷିଆକୁ ପୂର୍ବପେକ୍ଷା ଅଧିକ ମୁହାଁମୁହିଁ ଅବସ୍ଥାକୁ ନେଇଆସିଛି ।
୨. ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ(Sri Lanka’s Scorching Economic Crisis)
କୋରୋନା ମହାମାରୀ ପରଠାରୁ ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଅତି ଖରାପ ରହିଛି । ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଏଭଳି ଭାବରେ ବିଗିଡିଯାଇଥିଲା ଯେ ଲୋକେ ଦୁଇ ବେଳା ଖାଦ୍ୟ ପାଇଁ ବି ସଂଘର୍ଷ କରୁଥିଲେ । ଚାକିରି,ବ୍ୟବସାୟ, ଚାଷ, କାରଖାନାରେ ଉତ୍ପାଦନ, ସବୁ କିଛି ଠପ୍ ହୋଇଯାଇଛି । ୨୦୨୧ ମଧ୍ୟ ଭାଗରୁ ଶ୍ରୀଲଙ୍କାର ଅର୍ଥନୀତି ଭୁଶୁଡ଼ିବା ଆରମ୍ଭ ହୋଇଥିବା ବେଳେ ୨୦୨୨ ବେଳକୁ ଏହା ଆହୁରି ସାଂଘାତିକ ସ୍ଥିତିରେ ପହଞ୍ଚି ଯାଇଥିଲା । ସ୍ଥିତି ଦିନକୁ ଦିନ ବେକାବୁ ହେବାରୁ ଏପ୍ରିଲ ମାସରୁ ଦେଶରେ ଆରମ୍ଭ ହୋଇଥିବା ବିକ୍ଷୋଭ। ସେଥିଯୋଗୁଁ ରାଜନୈତିକ ଦଳ ସହ ସାଧାରଣ ଲୋକମାନେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଜୁଲାଇ ୯ରେ ବିକ୍ଷୋଭକାରୀମାନେ ରାଜପକ୍ଷଙ୍କ ବାସଭବନରେ ଧସେଇ ପଶିଥିଲେ। ଲୋକଙ୍କ ଆକ୍ରୋଶ ଯୋଗୁଁ ସେ ଭୟରେ ଦେଶ ଛାଡ଼ି ଦେଇଥିଲେ। ଏହାପୂର୍ବରୁ ତାଙ୍କ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ ମଧ୍ୟ ଇସ୍ତଫା ଦେଇଥିଲେ। ଏସବୁ ବିକ୍ଷୋଭ ଓ ହିଂସା ମଧ୍ୟରେ ଶତାଧିକ ଲୋକ ପ୍ରାଣ ହରାଇଥିଲେ। ଦିନକୁ ଦିନ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଗୋଟାବାୟା ରାଜପକ୍ଷ ଇସ୍ତଫା ଦେଇଥିଲେ। ଏହାପରେ ରାନୀଲ ବିକ୍ରମସିଂଘେ ଦେଶର ରାଷ୍ଟ୍ରପତି ହୋଇଥିଲେ। ବର୍ତ୍ତମାନ ସ୍ଥିତିରେ ସୁଦ୍ଧାର ଆସୁଛି ।
୩. ତୃତୀୟଥର ପାଇଁ କ୍ଷମତା ହାତେଇଲେ ଜିନପିଙ୍ଗ(Xi Jinping’s Record Third Term in Power)
ଗତ ଅକ୍ଟୋବର ୨୩ ତାରିଖରେ ତୃତୀୟଥର ପାଇଁ ସି ଜିନପିଙ୍ଗ ଚାଇନାର ରାଷ୍ଟ୍ରପତି ପଦ ହାତେଇଥିଲେ । ମାଓ ଜେଡୋଙ୍ଗଙ୍କ ପରେ ୬୯ ବର୍ଷୀୟ ଜିନପିଙ୍ଗ ଚାଇନାର ସବୁଠାରୁ ପ୍ରଭାବଶାଳୀ ନେତା ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ। ସିପିସିର ସାଧାଣ ସମ୍ପାଦକ ହେବା ସହ ସେ ଦେଶର ରାଷ୍ଟ୍ରପତି ହୋଇଥିଲେ। ଯୁଦ୍ଧ ପାଇଁ ସବୁବେଳେ ସେ ପ୍ରସ୍ତୁତ ରହିବାକୁ କହିବା ଦ୍ବାରା ପୁରା ବିଶ୍ୱ ବିଶେଷ କରି ତାଇୱାନ ପ୍ରତି ବିପଦ ସୃଷ୍ଟି କରିଛି। ଗଲଓ୍ୱାନ ସଂଘର୍ଷ ପରେ G20ସମ୍ମିଳନୀରେ ପ୍ରଥମ ଥର ହାତ ମିଳାଇଲେ ମୋଦି-ଜିନପିଙ୍ଗ । ଉଭୟ ହାତ ମିଳାଇବା ସହ କିଛି ସମୟ ସୌଜନମୂଳକ ଆଲୋଚନା କରିଥିବା ମଧ୍ୟ ନଜର ଆସିଥିଲେ ।
ଚାଇନାରେ ସି ଜିନପିଙ୍ଗଙ୍କ ଜିରୋ କୋଭିଡ୍ ନୀତି ପ୍ରତିବାଦ....
କିଛି ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଛି କୋରୋନା ମହାମାରୀ । ଏହା ଉପରେ ରୋକ ଲଗାଇବା ପାଇଁ ଚୀନର ରାଷ୍ଟ୍ରପତି ଜିନପିଙ୍ଗ ଜିରୋ କୋଭିଡ୍ ନୀତି ଅବଲମ୍ବନ କରିଛନ୍ତି । ସରକାରଙ୍କ ଏହି ନୀତିକୁ ବିରୋଧ କରି ରାଜରାସ୍ତାରେ ବିକ୍ଷୋଭ କରିଛନ୍ତି ଲୋକେ । ସଂଘାଇରେ ଉଗ୍ର ରୂପ ଧାରଣ କରିଛି ଏହି ଆନ୍ଦୋଳନ ।
୪. ଭାରତୀୟ ବଂଶୋଦ୍ଭବ ଋଷି ସୁନକ (UK Gets its First Indian-origin PM)
ବ୍ରିଟେନର ନୂତନ ତଥା ୫୭ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟେନର ଶାସକ ଦଳର ସାଂସଦ ଋଷି ସୁନକ । ଋଷି ୫୭ତମ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ବେଳେ ବ୍ରିଟିଶ ଇତିହାସରେ ଗତ ଦୀର୍ଘ ୨ ଶତାବ୍ଦୀ ମଧ୍ୟରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ । ପୂର୍ବରୁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ବେଳେ ତାଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଲିଜ ଟ୍ରସ । ତେବେ ଟ୍ରସ ମାତ୍ର ୪୫ ଦିନ ଦାୟିତ୍ବରେ ରହିବା ପରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଥିଲେ । ଅକ୍ଟୋବର ୨୪ ତାରିଖରେ ସେ ବ୍ରିଟେନର ୫୭ତମ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଥିଲେ । ଦେଶର ସାଂଘାତିକ ଆର୍ଥିକ ସ୍ଥିତି ଟ୍ରସଙ୍କୁ କେବଳ ୪୫ ଦିନ ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦେଇଥିଲା। ସେ ଇସ୍ତଫା ଦେବା ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଅକ୍ଟୋବର ୨୫ରେ ସୁନକ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୧୮୧୨ ପରେ ୪୨ ବର୍ଷୀୟ ସୁନକ ବ୍ରିଟେନର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି ।
୫.ଟ୍ବିଟରର ମାଲିକ ଏଲନ ମସ୍କ (Elon Musk takes over Twitter)
ଅକ୍ଟୋବର 28ରେ 44 ବିଲିୟନ ଡଲାରରେ ଟ୍ବିଟରକୁ ନିଜ ଅଧୀନକୁ ନେଇଛନ୍ତି ତତ୍କାଳୀନ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ ମସ୍କ। ଅକ୍ଟୋବର ୨୮ରେ ସେ ଟ୍ୱିଟରକୁ ଦଖଲ କରିବା ପରେ ଏହାର ସିଇଓ ପରାଗ ଅଗ୍ରୱାଲ, ସିଏଫଓ ନେଡ ସେଗଲ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ କମ୍ପାନୀରୁ ବିଦା କରି ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ବିବାଦ। ଏହାପରେ ସେ ଟ୍ବିଟରରେ ଦିନକୁ ଦିନ ନୂଆ ନୂଆ ନିୟମ ଆଣୁଛନ୍ତି । ବ୍ଲୁ ଟିକକୁ ନେଇ ବାରମ୍ବାର ନିୟମ ପରିବର୍ତ୍ତନ କରୁଥିବା ବେଳେ ଅନେକ ଆକାଉଣ୍ଟ ମଧ୍ୟ ସସପେଣ୍ଡ କରିଛନ୍ତି । ମସ୍କ ପ୍ରତି କ୍ଷଣରେ ନିଜର ଯୋଜନା ବଦଳାଉଥିବାରୁ ଟ୍ୱିଟରର ଶେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଲୋକମାନେ ମଧ୍ୟ ଟ୍ୱିଟର ଉପରୁ ବିଶ୍ୱାସ ହରାଇବାରେ ଲାଗିଛନ୍ତି। ୪୪ ବିଲିୟନ ଡଲାରରେ ଟ୍ବିଟର କିଣିବା ପର ଠାରୁ ଟେସଲା ସିଇଓ ଏଲନ ମସ୍କଙ୍କ ସମ୍ପତ୍ତି ମୂଲ୍ୟରେ ଦ୍ରୁତ ହ୍ରାସ ହୋଇଛି । ଯାହାଫଳରେ ମସ୍କ ଏବେ ଧନୀ ତାଲିକାରେ ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି। ଏଥିରୁ ସ୍ପଷ୍ଟ ବାରି ହେଇଛି ଯେ, ଦିନକୁ ଦିନ ମସ୍କଙ୍କ ଦୁର୍ଦ୍ଦିନ ବଢିବାରେ ଲାଗିଛି ।