ଓଡିଶା

odisha

ETV Bharat / international

Libya floods: ଲିବ୍ୟାରେ ସାମୁଦ୍ରିକ ଝଡ଼ ପରେ ବନ୍ୟା ବିଭୀଷିକା, ମୃତ୍ୟୁସଂଖ୍ୟା ୫,୩୦୦କୁ ବୃଦ୍ଧି - ଲିବ୍ୟାରେ ପ୍ରଳୟଙ୍କାରୀ ବନ୍ୟା

ଲିବ୍ୟାରେ ପ୍ରଳୟଙ୍କାରୀ ବନ୍ୟା । ଏଥିରେ ୫ ହଜାରରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଏବେ ବି ୧୦ ହଜାର ଲୋକ ନିଖୋଜ । ଅଧିକ ପଢନ୍ତୁ

Libya floods
ଲିବ୍ୟାରେ ପ୍ରଳୟଙ୍କାରୀ ବନ୍ୟା

By ETV Bharat Odisha Team

Published : Sep 13, 2023, 11:28 AM IST

ତ୍ରିପୋଲି:ଉତ୍ତର ଆଫ୍ରିକୀୟ ଦେଶ ଲିବ୍ୟାରେ ସାମୁଦ୍ରିକ ଝଡ଼ 'ଡାନିଏଲ' ମୃତ୍ୟୁର ବିଭୀଷିକା ରଚିଛି । ବାତ୍ୟା ପରେ ପ୍ରଳୟଙ୍କାରୀ ବନ୍ୟାରେ ଲିବ୍ୟାର ପୂର୍ବ ସହର ଡେର୍ନା ନଗରୀ ପୁରାପୁରି ଛାରଖାର୍ ହୋଇଯାଇଛି । ହଜାର ହଜାର ଲୋକେ ମୃତ୍ୟୁର କୋଳରେ ଶୋଇଯାଇ ଥିବାବେଳେ ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ମଙ୍ଗଳବାର ଗୋଟିଏ ଦିନରେ ଡେର୍ନା ସହରରେ ୧୫୦୦ରୁ ଅଧିକ ମୃତଦେହ ଉଦ୍ଧାର ହୋଇଛି । ଯାହାଫଳରେ ସହରରେ ମୃତ୍ୟୁସଂଖ୍ୟା ୫ ହଜାର ୩୦୦ ଅତିକ୍ରମ କରିଛି । ଏହି ସଂଖ୍ୟା ଆଗକୁ ଆହୁରି ବଢିବ । କାରଣ ପ୍ରାୟ ୧୦ ହଜାର ଲୋକେ ବନ୍ୟାଜଳରେ ଭାସି ଯାଇ ଏବେ ବି ନିଖୋଜ ଅଛନ୍ତି । ଏନେଇ ଲିବ୍ୟା ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଆଧାରରେ ସ୍ଥାନୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛି ।

ଡେର୍ନାରେ ପ୍ରଳୟଙ୍କାରୀ ବନ୍ୟା ସୁନାମୀ ଭଳି ସ୍ଥିତି ସୃଷ୍ଟି କରିଛି । ବନ୍ୟା ଯୋଗୁଁ ଦୁଇଟି ଡ୍ୟାମ୍ ଭୁଶୁଡି ପଡିବା କାରଣରୁ ଡେର୍ନା ସହରରେ ଶତାଧିକ ଘରଦ୍ବାର, ରାସ୍ତାଘାଟ ପାଣିରେ ଭାସିଯାଇଛି । ପାଖାପାଖି ୯୦ ହଜାର ଲୋକେ ବାସହରା ହୋଇପଡିଛନ୍ତି । ବନ୍ୟାଜଳରେ ବଡ ବଡ ଅଟ୍ଟାଳିକା ତାସ୍ ଘର ଭଳି ଭାସିଯାଉଛି । ସହରରେ ଯୋଗାଯୋଗ ଓ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ମୃତାହତ ସଂଖ୍ୟା ଏତେ ଯେ ଏବେ ହସ୍ପିଟାଲଗୁଡିକରେ ମଧ୍ୟ ଆଉ ଜାଗା ନାହିଁ । ମୃତେଦହ ଗୁଡିକୁ ମୋର୍ଚରୀ ବାହାରେ ରଖାଯାଉଛ । ଗୋଟିଏ ହସ୍ପିଟାଲ ପରିସରରେ ଡର୍ଜନରୁ ଅଧିକ ମୃତଦେହ ଘୋଡାହୋଇ ରଖାଯାଇଥିବାର ଏକ ଫୁଟେଜ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ବନ୍ୟା ପ୍ରଭାବିତ ଡେର୍ନାରେ ଯୁଦ୍ଧାକାଳୀନ ଭିତରେ ରେସ୍କ୍ୟୁ ଅପରେସନ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ: Morocco Earthquake: ଭୟଙ୍କର ଭୂକମ୍ପରେ ସ୍ତବ୍ଧ ମରକ୍କୋ, ଗଲାଣି 28 ଶହରୁ ଅଧିକ ଜୀବନ

ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ରେଡ କ୍ରସ ଆଣ୍ଡ ରେଡ କ୍ରିସେନ୍ସ ସୋସାଇଟିର ଲିବ୍ୟା ପ୍ରତିନିଧି ତାମେର ରାମାଦାନ କହିଛନ୍ତି ଯେ, ଏହି ବନ୍ୟା ଜନିତ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ । ଏବେ ବି ଅତିକମରେ ୧୦ ହଜାର ଲୋକ ନିଖୋଜ ଅଛନ୍ତି । ସହରରୁ ୪୦ ହଜାରରୁ ଅଧିକ ଲୋକେ ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଲିବ୍ୟାରେ ମରକ୍କୋ ଭଳି ବିଷମ ପରିସ୍ଥିତି ସୃଷ୍ଟି ହୋଇଛି ।

ଏହି ବିପଦ ସମୟରେ ସହାୟତା ପାଇଁ ଆମେରିକା, ଜର୍ମାନୀୟ ଇରାନ, ଇଟାଲି, କତାର ଓ ତୁର୍କୀ ପ୍ରଭୃତି ରାଷ୍ଟ୍ର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଲିବ୍ୟା ସ୍ବାସ୍ଥ୍ୟମନ୍ତ୍ରୀ ଓଥମାନ ଅବଦୁଲଜାଲୀଲ କହିଛନ୍ତି, ଏହି ବିନାଶର ମାତ୍ରା ଦେଖି ଆମେ ସ୍ତବ୍ଧ । ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ବିପଦର ମୁକାବିଲା କରିବା ଡେର୍ନା ଓ ସରକାରଙ୍କ କ୍ଷମତା ବାହାରେ ।

ABOUT THE AUTHOR

...view details