ଓଡିଶା

odisha

ETV Bharat / international

ରାଣୀ ଏଲିଜାବେଥଙ୍କୁ ଚାର୍ଲ୍ସଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି: କହିଲେ ମୋ ପ୍ରିୟ ମାଆ, ତୁମକୁ ଧନ୍ୟବାଦ - ବ୍ରିଟେନ ରାଜା ଚାର୍ଲ୍ସ

ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ନିଧନ ପରେ ପ୍ରଥମ ଥର ଦେଶକୁ ସମ୍ବୋଧନ କଲେ ରାଜା ଚାର୍ଲ୍ସ । ମୋ ପ୍ରିୟ ମାଆକୁ ଧନ୍ୟବାଦ କହି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ବ୍ରିଟେନର ନୂଆ ସମ୍ରାଟ । ଅଧିକ ପଢନ୍ତୁ

ରାଣୀ ଏଲିଜାବେଥଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି: ମୋ ପ୍ରିୟ ମାଆକୁ ଧନ୍ୟବାଦ, କହିଲେ ରାଜା ଚାର୍ଲ୍ସ
ରାଣୀ ଏଲିଜାବେଥଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି: ମୋ ପ୍ରିୟ ମାଆକୁ ଧନ୍ୟବାଦ, କହିଲେ ରାଜା ଚାର୍ଲ୍ସ

By

Published : Sep 10, 2022, 10:44 AM IST

ଲଣ୍ଡନ: ମହାରାଣୀ ଏଲିଜାବେଥ(Queen Elizabeth) ଦ୍ବିତୀୟଙ୍କ ନିଧନ ପରେ ପ୍ରିନ୍ସ ଚାର୍ଲ୍ସ ରାଜା ହୋଇଛନ୍ତି । ୭୩ ବର୍ଷ ବୟସରେ 'କିଙ୍ଗ ଚାର୍ଲ୍ସ ତୃତୀୟ' ଭାବେ ବ୍ରିଟେନ ସିଂହାସନ ଆରୋହଣ କରିଥିବା ନୂଆ ସମ୍ରାଟ ଚାର୍ଲ୍ସ ମାଆଙ୍କ ମୃତ୍ୟୁ ପରେ ଶୁକ୍ରବାର ପ୍ରଥମ ଥର ଦେଶକୁ ସମ୍ବୋଧନ କରିଛନ୍ତି । କିଙ୍ଗ ଚାର୍ଲ୍ସ ନିଜ ଉଦ୍‌ବୋଧନରେ ଦିଗଙ୍ଗତ ମାଆଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କୁ ନିଜ ଜୀବନର ପ୍ରେରଣା ବୋଲି କହିଛନ୍ତି । ଏହାସହିତ ଶେଷ ଜୀବନ ପର୍ଯ୍ୟନ୍ତ ଦେଶବାସୀଙ୍କ ସେବା କରିବେ ବୋଲି ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ।

ବ୍ରିଟେନର ନୂଆ ରାଜା ଚାର୍ଲ୍ସ ନିଜ ଉଦବୋଧନରେ କହିଛନ୍ତି, '' ପ୍ରିୟ ମାଆ( darling mama), ତୁମେ ମୋର ଦିବଙ୍ଗତ ପିତାଙ୍କ ନିକଟକୁ ଯିବାକୁ ନିଜର ଶେଷ ଯାତ୍ରା ଆରମ୍ଭ କରିଛ । ଦୂବଦୂତମାନେ ଗୀତ ଗାଇ ତୁମକୁ ବିଶ୍ରାମ ଦିଅନ୍ତୁ । ତୁମେ ଆମ ପରିବାରକୁ ଏବଂ ସମଗ୍ର ଦେଶକୁ ଯେଉଁ ସ୍ନେହ ଓ ଭଲପାଇବା ଦେଇଛ ସେଥିପାଇଁ ଧନ୍ୟବାଦ । ତୁମେ ଦୀର୍ଘ ବର୍ଷ ଧରି ନିଷ୍ଠାପର ଭାବେ ଦେଶର ସେବା କରିଛ । ତୁମର ପଥ ଅନୁସରଣ କରି ମୁଁ ସାରା ଜୀବନ ଦେଶବାସୀଙ୍କ ସେବାରେ ବ୍ରତୀ ହେବି ।''

ଚାର୍ଲ୍ସ ଆହୁରିମଧ୍ୟ କହିଛନ୍ତି ଯେ, ଗଭୀରତ ଦୁଃଖ ସହକାରେ ମୁଁ ଆଜି ଆପଣମାନଙ୍କୁ କହୁଛି । ମହାରାଣୀ ତଥା ମୋ ପ୍ରିୟ ମାଆ, ମୋର ଏବଂ ପୁରା ପରିବାର ପାଇଁ ଏକ ପ୍ରେରଣା ଓ ଦୃଷ୍ଟାନ୍ତ ଥିଲେ । ତାଙ୍କ ନିକଟରେ ଆମେ ଋଣୀ । ମହାରାଣୀଙ୍କୁ ମିଳିଥିବା ସ୍ନେହ, ପ୍ରଶଂସା ଓ ସମ୍ମାନ ତାଙ୍କ ଶାସନକାଳର ପରିଚୟ ହୋଇଛି । ତାଙ୍କର ବିୟୋଗ ଏକ ଅପୂରଣୀୟ କ୍ଷତି । ଏହା ସମସ୍ତଙ୍କୁ ମର୍ମାହତ କରିଛି । ମାଆଙ୍କୁ ମନେ ପକାଇ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଖୁବ୍‌ଶୀଘ୍ର ଆମେ ସମସ୍ତେ ମୋର ପ୍ରିୟ ମାଆଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏକସାଙ୍ଗରେ ଆସିବା ବୋଲି ଦେଶବାସୀଙ୍କୁ କହିଛନ୍ତି ନୂଆ ରାଜା ।

ବ୍ରିଟେନକୁ ସର୍ବାଧିକ ସମୟ ଧରି ଶାସନ କରିଥିବା ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ରାଣୀଙ୍କ ଅବର୍ତ୍ତମାନରେ ଆଜି ୭୩ ବର୍ଷୀୟ ତାଙ୍କର ବଡପୁଅ ଚାର୍ଲ୍ସଙ୍କ ରାଜାଭିଷେକ ହେବ । ରାଜପରିବାରର ରୀତିନୀତି ଅନୁସାରେ ତାଙ୍କର ରାଜାଭିଷେକ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ସେପ୍ଟେମ୍ବର ୧୯ ତାରିଖରେ ମହାରାଣୀଙ୍କ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ବ୍ରିଟେନ୍‌ରେ ମହାରାଣୀଙ୍କ ପାର୍ଥିବ ଶରୀରକୁ କଫିନ ଦେବାପୂର୍ବରୁ ନିର୍ଦ୍ଦିଷ୍ଟ ବିଧି ପାଳନ କରାଯିବ । ହୋଲିରୁଡରେ(Holyrood) ମହାରାଣୀଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରୁ ଲଣ୍ଡନକୁ ଯିବ ।

ଏହାମଧ୍ୟ ପଢନ୍ତୁ:ମନେ ପକାଇଲେ ଅମୂଲ୍ୟ ବର୍ଷ, ବ୍ରିଟେନ୍‌ ରାଣୀ ଏଲଜାବେଥ୍‌ ଦ୍ବିତୀୟଙ୍କୁ ୯୬ ତୋପ ସଲାମୀ

ସୂଚନା ଅନୁଯାୟୀ, ସେପ୍ଟେମ୍ବର ୮ତାରିଖରେ ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ (Queen Elizabeth II dies aged 96 ) ମୃତ୍ୟୁ ହୋଇଥିଲା । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ (Balmoral Castle) 96 ବର୍ଷ ବୟସରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ମୃତ୍ୟୁ ହୋଇଥିଲା । ମହାରାଣୀଙ୍କ ମହାପ୍ରୟାଣରେ ଦଶ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବା (Official mourning) ନେଇ ରାଜ ପରିବାର ପକ୍ଷରୁ ଘୋଷଣା ହୋଇଛି । ରାଣୀଙ୍କୁ ସମ୍ମାନ ଦେଇ ତାଙ୍କ ବିୟୋଗରେ ରବିବାର ଦିନ ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ ହେବ ।

ABOUT THE AUTHOR

...view details