ଓଡିଶା

odisha

By

Published : Jan 29, 2023, 1:36 PM IST

ETV Bharat / international

ଆଫଗାନ ଛାତ୍ରୀଙ୍କ ଉପରେ ତାଲିବାନର କଡା କଟକଣା, ବିଶ୍ବବିଦ୍ୟାଳୟରେ ପାଠ ପଢିବାକୁ ବାରଣ

ଆଫଗାନିସ୍ତାନର ଛାତ୍ରୀଙ୍କ ପ୍ରତି ଆହୁରି କଠୋର ହେଲା ତାଲିବାନ । ବିଶ୍ବ ବିଦ୍ୟାଳୟରେ ପାଠ ପଢିବା ଉପରେ ଲାଗିଲା କଟକଣା। ଅଧିକ ପଢନ୍ତୁ

Taliban has banned female university entrance
Taliban has banned female university entrance

କାବୁଲ: ଅଫଗାନିସ୍ତାନ ମହିଳାଙ୍କ ପ୍ରତି ଦିନକୁ ଦିନ କଠୋର ହେଉଛି ତାଲିବାନ। ଏବେ ଆଫଗାନିସ୍ତାନର ଛାତ୍ରୀଙ୍କ ପ୍ରତି କଠୋର ନିୟମ ଲାଗୁ କରିଛନ୍ତି ତାଲିବାନ ସରକାର। ବିଶ୍ବବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଦେବାକୁ ଛାତ୍ରୀ ମାନଙ୍କୁ ବାରଣ କରାଯାଇଛି। ଏନେଇ ଆଫଗାନିସ୍ତାନର ଜଣାଶୁଣା ନ୍ୟୁଜ ଚ୍ୟାନେଲ ଟୋଲୋ ନ୍ୟୁଜ ରିପୋର୍ଟ କରିଛି।

ତାଲିବାନ ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି। ଯେଉଁଥିରେ ଦର୍ଶାଯାଇଛି ଯେ, ଛାତ୍ରୀମାନେ ବିଶ୍ୱବିଦ୍ୟାଳୟରେ କୌଣସି ପରୀକ୍ଷା ପାଇଁ ଆବେଦନ କରିପାରିବେ ନାହିଁ । ପରବର୍ତ୍ତୀ ନୋଟିସ ନଆସିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ବର୍ତ୍ତମାନ ତାଲିବାନ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେବାକୁ ଛାତ୍ରୀଙ୍କୁ ବାରଣ କରିଛି ତାଲିବାନ ।

ଏହା ପୂର୍ବରୁ ବେସରକାରୀ ସଂସ୍ଥାରେ ମହିଳାଙ୍କ ନିଯୁକ୍ତି ନେଇ କଟକଣା ଜାରି କରିଥିଲା ତାଲିବାନ । ଯାହାକୁ ନେଇ ଆଫଗାନିସ୍ତାନର ଜଣାଶୁଣା ନ୍ୟୁଜ ଚ୍ୟାନେଲ ଟୋଲୋ ନ୍ୟୁଜ ରିପୋର୍ଟ ପ୍ରକାଶ କରିଥିଲା । ଏହାକୁ ନେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ତାଲିବାନର କାରସାଦି ଉପରେ ଉଦବେଗ ପ୍ରକାଶ ପାଇଥିଲା। ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ କଠୋର ନୀତି ଆପଣାଉଛି । ଗତବର୍ଷ ମାର୍ଚ୍ଚ ମାସରେ ଆଫଗାନିସ୍ତାନରେ ସମସ୍ତ ସ୍କୁଲ ଖୋଲିଥିବା ବେଳେ ବାଳିକା ବିଦ୍ୟାଳୟକୁ ବନ୍ଦ କରିଥିଲା ତାଲିବାନ । ଆଫଗାନିସ୍ତାନ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବାଳିକାଙ୍କୁ ବିଦ୍ୟାଳୟ ଯିବାକୁ ମନା କରାଯାଇଥିଲା ।

ଏହା ସହିତ ସମସ୍ତ ବାଳିକା ବିଦ୍ୟାଳୟ ମଧ୍ୟ ବନ୍ଦ କରାଯାଇଥିଲା । ଯେପର୍ଯ୍ୟନ୍ତ ବାଳିକାଙ୍କ ଲାଗି ଏକ ଯୋଜନା ପ୍ରସ୍ତୁତ ନହୋଇଛି, ସେପର୍ଯ୍ୟନ୍ତ ବିଦ୍ୟାଳୟ ଝିଅଙ୍କ ପାଇଁ ବନ୍ଦ ରହିବ ବୋଲି ଆଫଗାନିସ୍ତାନ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଥିଲା । ସେହିପରି ମେ ମାସରେ ଆଫଗାନିସ୍ତାନରେ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ବୁର୍ଖା ପରିଧାନ କରିବା ବାଧ୍ୟତାମୂଳକ କରିଥିଲା ତାଲିବାନ ସରକାର । ମହିଳାମାନେ ସମ୍ପୂର୍ଣ୍ଣ ବୁର୍ଖା ପରିଧାନ କରିବା ନେଇ ତାଲିବାନ ମୁଖ୍ୟ ହବିତୁଲ୍ଲା ଅଖୁନ୍ଦଜାଦା ଏକ ନିର୍ଦ୍ଦେଶାନାମା ଜାରି କରିଥିଲା ।

2021 ଅଗଷ୍ଟ ମାସ ସୁଦ୍ଧା ଆଫଗାନିସ୍ତାନକୁ ନିଜ କବଜାକୁ ନେଇଥିଲା ତାଲିବାନ । ଅନେକ କଟକଣା ମଧ୍ୟରେ ମହିଳାଙ୍କ ପାଇଁ ରହିଥିଲା ସବୁଠୁ ଅଧିକ କଟକଣା । ଯାହାକି ସେମାନଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିଲା । ତାଲିବାନମାନେ ଛାତ୍ରୀଙ୍କୁ ସ୍କୁଲକୁ ଯାଇ ପାଠ ପଢିବାକୁ ବିରୋଧ କରିଥିଲା । ଫଳରେ ଉଚ୍ଚଶିକ୍ଷା ଲାଗି ରହିଥିବା ସେକେଣ୍ଡାରୀ ସ୍କୁଲକୁ ବନ୍ଦ କରାଯାଇଥିଲା । ସେପଟେ ୟୁନିଭର୍ସିଟି ଖୋଲା ଯାଇଥିବା ବେଳେ ଛାତ୍ର ଓ ଛାତ୍ରୀଙ୍କୁ ଅଲଗା କୋଠରୀରେ ପାଠ ପଢିବା ପାଇଁ ବ୍ୟବସ୍ଥା ରହିଥିଲା। କିନ୍ତୁ ଏବେ ଏଠାରେ ପାଠ ପଢିବାକୁ ମଧ୍ୟ ଛାତ୍ରୀଙ୍କୁ ବାରଣ କରାଯାଇଛି।

For All Latest Updates

ABOUT THE AUTHOR

...view details