ଇସଲାମବାଦ:ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ । ସୋମବାର ପାକିସ୍ତାନ ପେଶାୱାରର ଏକ ମସଜିଦରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ଏଯାବତ୍ 72 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଉଛି । ଆଫଗାନିସ୍ତାନ ବର୍ଡର ନିକଟରେ ଥିବା ଉତ୍ତର-ପଶ୍ଚିମ ପେଶାୱାର ସହରର ଏକ ମସଜିଦରେ ଅପରାହ୍ନ ପ୍ରାର୍ଥନା ସମୟରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।
ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିବା ବେଳେ କେବଳ ଆମ୍ବୁଲାନ୍ସକୁ ଛଡାଯାଉଛି । ତେବେ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ମସଜିଦର ଗୋଟିଏ ପାର୍ଶ୍ବ ଭୁଶୁଡି ପଡିଛି । ମସଜିଦ ଛାତ ଓ କାନ୍ଥର ଗୋଟିଏ ଅଂଶ ଭାଙ୍ଗି ଯାଇଥିବା ବେଳେ ଏହା ତଳେ ଅନେକ ଲୋକ ଦବି ହୋଇ ରହିଥିବା ଆଶଙ୍କା କରାଯାଉଛି । ଏନେଇ ପେଶାୱାର ମୁଖ୍ୟ ହସ୍ପିଟାଲର ମୁଖପାତ୍ର ମହମ୍ମଦ ଅସିମ ଖାନ କହିଛନ୍ତି, ''ଏହା ଏକ ଜରୁରୀକାଳୀନ ପରିସ୍ଥିତି । ହସ୍ପିଟାଲରେ ମୃତଦେହଗୁଡିକ ପହଞ୍ଚୁଥିବା ବେଳେ ଏବେସୁଦ୍ଧା ୩୯ ଜଣ ଆହତ ଭର୍ତ୍ତି ହୋଇଛନ୍ତି ।'' ତେବେ ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ବିସ୍ଫୋରଣରେ ପ୍ରଥମେ ୧୭ ଜଣଙ୍କର ମୃତ୍ୟୁ ଖବର ମିଳିଥିଲା । ଏବେ ଏହା ବୃଦ୍ଧି ପାଇ 72ରେ ପହଞ୍ଚିଛି ।