ଇସଲାମବାଦ:ପାକିସ୍ତାନରେ ଭୂମିକମ୍ପ ଝଟକା । ସକାଳୁ ସକାଳୁ ଭୂକମ୍ପରେ ଥରି ଉଠିଲା ପାକିସ୍ତାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ଆଜି (ବୁଧବାର) ଭାରତୀୟ ସମୟ ସକାଳ ୫.୩୫ ମିନିଟରେ ପାକିସ୍ତାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ଏ ପର୍ଯ୍ୟନ୍ତ ଭୂକମ୍ପ ଜନିତ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ।
ଏହା ମଧ୍ୟ ପଢନ୍ତୁ - Earthquake: ପୁଣି ଭୂକମ୍ପ ଝଟକା, ୬.୧ ତୀବ୍ରତାରେ ଥରିଲା ଆଫଗାନିସ୍ତାନ
ସୂଚନା ମୁତାବକ, ଆଜି ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୋର୍ ସମୟରେ ଲୋକମାନେ ଶୋଇଥିବା ଅବସ୍ଥାରେ ଭୂକମ୍ପ ଅନୁଭୂତ ହେବାରୁ ଆତଙ୍କିତ ହୋଇପଡ଼ିଥିଲେ । କିଛି ଲୋକ ଭୟରେ ଘର ବାହାରକୁ ଦୌଡ଼ି ପଳାଇଥିଲେ । ତେବେ ଭୂକମ୍ପର ଗଭୀରତା ୧୮ କିଲୋମିଟର ହୋଇଥିବା ରେକର୍ଡ କରାଯାଇଛି । ଏହାର ଅକ୍ଷାଂଶ ୩୫.୯୬ ରହିଥିବା ବେଳେ ଏହାର ଦ୍ରାଘିମା ୭୧.୫୮ ରହିଛି । ହେଲେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ୫.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାପୂର୍ବରୁ ଗତ ଶନିବାର ସନ୍ଧ୍ୟାରେ ପାକିସ୍ତାନରେ 4.1 ତୀବ୍ରତାର ଭୂକମ୍ପ ହୋଇଥିଲା । 4 ଦିନ ପରେ ପୁଣିଥରେ ଭୂକମ୍ପ ଝଟକା ଲାଗିଛି ।