ଓଡିଶା

odisha

ETV Bharat / international

ଶ୍ରୀଲଙ୍କା ଫେରିବେ ପୂୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ - ପୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ

ଆସନ୍ତାକାଲି(ଶନିବାର) ସ୍ବଦେଶ ଫେରିବେ ଶ୍ରୀଲଙ୍କାର ପୂୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା । ଅଧିକ ପଢନ୍ତୁ

ଆସନ୍ତାକାଲି ସ୍ବଦେଶ ଫେରିବେ ପୂୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ
ଆସନ୍ତାକାଲି ସ୍ବଦେଶ ଫେରିବେ ପୂୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ

By

Published : Sep 2, 2022, 1:58 PM IST

କଲମ୍ବୋ:ଆସନ୍ତାକାଲି(ଶନିବାର) ସ୍ବଦେଶ ଫେରିବେ ଶ୍ରୀଲଙ୍କାର ପୂର୍ବତନ ତଥା ପଳାତକ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ(Gotabaya Rajapaksa to return to Sri Lanka) । ଶନିବାର ଦିନ ଥାଇଲ୍ୟାଣ୍ଡରୁ ସେ ଶ୍ରୀଲଙ୍କା ଫେରିବେ ବୋଲି ଜଣାପଡିଛି । ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଗଣମାଧ୍ୟମକୁ ଏ ସମ୍ପର୍କିତ ସୂଚନା ଦେଇଛନ୍ତି । ବର୍ତ୍ତମାନ ୭୩ ବର୍ଷୀୟ ଗୋଟାବାୟା ଥାଇଲ୍ୟାଣ୍ଡର ବ୍ୟାଙ୍ଗକକ୍‌ରେ ଅଛନ୍ତି । ଉତ୍କଟ ଆର୍ଥିକ ସଙ୍କଟର ମୁକାବିଲାରେ ବିଫଳ ହେବା ଯୋଗୁଁ ନିଜ ଦେଶରେ ପ୍ରବଳ ଜନଆକ୍ରୋଶର ଶିକାର ହୋଇ ସେ ଦେଶ ଛାଡି ପଳାଇଥିଲେ ।

ଗୋଟାବାୟା ପ୍ରଥମେ ଶ୍ରୀଲଙ୍କା ଛାଡି ମାଲଦ୍ବୀପ ପଳାଇଥିଲେ । ସେଠାରେ କିଛି ଦିନ ରହି ସିଙ୍ଗାପୁର ଯାଇ ଆତ୍ମଗୋପନ କରିଥିଲେ । ସେଠାରୁ ହିଁ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ସିଙ୍ଗାପୁର ସରକାର ତାଙ୍କର ୨୮ ଦିନିଆ ଭିସା ଅବଧି ବୃଦ୍ଧି ନ କରିବା ପରେ ପୁଣିଥରେ ଗୋଟାବାୟା ବ୍ୟାଙ୍ଗକକ୍‌ ଚାଲିଯାଇଥିଲେ । ଏବେ ସେ ବ୍ୟାଙ୍ଗକକ୍‌ର ଏକ ଥାଇ ହୋଟେଲରେ ରହୁଛନ୍ତି । ଶନିବାର ସେ ଶ୍ରୀଲଙ୍କା ପ୍ରତ୍ୟାବର୍ତ୍ତନ କରିବା ପରେ ତାଙ୍କର ସୁରକ୍ଷା ପାଇଁ ସେନା ଏବଂ ପୋଲିସ କମାଣ୍ଡଙ୍କୁ ନେଇ ନୂଆ ସୁରକ୍ଷା ଡିଭିଜନ ଗଠନ କରାଯାଇଛି । ଏହାସହିତ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତିଙ୍କ ପାଇଁ ଅଙ୍ଗରକ୍ଷୀ, ଏକ ଗାଡି ଏବଂ ବାସସ୍ଥାନର ବ୍ୟବସ୍ଥା କରାଯାଇଥିବା ସମ୍ପୃକ୍ତ ପ୍ରତିରକ୍ଷା ଅଧିକାରୀ ଜଣାଇଛନ୍ତି ।

ଥାଇଲ୍ୟାଣ୍ଡରେ ରହିବାକୁ ଗୋଟାବାୟାଙ୍କ ନିକଟରେ ୯୦ ଦିନର ଭିସା ଥିଲା । କିନ୍ତୁ ସେ ନିଜ ପତ୍ନୀ, ବଡିଗାର୍ଡ ଓ କିଛି ସହଯୋଗୀଙ୍କ ସହ ଶ୍ରୀଲଙ୍କା ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ ତାଙ୍କର ସାନଭାଇ ତଥା ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ଗତ ମାସରେ ରାଷ୍ଟ୍ରପତି ରନିଲ ବିକ୍ରମସିଙ୍ଘେଙ୍କୁ ସାକ୍ଷାତ କରି ଗୋଟାବାୟାଙ୍କୁ ସ୍ବଦେଶ ଫେରିବାକୁ ଅନୁମତି ଦେବା ସଙ୍ଗେ ସଙ୍ଗେ ସୁରକ୍ଷା ଯୋଗାଇବାକୁ ନିବେଦନ କରିଥିଲେ ।

ଏହାମଧ୍ୟ ପଢନ୍ତୁ:ଭାରତ ଗସ୍ତରେ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଆଜମେର ଦରଘା କରିବେ ପରିଦର୍ଶନ

ଶ୍ରୀଲଙ୍କା ସ୍ବାଧୀନତା ପରଠୁ ସବୁଠୁ ବଡ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି । ଖାଦ୍ୟ ପଦାର୍ଥ ଠାରୁ ନେଇ ଜୀବନ ରକ୍ଷାକାରୀ ଔଷଧ ଯାଏଁ ଅତି ଜରୁରୀ ସାମଗ୍ରୀ ପାଇଁ ଦେଶବାସୀ ସଂଘର୍ଷ କରୁଛନ୍ତି । ଏହି ଆର୍ଥିକ ସଙ୍କଟ ପାଇଁ ଶ୍ରୀଲଙ୍କା ଲୋକେ ସରକାରଙ୍କୁ ଦାୟୀ କରି ଦେଶରେ ପୋଡାଜଳା କରିଥିଲେ । ରାଷ୍ଟ୍ରପତି ଭବନରେ ଧସେଇ ପଶିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ନିଜ ଦେଶରେ ଏଭଳି ଜନ ଆନ୍ଦୋଳନର ଶିକାର ହୋଇ ଗତ ଜୁଲାଇ ୧୩ ତାରିଖରେ ଗୋଟାବାୟା ରାଜପକ୍ଷେ ଶ୍ରୀଲଙ୍କା ଛାଡି ମାଲଦ୍ବୀପ ପଳାଇ ଯାଇଥିଲେ ।

ABOUT THE AUTHOR

...view details