ହାଇଦ୍ରାବାଦ:ଭାରତରେ ଆୟୋଜିତ ଆଇସିସିକ୍ରିକେଟ ବିଶ୍ବକପ-2023ରେ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ କ୍ରିକେଟ ବୋର୍ଡ ଭଙ୍ଗ କରି ଚର୍ଚ୍ଚା ଓ ବିବାଦରେ ଥିବା ଶ୍ରୀଲଙ୍କା କ୍ରୀଡାମନ୍ତ୍ରୀ ରୋଶନ ରଣସିଙ୍ଘେଙ୍କୁ ପଦରୁ ବରଖାସ୍ତ କରିଛନ୍ତି ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ । ଆଜି କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । କ୍ରୀଡାମନ୍ତ୍ରୀଙ୍କୁ ପଦରୁ ବରଖାସ୍ତ କରାଯିବା ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଏହା ସହ କ୍ରିକେଟ ବୋର୍ଡ ଭଙ୍ଗ ହେବା ପରେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ବରେ ଗଠନ ହୋଇଥିବା ମଧ୍ୟବର୍ତ୍ତୀକାଳୀନ କିମିଟିକୁ ମଧ୍ୟ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି ।
ଭାରତ ସହ ଶ୍ରୀଲଙ୍କା ଅତି ନୈରାଶ୍ୟଜନକ ପ୍ରଦର୍ଶନ ସହ ପରାଜିତ ହୋଇଥିଲା । 302 ରନ ବ୍ୟବଧାନରେ ଶ୍ରୀଲଙ୍କା ପରାଜିତ ହୋଇ ବିଶ୍ବକପରୁ ବାଦ ପଡିବା ପରେ ଚଳିତ 6 ତାରିଖରେ କ୍ରୀଡାମନ୍ତ୍ରୀ ରୋଶନ ରଣସିଙ୍ଘେ ଦେଶର କ୍ରିକେଟ ବୋର୍ଡକୁ ଭଙ୍ଗ କରିଦେଇଥିଲେ । ଏହା ସହ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା 1996 ବିଶ୍ବକପ ବିଜେତା କ୍ୟାପଟେନ ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ବରେ ଏକ ମଧ୍ୟବର୍ତ୍ତୀକାଳୀନ କିମିଟି ମଧ୍ୟ ଗଠନ କରିଥିଲେ । ଏହି ନବଗଠିତ 7 ଜଣିଆ ଟିମରେ ରଣତୁଙ୍ଗା ମୁଖ୍ୟ ଭାବେ ରହିଥିବା ବେଳେ ଶ୍ରୀଲଙ୍କା ସର୍ବୋଚ୍ଚ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଓ ଜଣେ ପୂର୍ବତନ ବୋର୍ଡ ସଭାପତିଙ୍କୁ ମିଶାଇ ମୋଟ 7 ଜଣ ସଦସ୍ୟ ରହିଥିଲେ । ଏହି ଟିମ ଦେଶର କ୍ରିକେଟ ବ୍ୟାପାର ପରିଚାଳନା କରିବାକୁ ଅନ୍ତରୀଣ ଅନୁମତି ପାଇଥିବା କ୍ରୀଡା ମନ୍ତ୍ରଣାଳୟ ଏକ ଗେଜେଟ ବିଜ୍ଞପ୍ତି ଜାରି କରିଥିଲା ।
ଏହି ନୂତନ ଅନ୍ତରୀଣ କମିଟି ଗଠନ ହେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଏହି ବିବାଦ କୋର୍ଟରେ ମଧ୍ୟ ପହଞ୍ଚିଥିଲା । କମିଟି ଘୋଷଣା ହେବାର ପରଦିନ (7 ତାରିଖ) ରେ ଶ୍ରୀଲଙ୍କାର ଏକ କୋର୍ଟ କ୍ରୀଡାମନ୍ତ୍ରୀ ରୋଶନ ରଣସିଙ୍ଘେଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ଓ ଗଠନ କରାଯାଇଥିବା କମିଟିକୁ ନିଲମ୍ବିତ କରିବା ପାଇଁ ଅନ୍ତରୀଣ ଆଦେଶ ଜାରି କରିଥିଲେ ।