କଲମ୍ବୋ: ଭୋକ ବିକଳରେ ଆଉଟୁ ପାଉଟୁ ହେଉଛି ଶ୍ରୀଲଙ୍କା । ଚାରିଆଡେ ପଡିଛି ହାହାକାର । ଦେଶରେ ସୃଷ୍ଟି ହୋଇଥିବା ଉତ୍କଟ ଆର୍ଥିକ ସଙ୍କଟ ହିଂସାର ରୂପ ନେଉଛି । ଆର୍ଥିକ ସଙ୍କଟ ପରିଚାଳନାରେ ସରକାରଙ୍କ ବିଫଳତାକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପୋଡାଜଳା ଚାଲିଛି । ସ୍ଥିତିକୁ ଆୟତ୍ତ କରିବା ପାଇଁ ଏବେ ଦେଶରେ ଜରୁରୀ ପରିସ୍ଥିତି ଜାରି କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି । ଦେଶର ସୁରକ୍ଷା ଏବଂ ଆବଶ୍ୟକୀୟ ସାମଗ୍ରୀର ଯୋଗାଣ ଓ ସେବାଗୁଡିକର ରକ୍ଷଣାବେକ୍ଷଣ ପାଇଁ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିବା ରାଷ୍ଟ୍ରପତି କହିଛନ୍ତି ।
ଶ୍ରୀଲଙ୍କାରେ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସର ମଧ୍ୟ ଅଭାବ ସୃଷ୍ଟି ହୋଇଛି । ଇନ୍ଧନ ପାଇଁ ଲୋକଙ୍କୁ ଦିନସାରା ଲାଇନରେ ଛିଡା ହେବାକୁ ପଡୁଛି । ଏଠାରେ ଚାଉଳ କେଜି ୫୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚିନି ୩୦୦ ଟଙ୍କାରେ ପହଞ୍ଚିଛି । ଏପରିକି ବିଜୁଳି ସଙ୍କଟ ଯୋଗୁଁ ଲୋକଙ୍କୁ ଅନ୍ଧାରରେ ଜୀବନ ବିତାଇବାକୁ ପଡୁଛି । ଏହାକୁ ନେଇ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବିରୋଧରେ ଜନ ଆକ୍ରୋଶ ବଢିବାରେ ଲାଗିଛି ।