କଲମ୍ବୋ:ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଏହାରି ମଧ୍ୟରେ ଦେଶକୁ ଆଉ ଏକ ଝଟକା ଲାଗିଛି । ଏଭଳି ସଙ୍କଟ ସ୍ଥିତିରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ଇସ୍ତଫା ପତ୍ର ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ଇସ୍ତଫାକୁ ଗ୍ରହଣ କରି ନାହାନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ ।
ଦେଶରେ ରାଜନୈତିକ ସ୍ଥିରତା ଆଣିବା ପାଇଁ ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିନାହାନ୍ତି । ସେପଟେ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁଁ ବିରୋଧୀ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସୁଛନ୍ତି ।
ଏହା ବି ପଢ଼ନ୍ତୁSri Lanka Economic Crisis: ଜଳୁଛି ଶ୍ରୀଲଙ୍କା, ସୋସିଆଲ ମିଡିଆ ବ୍ୟାନ କଲେ ସରକାର
ସେପଟେ ଭୋକରେ ଆଉଟୁପାଉଟୁ ହେଉଛି ଶ୍ରୀଲଙ୍କା । ଦେଶରେ ଖାଇବାକୁ ନାହିଁ କି ପିଇବାକୁ ନାହିଁ । ଚାଉଳ, ଡାଲି ଠାରୁ ପେଟ୍ରୋଲ ଡିଜେଲ ଯାଏଁ ସବୁ ଜିନିଷର ଦର ଆକାଶ ଛୁଆଁ ହୋଇଛି । ଏଭଳି ଘୋର ଆର୍ଥିକ ଅନଟନକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ନାଗରିକ । ଦେଶରେ କର୍ଫ୍ୟୁ ଲାଗୁ ହୋଇଥିଲେ ହେଁ ଚାରିଆଡେ ବିଦ୍ରୋହର ବହ୍ନି ଜଳୁଛି । ଭୋକ ବିକଳରେ ଉତ୍ତ୍ୟକ୍ତ ଦେଶବାସୀ ପୋଡାଜଳା ଓ ଭଙ୍ଗାରୁଜା କରୁଛନ୍ତି । ଏହାରି ଭିତରେ ଏକ ଖବର ପ୍ରକାଶ ପାଇଥିଲା ଯେ, ଶ୍ରୀଲଙ୍କାରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଭାରତ ନିଜର ସେନା ପଠାଇଛି । ହେଲେ ଏହି ଖବରକୁ ଖଣ୍ଡନ କରିଛି ଶ୍ରୀଲଙ୍କା ସେନା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ