ଚେନ୍ନାଇ: ୧୬ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା । ଶ୍ରୀଲଙ୍କାର ଅନ୍ତର୍ଜାତୀୟ ସୀମା ଡେଇଁ ମାଛ ଧରିବା ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି । ଏଥିସହ ଦୁଇଟି ମତ୍ସ୍ୟଜୀବୀ ବୋଟ ଶ୍ରୀଲଙ୍କାର ନୌସେନା ଜବତ କରିଛି । ତେବେ ସମସ୍ତ ମତ୍ସ୍ୟଜୀବୀ ତାମିଲନାଡୁର ହୋଇଥିବା ସୂଚନା ମିଳିଛି ।
ଶ୍ରୀଲଙ୍କାର ନୌସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ଶ୍ରୀଲଙ୍କାର ଅନ୍ତର୍ଜାତୀୟ ସୀମାରେ ବେଆଇନ ମତ୍ସ୍ୟଜୀବୀ ବୋଟକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଅପରେସନ କରାଯାଇଥିଲା । ଏହି ଅପରେସନରେ କିଛି ମତ୍ସ୍ୟଜୀବୀ ସେଠାରେ ମାଛ ଧରଥିଲେ । ଏହି ସମୟରେ ଶ୍ରୀଲଙ୍କା ନୌସେନା ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ପିଛା କରି ଆନାଲାଇତିବୁରୁ ୧୬ ଜଣ ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କରିଛି । ଜବତ ଦୁଇଟି ବୋଟ ମଧ୍ୟ ଶ୍ରୀଲଙ୍କା ନୌସେନା ଅଧିନରେ ରହିଛି । ସେମାନଙ୍କ ମଧ୍ୟରୁ ୪ ଜଣ ତାମିଲନାଡୁ ସ୍ଥିତ ପୁଡ୍ଡୁକୋଟାଇ ଜିଲ୍ଲାର ହୋଇଥିବାବେଳେ ୧୨ ଜଣ ନାଗାପଟ୍ଟିନମର ହୋଇଥିବା ଜଣାପଡ଼ିଛି । ଏହି ପ୍ରସଙ୍ଗରେ ତାମିଲନାଡୁ ବିଜେପି ମୁଖ୍ୟ ଅନ୍ନାମଲାଇ ମତ୍ସ୍ୟଜୀବୀଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି ।
ପ୍ରକାଶ ଥାଉକି, ଏହା ପୂର୍ବରୁ ମଧ୍ୟ ଗତ ବର୍ଷ ୧୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା ଶ୍ରୀଲଙ୍କା ନୌସେନା । ସମସ୍ତ ମତ୍ସ୍ୟଜୀବୀ ତାମିଲନାଡୁର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ରହିଥିଲା । ଏଥି ସହ ୨ଟି ମତ୍ସ୍ୟଜୀବୀ ବୋଟକୁ ଜବତ କରିଥିଲା । ପ୍ରାୟ 2500 ମତ୍ସ୍ୟଜୀବୀ ମାଛ ଧରିବାକୁ ତଲାଇମାନର ନିକଟ ଧନୁଶକୋଡିକୁ ଯାଇଥିଲେ । ସେଠାରେ ମାଛ ଧରୁଥିବାବେଳେ ଶ୍ରୀଲଙ୍କା ନୌସେନା ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ପିଛା କରି ୧୫ଜଣଙ୍କୁ ଗିରଫ କରିଥିଲା । 15 ଜଣ ମତ୍ସ୍ୟଜୀବୀଙ୍କୁ ନାଭାଲ ଜାହାଜ ଘେରିବା ପରେ ସେମାନଙ୍କୁ ଗିରଫ କରିଥିଲା । ଏହା ପ୍ରଥମ ଥର ନୁହେଁ ବରଂ ଏକାଧିକ ଥର ଶ୍ରୀଲଙ୍କା ନୌସେନା ଏପରି ଅଭିଯୋଗରେ ବହୁ ଭାରତୀୟ ତଥା ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିନେବା ଘଟଣାରେ ସ୍ଥାନୀୟ ମତ୍ସ୍ୟଜୀବୀ ସଂଘ ଉଦବେଗ ପ୍ରକାଶ କରିଛି ।
ତାମିଲନାଡୁ ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଭାରତ-ଶ୍ରୀଲଙ୍କା ଅନ୍ତର୍ଜାତୀୟ ଜଳସୀମାରେ ପ୍ରବେଶ ଅଭିଯୋଗରେ ଶ୍ରୀଲଙ୍କା ନୌସେନା ବାରମ୍ବାର ଏପରି କରିଥାଏ । ଏବେ ମଧ୍ୟ ବହୁ ଭାରତୀୟ ମତ୍ସ୍ୟଜୀବୀ ଗିରଫ ହୋଇ ଶ୍ରୀଲଙ୍କା ଜେଲରେ ରହିଛନ୍ତି । ଯାହାକୁ ନେଇ ରାଜ୍ୟ ମତ୍ସ୍ୟଜୀବୀ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କରିଛି ।