କଲମ୍ବୋ:ପଡୋଶୀ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସହ ଲାଗି ରହିଛି ରାଜନୈତିକ ଅସ୍ଥିରତା । କ୍ରମଶଃ ଜଟିଳ ହେବାରେ ଲାଗିଛି ଜୀବନ । ଦେଶବ୍ୟାପୀ ଅଭାବରୁ ଆର୍ତ୍ତ ଚିତ୍କାର ଅନ୍ୟପଟେ କ୍ଷମତାସୀନ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ସ୍ବାଧୀନତା ପରେ ଶ୍ରୀଲଙ୍କା ସବୁଠାରୁ ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି । ଏହି ସଙ୍କଟରୁ ଉଦ୍ଧାର ପାଇଁ ଭାରତର ସହାୟତା ଲୋଡିଛନ୍ତି ଶ୍ରୀଲଙ୍କା କ୍ରିକେଟର ସନତ ଜୟସୁରିଆ । ଭାରତକୁ ପଡ଼ୋଶୀ ଓ ବଡ଼ଭାଇ ବୋଲି ମଧ୍ୟ ସେ ଅଭିହିତ କରିଥିବା ଦେଖିବାକୁ ମିଳିଛି ।
ଗଣମାଧ୍ୟମକୁ ସାକ୍ଷାତକାରରେ ଦେଶର ସ୍ଥିତିକୁ ଦୁର୍ଭାଗ୍ୟଜନକ କହିଛନ୍ତି ଜୟସୁରିଆ । ବର୍ତ୍ତମାନ ସ୍ଥିତିରେ ତିଷ୍ଠିବା ବହୁତ କଷ୍ଟକର ହୋଇପଡ଼ିଛି । ଭାରତ ସର୍ବଦା ଶ୍ରୀଲଙ୍କାକୁ ସାହାଯ୍ୟ କରିଆସିଛି ବୋଲି କହିବା ସହ ଏଥିପାଇଁ ଭାରତ ତଥା ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ଜୟସୁରିଆ ।