ଓଡିଶା

odisha

By ETV Bharat Odisha Team

Published : Oct 24, 2023, 4:31 PM IST

ETV Bharat / international

ମତ ବଦଳାଇଲା ଚୀନ, ଇସ୍ରାଏଲର ଆତ୍ମରକ୍ଷା କରିବାର ଅଧିକାର ଥିବା କହିଲା ବେଜିଂ

ଇସ୍ରାଏଲକୁ ସମର୍ଥନ ଦେଲା ଚୀନ । ପୂର୍ବରୁ ଅସ୍ତ୍ରବିରତି ଘୋଷଣା ପାଇଁ ମତ ରଖିଥିଲେ ରାଷ୍ଟ୍ରପତି ସି ଜିନପିଙ୍ଗ । ଅଧିକ ପଢନ୍ତୁ

ମତ ବଦଳାଇ ଇସ୍ରାଏଳ ସପକ୍ଷରେ ଚୀନ, ଆତ୍ମରକ୍ଷା କରିବାର ଅଧିକାର ଥିବା କହିଲା ବେଜିଂ
ମତ ବଦଳାଇ ଇସ୍ରାଏଳ ସପକ୍ଷରେ ଚୀନ, ଆତ୍ମରକ୍ଷା କରିବାର ଅଧିକାର ଥିବା କହିଲା ବେଜିଂ

ହାଇଦ୍ରାବାଦ: ହମାସର ଆକ୍ରମଣ ପରେ ଇସ୍ରାଏଲୀ ସେନା ଏବେ ଗାଜାରେ ଦୀର୍ଘ 18 ଦିନ ଧରି ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ତେବେ ଇସ୍ରାଏଲକୁ ପୂର୍ବରୁ ପଶ୍ଚିମ ରାଷ୍ଟ୍ରମାନେ ସମର୍ଥନ ଘୋଷଣା କରିସାରିଥିବା ବେଳେ ଏବେ ଚୀନ ମଧ୍ୟ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟରେ ବଡ ପରିବର୍ତ୍ତନ କରିଛି । ଆତ୍ମରକ୍ଷା କରିବା ଇସ୍ରାଏଲର ଅଧିକାର ବୋଲି ବେଜିଂ କହିଛି । ଅର୍ଥାତ ଇସ୍ରାଏଲ ଜାରି ରଖିଥିବା ଅପରେସନ ସପକ୍ଷରେ ଚୀନ ରହିଛି ।

ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆମେରିକା ଗସ୍ତ କରିବା ପୂର୍ବରୁ ଚୀନ ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ଓ୍ବାଇ କହିଛନ୍ତି, ସମସ୍ତ ଦେଶର ଆତ୍ମରକ୍ଷା କରିବାର ଅଧିକାର ରହିଛି । କିନ୍ତୁ ଅନ୍ତର୍ଜାତୀୟ ମାନବୀୟ ଆଇନର ପାଳନ ପ୍ରତି ମଧ୍ୟ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । କୌଣସି ପରିସ୍ଥିତିରେ ନିଜ ଦେଶର ନାଗରିକଙ୍କ ରକ୍ଷା ସହିତ ଆତ୍ମରକ୍ଷା ପାଇଁ ଏପରି ଅଭିଯାନ ମଧ୍ୟ ଗ୍ରହଣ କରାଯାଇପାରେ ।

ତେବେ ପ୍ରଥମେ ଇସ୍ରାଏଲର ଏହି ସାମରିକ ଅଭିଯାନ ସପକ୍ଷରେ ପ୍ରଥମେ ଚୀନ ନଥିଲା । ଏହାକୁ ବିରୋଧ କରିବା ସହ ଗତ ସପ୍ତାହରେ ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ କହିଥିଲେ, ଇସ୍ରାଏଲ ତୁରନ୍ତ ଅସ୍ତ୍ରବିରତି ଘୋଷଣା କରୁ । ଇଜିପ୍ଟ ସମେତ ଅନ୍ୟ କିଛି ଆରବ ଦେଶ ଏହି ପ୍ରସ୍ତାବ ସହ ଇସ୍ରାଏଲ ଉପରେ ଅପରେସନ ବନ୍ଦ କରିବା ପାଇଁ ଚାପ ପକାଉଥିବା ବେଳେ ଚୀନ ମଧ୍ୟ ସେମାନଙ୍କ ସହ ସ୍ବର ମିଳାଇଥିଲା । ମାତ୍ର ଏବେ ଚୀନ ଏହାକୁ ପୁରା ବିରୋଧ କରିବା ପରିବର୍ତ୍ତେ, ଅନ୍ତର୍ଜାତୀୟ ମାନବୀୟ ନିୟମ ପାଳନ କରି ଆତ୍ମରକ୍ଷା ପାଇଁ ଅପରେସନ କରାଯାଇପାରେ ବୋଲି କହିଛି ।

ଏହା ମଧ୍ୟ ପଢନ୍ତୁ:- Israel Hamas War: 5000 ହଜାର ଟପିଲା ମୃତ୍ୟୁସଂଖ୍ୟା, ଆଉ 2 ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ


ଆମେରିକା, ବ୍ରିଟେନ, ଫ୍ରାନ୍ସ, ଇଟାଲୀ ପରି ଦେଶ ଇସ୍ରାଏଲକୁ ଖୋଲା ସମର୍ଥନ ଘୋଷଣା କରିସାରିଛନ୍ତି । ଜୋ.ବାଇଡେନ ଓ ଋଷି ସୁନକ ମଧ୍ୟ ଇସ୍ରାଏଲ ଗସ୍ତ କରି ସ୍ଥାନୀୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଆଲୋଚନା କରି ଫେରିଛନ୍ତି । ସମସ୍ତ ପରିସ୍ଥିତିରେ ଆମେରିକା ଓ ବ୍ରିଟେନ ଇସ୍ରାଏଲ ସହ ରହିଥିବା ଉଭୟ ଦେଶ ଅଭୟବାଣୀ ମଧ୍ୟ ଶୁଣାଇଛନ୍ତି । ଏପରି ସ୍ଥିତିରେ ଜିଓ-ପଲିଟିକାଲ ସମୀକରଣରେ ମଧ୍ୟ ପରିବର୍ତ୍ତନ ଘଟିବାରେ ଲାଗିଛି । କୌଣସି ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଏବେ ସୁଦ୍ଧା ଇସ୍ରାଏଲ ବିରୋଧରେ ସ୍ବର ଉଠାଇନଥିବା ବେଳେ ପ୍ରଥମେ ବିରୋଧ କରିଥିବା ଚୀନ ମଧ୍ୟ ଏବେ ସମର୍ଥନ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details