ବେଜିଂ:ବିଶ୍ବରେ ଥମିବାର ନାମ ନେଉନାହିଁ କୋରୋନା ପ୍ରକୋପ । ଚୀନରେ ଦିନକୁ ଦିନ କୋଭିଡ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏହି ସମୟରେ ସାଂଘାଇରୁ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଚୀନର ସବୁଠୁ ଅଧିକ ଜନସଂଖ୍ୟା ଥିବା ସହର ସାଂଘାଇରେ ରେକର୍ଡ କରୋନା ମାମଲା ଚିହ୍ନଟ ହୋଇଛି। ସଂକ୍ରମଣରେ ରୋକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି। ରିପୋର୍ଟ ଅନୁସାରେ, କରୋନା ଯୋଗୁଁ ପିଲାମାନଙ୍କୁ ନିଜ ପରିବାର ଠାରୁ ଅଲଗା କରି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି ।
ଚୀନ ସରକାର କୋଭିଡ୍ କଟକଣାକୁ ଏଭଳି କଡ଼ାକଡ଼ି କରିଛନ୍ତି ଯେ, ଦେଢ଼-ଦୁଇ ବର୍ଷୀୟ ପିଲାକୁ ବି ବାପାମାଆଙ୍କ ଠାରୁ ଅଲଗା କରି କ୍ବାରେଣ୍ଟାଇନରେ ରଖାଯାଉଛି । ସୂଚନାଅନୁସାରେ, ସଥର ଝାଓ ନାମକ ଜଣେ ମହିଳା ଗତ ମାର୍ଚ୍ଚ ୨୬ରେ ତାଙ୍କର ଅଢ଼େଇ ବର୍ଷର ଝିଅକୁ ଜ୍ୱର ହେବାରୁ ସାଂଘାଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ । ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଡାକ୍ତର ଉଭୟଙ୍କୁ ପୃଥକ ରହିବାକୁ କହିଥିଲେ । ଝିଅକୁ ତାଙ୍କଠାରୁ ଅଲଗା ନ କରିବା ପାଇଁ ଝାଓ ଯେତେ ଅନୁରୋଧ କରିଥିଲେ ବି ତାହା ଶୁଣି ନ ଥିଲେ।