ବେଜିଂ:ଚୀନରେ ସଂକ୍ରମଣ ମାମଲା ଦିନକୁ ଦିନ ସାଘାଂତିକ ହେବାରେ ଲାଗିଛି । ସାଂଘାଇରେ ନୂଆ ଲହରରେ ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଛି । ଲକଡାଉନ ଘୋଷଣା ହେବାର କିଛିଦିନ ପରେ କୋଭିଡରେ ଆକ୍ରାନ୍ତ ହୋଇ ୩ ଜଣ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏନେଇ ସାଂଘାଇ ସରକାରଙ୍କ ପକ୍ଷରୁ ଆଜି(ସୋମବାର) ସୂଚନା ଦିଆଯାଇଛି ।
କୋରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ ୩ଜଣ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲା । ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିବା ନେଇ ସ୍ଥାନିୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସରକାର । ମୃତ୍ୟୁ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ହୋଇଥିବା ବେଳେ ଜଣେ ମହିଳା ଅଟନ୍ତି । ମୃତକ ୩ ଜଣ ହେଲେ ୮୯ ଏବଂ ୯୧ ବର୍ଷୀୟ ମହିଳା ଏବଂ ଜଣେ ୯୧ ବର୍ଷିୟ ପୁରୁଷ । କୋରୋନା ସହ ହୃଦରୋଗ, ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ଅନେକ ରୋଗରେ ଆକ୍ରାନ୍ତ ରହିଥିବା ନେଇ କୁହାଯାଇଛି ।